ଅପରାଧ

ପୁଲିସ ଏନ୍‌କାଉଣ୍ଟରରେ ମାଓନେତା ଦସୁରୁ ମୃତ: କନ୍ଧମାଳ, ବୌଦ୍ଧରେ ୨୭ରୁ ଅଧିକ ମାମଲା – Kalinga News

[ad_1]

ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କନ୍ଧମାଳ- କଳାହାଣ୍ଡି -ବୌଦ୍ଧ- ନୟାଗଡ଼ (କେକେବିଏନ୍‌) ଡିଭିଜନ୍‌ର କମାଣ୍ଡର୍ ତଥା ବରିଷ୍ଠ ମାଓ ନେତା ଦସୁରୁ ଓରଫ୍‌ ଡୁଡ଼ୁ ମଣ୍ଡାରି ନିହତ ହୋଇଛି। ଫଳରେ କନ୍ଧମାଳ, କଳାହାଣ୍ଡି ଓ ‌ବୌଦ୍ଧ ସୀମାନ୍ତରେ ମାଓ ସଂଗଠନକୁ ବଡ଼ ଝଟ୍‌କା ଲାଗିଛି। ଗତକାଲି କନ୍ଧମାଳ ପୁଲିସ, ଡିଭିଏଫ୍‌, ଏସ୍‌ଓଜି, ବିଏସ୍‌ଏଫ୍‌ ଓ ସିଆର୍‌ପିଏଫ୍‌ ମିଳିତ ଭାବେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଓଡ଼ାବାଲି, ଶିକଟି, ଲାରାବୁରା, ବାଞ୍ଜିପାରା ଓ କାକେରକୁମ୍ପା ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ରାତି ପ୍ରାୟ ୯ଟା ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ପୁଲିସ ଉପରକୁ ଭୀଷଣ ଗୁଳିମାଡ଼ କରିବା ସହ ବୋମା ଫୋପାଡ଼ିଥିଲେ। ପୁଲିସ ପକ୍ଷରୁ ପାଲଟା ଗୁଳିରେ ଦସୁରୁର ମୃତ୍ୟୁ ହୋଇଥିବା ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ଓ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିରେ ଜଣେ ଡିଭିଏଫ୍ ଯବାନ ଜିତେନ୍ଦ୍ର ନାୟକ ଆହତ ହୋଇଛନ୍ତି। ଦସୁରୁ କ୍ୟାମ୍ପ୍‌କୁ ସଂପୂର୍ଣ୍ଣ ଭାବେ ଧ୍ବଂସ କରିଦିଆଯିବା ସହ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଏହାସହ ଦସୁରୁର ଶବକୁ ଉଦ୍ଧାର କରାଯାଇ ଫୁଲବାଣୀ ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ରଖାଯାଇଛି। ଛତିଶଗଡ଼ ରାଜ୍ୟ ସୁକୁମାର ମୂଳବାସିନ୍ଦା ଦସୁରୁ ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ମାଓ କାର୍ଯ୍ୟକଳାପକୁ ସୁଦୃଢ଼ କରିଥିଲା। ତା ନେତୃତ୍ବରେ କେକେବିଏନ୍‌ ମାଓ ଡିଭିଜନ୍ କନ୍ଧମାଳ -କଳାହାଣ୍ଡି – ବୌଦ୍ଧ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଉପସ୍ଥିତି ଜାହିର କରିଆସୁଥିଲେ। ତିନି ଜିଲ୍ଲାର ପୁଲିସ ପାଇଁ ସେ ‘ମୋଷ୍ଟ୍‌ ୱାଣ୍ଟେଡ୍‌’ ମାଓବାଦୀ ଥିବା ବେଳେ ତା’ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲ।। ଦସୁରୁ ନାମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନାରେ ୨୨ଟି ଓ ବୌଦ୍ଧ ଜିଲ୍ଲାରେ ୫ଟି ମାଓ ହିଂସାଜନିତ ମାମଲା ରୁଜୁ ହୋଇଛି।

୨୦୧୯ ସାଧାରଣ ନିର୍ବାଚନ ବେଳେ କନ୍ଧମାଳ ଜିଲ୍ଲା ଲୁଇସିଂ ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଳ ହତ୍ୟାକାଣ୍ଡ ଓ ସୁମେରବନ୍ଧ ପଞ୍ଚାୟତରେ ନିର୍ବାଚନୀ ପୋଲିଂ ପାର୍ଟି ଗାଡ଼ି ପୋଡ଼ି ଘଟଣାର ସେ ମୁଖ୍ୟ ଅଭିଯୁକ୍ତ ଥିଲା। ଏହାସହ ଜିଲ୍ଲାରେ ରବୀନ୍ଦ୍ର ମଲିକ, ଭବାନୀଶଙ୍କର ପାତ୍ର, ହେମନ୍ତ ପାତ୍ର, କୈଳାସ ଦିଗାଲ, ସୁବଳ କହଁର ଓ ନୀଳକଣ୍ଠ ମଲ୍ଲିକ ହତ୍ୟା ମାମଲାରେ ବି ସେ ମୁଖ୍ୟ ଅଭିଯୁକ୍ତ ଥିଲା। ୨୦୧୯ ଭଳି ୨୦୨୪ ନିର୍ବାଚନରେ ବି ହିଂସା ଘଟାଇବାକୁ ସେ ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ବାଲିଗୁଡ଼ା ଥାନା ଅନ୍ତର୍ଗତ କାକେରକୁପା ଓ ଆଖପାଖ ଗାଁକୁ ମାଓବାଦୀମାନେ ଆସି ନିର୍ବାଚନକୁ ବିରୋଧ କରିବାକୁ ସ୍ଥାନୀୟ ଲୋକଙ୍କୁ ବାଧ୍ୟ କରିବା ସହ ଧମକଚମକ ଦେଇଆସୁଥିଲେ। ଏହା ଜଣାପଡ଼ିବା ପରେ ଉକ୍ତ ଇଲାକାରେ ତଲାସି ଅଭିଯାନକୁ ଜୋର୍‌ଦାର କରାଯାଇଥିବା ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଦସୁରୁର କ୍ୟାମ୍ପ୍‌କୁ ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରାଯାଇଥିବା ବେଳେ ସେଠାରୁ ୩୦୩ ରାଇଫଲ୍‌, ୩ଟି ଜିଲୋଟିନ୍‌ ଷ୍ଟିକ୍‌, ୨ ମିଟର କୋଡେକ୍ସ, ବିଜୁଳି ତାର, ମାଓ ପତ୍ରିକା, ସୋଲାର୍ ପ୍ଲେଟ୍‌, ୩ଟି ହାଭରସାକ୍‌, ଔଷଧ, ୫ ମିଟର ଦଉଡ଼ି, ପ୍ଲାଷ୍ଟିକ୍ ଜାର୍କିନ୍, ବାଲ୍‌ଟି, କମ୍ବଳ, ଲୁଙ୍ଗି ଓ ପୋଷାକ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ତିନି ଜିଲ୍ଲାର ସୀମାନ୍ତ‌ରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଥିବା ଆଇଜି ଓ ଏସ୍‌ପି ସୂଚନା ଦେଇଛନ୍ତି। କେକେବିଏନ୍‌ ଡିଭିଜନ୍ ଦାୟିତ୍ବ ନେବ ଦସୁରୁର ପତ୍ନୀ !

ଗୁଳି ବିନିମୟରେ ଦସୁରୁ ନିହତ ହେବାପରେ କେକେବିଏନ୍‌ ମାଓ ଡିଭିଜନ୍‌ର ଦାୟିତ୍ବ ତା’ର ସ୍ତ୍ରୀ ମମତା ହାତକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସ୍ବାମୀର ମୃତ୍ୟୁ ପରେ ସେ ପ୍ରତିଶୋଧ ପରାୟଣ ହୋଇ ବଡ଼ଧରଣର ହିଂସା ପାଇଁ ଯୋଜନା ପ୍ରସ୍ତୁତ କରିପାରେ ‌ବୋଲି ସନ୍ଦେହ କରାଯାଉଛି। କାରଣ କନ୍ଧମାଳରେ ହିଁ ଏହି ଡିଭିଜନ୍‌ର ସବୁଠୁ ବଡ଼ ମାଓ କରିଡର୍ ଏବେ ସକ୍ରିୟ ହୋଇ ରହିଛି। କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତ କୋଟଗଡ଼ ବ୍ଲକ୍‌ର ଶ୍ରୀରାମପୁର, ସୁବର୍ଣ୍ଣଗିରି, ଆମ୍ବାଦଳା ଠାରୁ ଆରମ୍ଭ କରି କନ୍ଧମାଳ-କଳାହାଣ୍ଡି ସୀମାନ୍ତବର୍ତ୍ତୀ ତୁମୁଡ଼ିବନ୍ଧ ବ୍ଲକ୍‌ର ଭଣ୍ଡରଙ୍ଗି, ବେଲଘର, ଝିରିପାଣି, ଲଙ୍କାଗଡ଼ ଏବଂ କନ୍ଧମାଳ-କଳାହାଣ୍ଡି ସୀମାର ଏମ୍‌. ରାମପୁର, ବାଲିଗୁଡ଼ା ବ୍ଲକ୍‌ର ବାରଖମା, ଖମନଖୋଲ, ଗୁମୁଡ଼ୁମାହା, କୁନାସାଲୁ ଏବଂ କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଫିରିଙ୍ଗିଆ ବ୍ଲକ୍‌ର ସାଡ଼ିଙ୍ଗିଆ, ସୁମେରବନ୍ଧ, ଗୋଛାପଡ଼ା, ବାଲନ୍ଦାପଡ଼ା, ପାଇରାଜୁ, ପକାରି, ଲୁଇସିଂ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଜଙ୍ଗଲ ଅଞ୍ଚଳରେ ଏହି ସଂଗଠନ ବହୁବାର ନିଜ ଉପସ୍ଥିତି ଜାହିର୍ କରିବାର ନଜିର୍ ରହିଛି। ବିଶେଷକରି କନ୍ଧମାଳ କରିଡର୍‌ରେ ମାଓ ନେତା ନିଖିଲ, ବଣ୍ଟି, ବିଜୟ, ଅନୀଲ ଏବଂ ମାଓ ନେତ୍ରୀ ମମତାଙ୍କ ନେତୃତ୍ବରେ ମାଓବାଦୀମାନେ ବେଶ୍‌ ସକ୍ରିୟ ରହିଛନ୍ତି। ତେବେ ଦସୁରୁର ନିପାତ ପରେ ସଂଗଠନକୁ ବଡ଼ ଝଟ୍‌କା ଲାଗିଛି। ଗତ ୧୫ ଦିନ ଧରି କନ୍ଧମାଳ ଓ ବୌଦ୍ଧ ପୁଲିସ ପକ୍ଷରୁ କନ୍ଧମାଳ ଓ ବୌଦ୍ଧ ସୀମାନ୍ତ ବିଭିନ୍ନ ଜଙ୍ଗଲରେ କମ୍ବିଂ ଅପରେସନ୍ ଚାଲିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button