ମନୋରଞ୍ଜନ

ଏକାମ୍ର ଉତ୍ସବରେ ସୋନୁ ନିଗମ୍‌: ବସିଲେ ଯେତିକି, ସେତିକି ଠିଆ – Kalinga News

[ad_1]

ଭୁବନେଶ୍ୱର: ବସିଥିଲେ ଯେତିକି, ଛିଡ଼ା ହେଇଥିଲେ ସେତିକି। ସିଲଭର୍‌ରୁ ପ୍ରିମିୟମ୍‌ ସିଟ୍‌ ପର୍ଯ୍ୟନ୍ତ, ପୂରା ଭରପୂର ଥିଲା। ଆଗ ସିଟ୍‌ରେ କିଏ ଛିଡ଼ା ହୋଇଗଲେ ପଛପଟୁ ଚିତ୍କାର ଶୁଭୁଥିଲା। ତାଙ୍କ ମଞ୍ଚ ପ୍ରବେଶକୁ ଯେମିତି ଉତ୍କଣ୍ଠାର ସହ ଚାହିଁ ରହିଥିଲେ ମତୁଆଲା ଦର୍ଶକ। ସ୍ପଟ୍‌ ଲାଇଟ୍‌ ଯୁଆଡ଼େ ଯୁଆଡ଼େ ଯାଉଥିଲା, ହଜାର ହଜାର ଆଖି ତାକୁ ପିଛା କରୁଥିଲା। ଏମିତି କିଛି ଲୁଚକାଳି ପରେ ଗିଟାର, ଡ୍ରମ୍‌ ଓ କିବୋର୍ଡର ଛାତିଥରା ଶବ୍ଦକୁ କାଟି ଭାସି ଆସିଲା ‘ଜୟ ଜଗନ୍ନାଥ’। ଆଉ ଦର୍ଶକଙ୍କୁ ସମ୍ଭାଳେ କିଏ! ସବୁ କୋଣରୁ ‌କେବଳ ଶୁଭୁଥିଲା- ସୋନୁ…ସୋନୁ…ସୋନୁ…!

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକାମ୍ର ଉତ୍ସବର ଆଜି ଥିଲା ଷଷ୍ଠ ସନ୍ଧ୍ୟା। ଆଜି ସନ୍ଧ୍ୟାର ଆକର୍ଷଣ ଥିଲେ ପ୍ରସିଦ୍ଧ ବଲିଉଡ୍‌ ପ୍ରଚ୍ଛଦପଟ୍ଟ ଗାୟକ ସୋନୁ ନିଗମ୍‌। ହଜାର ହଜାର ଦର୍ଶକ ତାଙ୍କୁ ମଞ୍ଚରେ ଭବ୍ୟ ସ୍ବାଗତ କରିଥିଲେ। ‘ଲାଲ୍‌ ସିଂ ଚଢ଼ା’ ଚଳଚ୍ଚିତ୍ରର ‘ପା ପାରା ରମ୍‌…’ରୁ ସେ ଏହି ଚିତ୍ତାକର୍ଷକ ସନ୍ଧ୍ୟା ଆରମ୍ଭ କରିଥିଲେ। ଏହା ପରେ ପରେ ‘ୟେସା ପେହ୍‌ଲି ବାର୍‌ ହୁଆ ହୈ ସତ୍‌ରା ଅଠ୍‌ରା ସାଲୋ ମେଁ’, ‘ଦେଖା ତୁମ୍‌କୋ ଜବ୍‌ସେ ବସ୍‌ ଦେଖା ତୁମ୍‌କୋ ୟାରା’, ‘ହସ୍‌ ମତ୍‌ ପଗ୍‌ଲି ପ୍ୟାର୍‌ ହୋ ଯାୟେଗା’, ‘ମୈ ହୁଁ ଦିୱାନା ତେରା’ ଭଳି ଚର୍ଚ୍ଚିତ ଗୀତ ଗାଇ ଲୋକଙ୍କ ମନ ମୋହିଥିଲେ। ‌ତେବେ ଦର୍ଶକ ଅପେକ୍ଷା କରିଥିଲେ ତାଙ୍କ ପ୍ରସିଦ୍ଧ ଓଡ଼ିଆ ଗୀତକୁ। ଯେତେବେଳେ ‘ପୁଚୁକି ଗାଲି…’ ଗୀତର ମ୍ୟୁଜିକ୍‌ ଆରମ୍ଭ ହୋଇଥିଲା, ସେତେବେଳେ ଦର୍ଶକ ସିଟ୍‌ରେ ଆଉ ବସି ପାରିନଥିଲେ। ତା’ ସହିତ ‘ଚାଲ୍ ବେଗି ବେଗି ଯିବା ସଙ୍ଗାତ ରଥ ଟଣା ହେବ ଶେଷ’, ‘ଗୁଣ୍ଡିଚା ଡାକୁଛି ଆ’, ‘ମୃଦଙ୍ଗ ବଜିଲାରେ…’, ‘ଗୋରୀ ଝୁମୁରୁ ଝୁମୁରୁ ତୋର ପାଦ ପାଉଁଜି’ ଗୀତ ବି ମନ୍ତ୍ରମୁଗ୍ଧ କରିଥିଲା।

ଆଜି ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ହୋଇଥିଲା ଗାୟକ ଶଶାଙ୍କ ଶେଖରଙ୍କ ଗାୟନରୁ। ତାଙ୍କର ‘ଜହ୍ନ ଆମକୁ ଦେଖି ଲୁଚିଛି’, ‘ଚାନ୍ଦିନୀ ତୋର ନାଁ’, ‘ହାତ ପାହାନ୍ତାରେ ସେ ଜହ୍ନ’, ‘ଦିୱାନା ହେଲି ତୋ ପାଇଁ’, ‘ନାଲି ଫରକବାଲି’, ‘ମୁଁ ଆୱାରା ମୋ ଦିଲ୍‌ କହେ ମତେ’ ସହିତ ‘ଥିମ୍‌ ସଙ୍ଗ୍‌’ କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହା ପରେ ପରେ ସଞ୍ଚିତା ଶୁଭଦର୍ଶିନୀଙ୍କ କଣ୍ଠରେ ‘ଆଜି ମୁଁ ଶ୍ରାବଣୀ’, ‘ମୋର ମନ ଉଡିଯାଏରେ’, ‘ମେରେ ଢୋଲନା ଶୁନ୍’ ଗୀତରେ ମଧ୍ୟ ସଙ୍ଗୀତପ୍ରେମୀ ଝୁମିଥିଲେ। ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହି କଣ୍ଡଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୃତ୍ୟୁଞ୍ଜୟ ଓ ମୁନ୍‌ମୁନ୍‌ ସଂଯୋଜନା କରିଥିଲେ। ଆଜି ସନ୍ଧ୍ୟାର ଡ୍ରେନ୍‌ ସୋ’କୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ। ପାଖାପାଖି ୧୫ ମିନିଟ୍‌ କାଳ ୨୦୦ ଡ୍ରେନ୍‌ ଆକାଶ ମାର୍ଗରେ ଉଡ଼ି ତାରା ଭଳି ଖଞ୍ଜି ହୋଇ ଜୟ ଜଗନ୍ନାଥ, ଓଡ଼ିଶା ମାନଚିତ୍ରରେ ଓଡ଼ିଆ ଅକ୍ଷର, ଭାଷା ହିଁ ଭବିଷ୍ୟତ, ଆମ ଭାଷା ଆମ ଗୌରବ ଆଦି ରଙ୍ଗୀନ ଆଲୋକମାଳାରେ ଆଙ୍କିଥିଲେ। ମେୟର ସୁଲୋଚନା ଦାସ, ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତି ଥିଲେ। ଅନ୍ୟପଟେ ଶୁକ୍ରବାର ‘ସଙ୍ଗୀତର ମୂର୍ଚ୍ଛନା’ ଉଦ୍‌ଯାପନୀ ସନ୍ଧ୍ୟାରେ ଜୁବିନ୍‌ ନୌଟିଆଲ୍‌ ମୁଖ୍ୟ ଆକର୍ଷଣ ସାଜିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button