ରାଜନୀତି

ପୁଣି ଏନ୍‌ଡିଏ ଶରଣରେ ନୀତୀଶ: ମୁଖ୍ୟମନ୍ତ୍ରୀ ଭାବେ ୯ମ ଥର ଶପଥ ନେଲେ – Kalinga News

[ad_1]

ଯେଉଁଠି ଥିଲି, ସେଠାକୁ ଫେରିଲି, ଆଉ ଏପଟସେପଟ ହେବିନି

ପାଟନା: ଗତ କିଛି ଦିନ ଧରି ଚାଲିଥିବା ସମସ୍ତ ଅନିଶ୍ଚିତତାର ଆଜି ଅବସାନ ଘଟାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆର୍‌ଜେଡି, କଂଗ୍ରେସ ଓ ଅନ୍ୟ ଦଳମାନଙ୍କୁ ନେଇ ଗଠିତ ମହାମେଣ୍ଟ ଛାଡ଼ି ସେ ପୁଣି ମୋଦୀଙ୍କ ହାତ ଧରିଛନ୍ତି। ପୂର୍ବାନୁମାନ ଅନୁଯାୟୀ ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ସମର୍ଥନରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିଲେ। ସନ୍ଧ୍ୟା ସୁଦ୍ଧ‌ା ତାଙ୍କ ନେତୃତ୍ବରେ ନୂ୍ଆ ମନ୍ତ୍ରିମଣ୍ଡଳ ଶପଥ ନେଇଛି। ନବମ ଥର ଲାଗି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେ‌ଳେ ବିଜେପିର ଦୁଇ ଜଣ ନେତା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ନୀତୀଶଙ୍କୁ ଶପଥ ପାଠ କରାଇଥିଲେ। ତାଙ୍କ ସହିତ ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଏବଂ ବରିଷ୍ଠ ବିଜେପି ନେତା ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୀତୀଶଙ୍କ ସହିତ ମୋଟ ୮ ଜଣ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ଜେଡିୟୁର ୩, ବିଜେପିର ୩ ଓ ଏଚ୍‌ଏଏମ୍‌ର ଜଣେ ଏବଂ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେପିର ଦୁଇ ଟାଣୁଆ ନେତା ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏଥର ମେଣ୍ଟ ସରକାର ପୂର୍ବର ଜେଡିୟୁ-ବିଜେପି ମେଣ୍ଟ ଭଳି ନୀତୀଶଙ୍କ ଏକଚାଟିଆ ନିଷ୍ପତ୍ତିରେ ଚାଲିବ ନାହିଁ ବୋଲି କୁହାଯାଉଛି। ଶପଥ ଗ୍ରହଣ ପରେ ନୀତୀଶ ଗଣମାଧ୍ୟମକୁ କହିଛନ୍ତି-‘ମୁଁ ପୂର୍ବରୁ ଯେଉଁଠି ଥିଲି ଏବେ ସେଠାକୁ (ଏନ୍‌ଡିଏକୁ) ଫେରିଲି। ମୋର ଆଉ ମେଣ୍ଟ ବଦଳାଇବାର ନାହିଁ। ଏନ୍‌ଡିଏ ମେଣ୍ଟ ହିଁ ବିହାରର ବିକାଶ କରିପାରିବ ଏବଂ ଆମେ ତାହା ଜାରି ରଖିବୁ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଏକ୍ସରେ ଏକ ପୋଷ୍ଟ କରି ନୂଆ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ବିକାଶ ଓ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଏନ୍‌ଡିଏ ସରକାର କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ ‌ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ଟିମ୍‌ ସମ୍ପୂର୍ଣ୍ଣ ନିଷ୍ଠାର ସହ ରାଜ୍ୟବାସୀଙ୍କ ସେବା କରିବା ନେଇ ମୋର ବିଶ୍ବାସ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମେଣ୍ଟ ବଦଳାଇବାରେ ଓସ୍ତାଦ ନୀତୀଶଙ୍କୁ ନେଇ ଏବେ ଘମାଘୋଟ ଚର୍ଚ୍ଚା ଚାଲିଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ପଞ୍ଚମ ଥର ଏବଂ ଦୁଇ ବର୍ଷରେ ଦ୍ବିତୀୟ ଥର ପାଇଁ ନୀତୀଶ ମେଣ୍ଟ ବଦଳାଇଛନ୍ତି। ୭୨ ବର୍ଷୀୟ ନୀତୀଶଙ୍କ ଏଭଳି ସୁବିଧାବାଦୀ ରାଜନୀତି ପାଇଁ ଅନେକ ତାଙ୍କୁ ‘ପଲ୍‌ଟୁ କୁମାର’ ବୋଲି କହୁଛନ୍ତି। ନୀତୀଶ ଶେଷ ଥର ପାଇଁ ୨୦୨୨ରେ ବିଜେପିରୁ ଅଲଗା ହୋଇ ଆର୍‌ଜେଡି-କଂଗ୍ରେସ ସହ ହାତ ମିଳାଇ ସରକାର ଗଠନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଚିନ୍ତିତ ଥିଲେ ଯେ ଶିବସେନା ସହ ମହାରାଷ୍ଟ୍ର ଭଳି ବିଜେପି ତାଙ୍କ ଜେଡିୟୁରେ ବିଭାଜନ ସୃଷ୍ଟି କରିପାରେ। ଆଜି ପୁଣି ଥରେ ଏନ୍‌ଡିଏରେ ଯୋଗ ଦେବା ସମୟରେ ସେ ବିରୋଧୀ ଦଳ ତଥା ଇଣ୍ଡିଆ ମେଣ୍ଟକୁ ନେଇ ନିରାଶା ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ନୀତୀଶ ଗଣମାଧ୍ୟମକୁ କହିଥିଲେ ଯେ ଆମେ ଯେଉଁ ନୂଆ ମହାମେଣ୍ଟ ଅଗଷ୍ଟ ୨୦୨୨ରେ ଗଠନ କରିଥିଲୁ ତାହା ଭଲ ସ୍ଥିତିରେ ନାହିଁ। ଏହାର ଭବିଷ୍ୟତ ଭଲ ଦେଖାଯାଉନାହିଁ। ସେ କହିଥିଲେ ଯେ ସଫଳ ମେଣ୍ଟ କରିବା ପାଇଁ ମୁଁ କଠିନ ପରିଶ୍ରମ କରିଛି, କିନ୍ତୁ ଅନ୍ୟ କେହି (ମେଣ୍ଟରେ) କିଛି କରିନାହାନ୍ତି। ଇଣ୍ଡିଆ ମେଣ୍ଟକୁ ନେଇ ଲୋକେ ଖୁସି ନୁହନ୍ତି ବୋଲି ସେ ଗଣମାଧ୍ୟମକୁ କହିଥିଲେ। ଅନ୍ୟପକ୍ଷରେ ‘ଇଣ୍ଡିଆ’ ମେଣ୍ଟରେ ନିର୍ବାଚନ ପ୍ରସ୍ତୁତିରେ ସ୍ପଷ୍ଟତା ନଥିବା ଏବଂ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନୀତୀଶଙ୍କୁ ଘୋଷଣା କରିବା ନେଇ ସାମାନ୍ୟ ସୁରାକ୍‌ ବି ନମିଳିବାରୁ ନୀତୀଶ ନିଜ ରାଜନୈତିକ ସ୍ବାର୍ଥ ପାଇଁ ପୁଣି ଏନ୍‌ଡିଏକୁ ଫେରିଥିବା କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button