ମନୋରଞ୍ଜନ

ପାବାରରେ ଫେରିବ କି ଲଭ୍‌ ଷ୍ଟେସନ୍‌ର ଯାଦୁ – Kalinga News

[ad_1]

ପ୍ରତିଭାବାନ୍ ନିର୍ଦ୍ଦେଶକ ଅଶୋକ ପତି, ଲୋକପ୍ରିୟ ନାୟକ ବାବୁସାନ୍ ଓ ନାୟିକା ଏଲିନାଙ୍କୁ କହାଯାଏ ଓଲିଉଡ୍‌ର ସୁପରହିଟ୍ ତିକଡି। ଏହି ତିକଡି ଅତୀତରେ ‘ଲଭ୍ ଷ୍ଟେସନ୍’ ଫିଲ୍ମ ଜରିଆରେ ବକ୍ସ ଅଫିସରେ ଧମାଲ୍ କରିଥିଲେ। ୨୦୧୬ରେ ମୁକ୍ତିଲାଭ କରିଥିବା ତରଙ୍ଗ ସିନେପ୍ରଡକସନ୍ସ ପ୍ରଯୋଜିତ ‘ଲଭ୍ ଷ୍ଟେସନ୍’କୁ ମିଳିଥିଲା ଅପାର ବ୍ୟାବସାୟିକ ସଫଳତା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ଏବଂ ଏଥିରେ ପ୍ରଥମ ଥର ଲାଗି ବାବୁସାନ୍ ଓ ଏଲିନା ଯୋଡ଼ିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏହାର ସଫଳତା ପଛରେ ଅଭିଜିତ ମଜୁମଦାରଙ୍କ ସଙ୍ଗୀତର ଅବଦାନ ବି କିଛି କମ୍ ନ ଥିଲା। ହେଲେ ଏଥର ଅଭିଜିତ ବାଦ୍ ପଡ଼ିଛନ୍ତି।

ପୁଣି ଅଶୋକ ପତି, ବାବୁସାନ୍ ଓ ନାୟିକା ଏଲିନା ଏକାଠି ହୋଇଛନ୍ତି ‘ପାବାର୍’ରେ। ତୃପ୍ତି ଶତପଥୀଙ୍କ ପ୍ରଯୋଜନାରେ ପ୍ରସ୍ତୁତ ‘ପାବାର’ରେ ଗୌରବ ଆନନ୍ଦ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅମିତ କୁମାର ଦାସ ଓ ପ୍ରଣବ ପ୍ରସନ୍ନ ରଥ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ସମ୍ବିତ ଜେନା ଏହି ସିନେମାର ଲାଇନ୍ ପ୍ରଡ୍ୟୁସର୍। ‘ପାବାର୍’ ରାଜନୈତିକ କାହାଣୀକୈନ୍ଦ୍ରିକ ହାସ୍ୟରସାତ୍ମକ ଛବି। ଅପରପକ୍ଷରେ ‘ଲଭ୍ ଷ୍ଟେସନ୍’ ଥିଲା ଏକ ପ୍ରେମ କାହାଣୀ ଆଧାରିତ କମେଡି ସିନେମା। ଭିନ୍ନ ରୁଚିର ଛବି ହେଲେ ବି ଏହା ଯେପରି ଦର୍ଶକୀୟ ସମର୍ଥନ ଲାଭ କରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ ଅଶୋକ ପତି।

ଉଲ୍ଲେଖଯୋଗ୍ୟ, ଅଶୋକ-ବାବୁସାନ୍ ଯୋଡ଼ି ‘ସୁପର ମିଛୁଆ’, ‘ସଂଜୁ ଆଉ ସଂଜନା’, ‘ଲଭ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ଇଡିଅଟ୍’, ‘ଲୋଫର୍’, ‘୧୪୩-ଆଇ ଲଭ୍ ୟୁ’, ‘ଶ୍ରୀମାନ୍ ସୁରଦାସ’, ‘ସିଷ୍ଟର୍ ଶ୍ରୀଦେବୀ’, ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ଗୋଲମାଲ୍ ଲଭ୍’, ‘ଅଜବ ସଂଜୁର ଗଜବ ଲଭ୍‌’ ଓ ‘ମିଷ୍ଟର ମଜନୁ’ ଆଦି ସିନେମାରେ ଆଗରୁ କାମ କରିଛନ୍ତି। ଅଶୋକ-ବାବୁସାନ୍ ଯୋଡ଼ି ଅଧିକାଂଶ ଥର ହିଟ୍ ସାବ୍ୟସ୍ତ ହୋଇଛନ୍ତି। ‘ପାବାର’ରେ ସେହି ଧାରା କାଏମ ରହିବ ବୋଲି ଆଶା କରାଯାଉଛି। ଏହି ହିଟ୍ ଯୋଡ଼ିର ଶେଷ ସିନେମା ଥିଲା ‘ମିଷ୍ଟର ମଜନୁ’(୨୦୧୯)। ପ୍ରାୟ ୫ ବର୍ଷ ପରେ ଦୁହେଁ ପୁଣି ଏକାଠି କାମ କରୁଛନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ, ବାବୁସାନ୍-ଏଲିନା ଯୋଡ଼ି ଅନ୍ୟ ଏକ ସିନେମା ‘ଝିଅଟା ବିଗିଡ଼ିଗଲା’ରେ ନଜର ଆସିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button