ଅପରାଧ

ଘର ଭିତରେ ଚୋର: ଛକି ରହୁଛନ୍ତି, ବେଳଉଣ୍ଡି ଲୁଟୁଛନ୍ତି – Kalinga News

[ad_1]

ଭୁବନେଶ୍ବର: ରାଜଧାନୀର ବଡ଼ ବଡ଼ ସରକାରୀ କ୍ବାଟର୍ସ, ଅନ୍ୟ ଘର ତଥା ଆପାର୍ଟମେଣ୍ଟଗୁଡ଼ିକୁ ଏବେ ଚୋର ଓ ଲୁଟେରା ଟାର୍ଗେଟ କରୁଛନ୍ତି। ସେମାନେ ବିଭିନ୍ନ ବାହାନାରେ ଆପାର୍ଟମେଣ୍ଟ ଓ ଘର ପରିସର ମଧ୍ୟକୁ ପଶି ଛକି ରହି ଲୋକଙ୍କ ଉପରେ ନଜର ରଖୁଛନ୍ତି। ଘରେ କେଉଁଠି କଣ ରହିଛି, କିଏ କେତେବେଳେ ଯାଉଛି ବା ଆସୁଛି ଆଦିର ସୂଚନା ସଂଗ୍ରହ କରୁଛନ୍ତି। ପରେ ସୁବିଧା‌ ଦେଖି ଅତି ସହଜରେ ଘରେ କଳାକନା ବୁଲାଇ ଫେରାର ହୋଇଯାଉଛନ୍ତି। ରାଜଧାନୀରେ ଗତ କିଛିଦିନ ମଧ୍ୟରେ ଏଭଳି ଏକାଧିକ ଘଟଣା ଘଟିବାପରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିଛି। ଗତ ସୋମବାର ରାତିରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଚୋରି ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ମାମଲାର ତଦନ୍ତ କରି ଜାଣିଥିଲା ଯେ ସୋମବାର ରାତି ପ୍ରାୟ ସାଢ଼େତିନି ଯାଏଁ ଘରର ଲୋକେ ଚାହିଁଥିଲେ। ଏହାସହ ଯେଉଁ ଘରୁ ଚୋରି ହୋଇଛି, ସେହି ଘ‌ରେ ସ୍ବାମୀ ସ୍ତ୍ରୀ ଶୋଇବା ସହିତ ଆଲମିରା ଚାବି ମହିଳାଙ୍କ ତକିଆ ତଳେ ରଖାଯାଇଥିଲା। ଆଲମିରା କିମ୍ବା ଘର ମଧ୍ୟରେ କିଛି ଭଙ୍ଗାରୁଜା ନକରି ଚୋରମାନେ ଆଲମିରା ଖୋଲି ପ୍ରାୟ ୧୦ ଲକ୍ଷ ଟଙ୍କା ଓ ଅଳଙ୍କାର ଚୋରି କରିନେଇଥିବା ଖଣ୍ଡଗିରି ଥାନା‌ରେ ଅଭିଯୋଗ ହୋଇଛି। ‌ତେଣୁ ଚୋରମାନେ ପୂର୍ବରୁ ଘର ମଧ୍ୟ‌‌ରେ କିମ୍ବା ଘର ପରିସରରେ ରହି ଘର ଲୋକଙ୍କ ଉପରେ ନଜର ରଖି‌ଥିଲେ ବୋଲି ସନ୍ଦେହ କରା ଯାଉଛି।

ଏହାସହ ରାତିରେ କେଉଁ ଦ୍ବାର ‌ଖୋଲାରହୁଛି, ଘରର ଡବଲ୍‌ ଚାବି କେଉଁଠି ରହୁଛି- ଏସବୁ ମଧ୍ୟ ଚୋରମାନେ ଜାଣି ଥିବା ସନ୍ଦେହ କରାଯାଉଛି। ନିକଟ ଅତୀତରେ ବିଭିନ୍ନ ସରକାରୀ କ୍ବାଟର୍ସ ଓ ଆପାର୍ଟମେଣ୍ଟଗୁଡ଼ିକରୁ ଯେଉଁ ଚୋରି ହୋଇଛି, ସେଥିରେ ମଧ୍ୟ ଉଣାଅଧିକ ସମାନ ଚିତ୍ର ଦେଖିବାକୁ ମିଳିଛି। ତେଣୁ ଏହା ରାଜଧାନୀରେ ଲୁଟ୍‌ର ନୂଆ ତରିକା ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ପୁଲିସ ମାମଲାଗୁଡ଼ିକୁ ସେହି ଦୃଷ୍ଟିକୋଣରୁ ତଦନ୍ତ କରୁଛି। ଜଣେ ଅଭିଜ୍ଞ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରାଜଧାନୀର ଅଧିକାଂଶ ଅଞ୍ଚଳରେ ଭଡ଼ାଟିଆ ତଥା ବାହାରୁ ଆସିଥିବା ଲୋକ ରହୁଥିବାରୁ କଲୋନି ଓ ଆପାର୍ଟମେଣ୍ଟର ‌ବାସିନ୍ଦାଙ୍କ ଭିତରେ ବିଶେଷ ପରିଚୟ ରହୁନି। ତେଣୁ ବାହାର ଲୋକଟିଏ ଭିତରେ ପଶିଲେ, କେହି ଜାଣି ପାରୁନାହାନ୍ତି। ରାସ୍ତାରେ ଅଜଣା ଲୋକଟିଏକୁ ଦେଖିଲେ ଲୋକେ ଭାବୁଛନ୍ତି- ହୁଏତ ସେ ପାଖଆଖର କୌଣସି ଘରେ ରହୁଥିବ! ଚୋରମାନେ ଏହି ସୁଯୋଗରେ ନିର୍ଭୟରେ ବୁଲି ଟାର୍ଗେଟ୍‌ ଠିକ୍ କରୁଛନ୍ତି।

ଏହାସହ ଘର ଚାରିପଟେ ଲୋକମାନେ ଉଜ୍ବଳ ଆଲୋକ ତ ଲଗାଉ ନାହାନ୍ତି, ବରଂ ଚୋରକୁ ସୁବିଧା ହେବାଭଳି ବଡ଼ ବଡ଼ ଓ ଘଞ୍ଚ ସୋ’ ଗଛ ଲଗାଉଛନ୍ତି। ଫଳରେ ଘର ଚାରିପଟେ ରାତିରେ ଅନ୍ଧାର ରହୁଛି। ଚୋର ସହଜରେ ଆସି ଘରର ପରିସର ମଧ୍ୟରେ ଛକି ରହିଲେ ସୁଦ୍ଧା କେହି ଜାଣି ପାରୁନାହାନ୍ତି। ଚୋର ଘର ପାଚେରି ମଧ୍ୟରେ ରହୁଥିବାରୁ ପୁଲିସ ପାଟ୍ରୋଲିଂରୁ ମଧ୍ୟ ବର୍ତ୍ତି ଯାଉଛନ୍ତି। ଏହାସହ ଯେଉଁ ଘରର ଅତିକମ୍‌ରେ ଗୋଟିଏ ପାଖରେ ପଡ଼ିଆ ଓ ବିଲ ଭଳି ଫାଙ୍କା ସ୍ଥାନ ରହୁଛି, ‌ସେହିଭଳି ଘରକୁ ସେମାନେ ଟାର୍ଗେଟ କରୁଛନ୍ତି। ଯେପରି କେହି ଦେଖିଲେ କିମ୍ବା ଚୋରି କରିବା ପରେ ଚୋର ସେହି ବାଟେ ଖସି ଯାଉଛନ୍ତି। ପରେ ସୁଯୋଗ ଦେଖି ଘରେ କଳାକନା ବୁଲାଇ ଦେଉଛନ୍ତି।

ଉଲ୍ଲେଖନୀୟ ଯେ ନିକଟରେ ଖଣ୍ଡଗିରି, ଜାଗମରା, ମଞ୍ଚେଶ୍ବର ଓ ଲକ୍ଷ୍ମୀସାଗର ଅଞ୍ଚଳରେ କିଛି ‌ଲୋକ ସନ୍ଦେହଜନକ ଭାବେ ଘରର ପରିସର ମଧ୍ୟରେ ଲୁଚି ରହିଥିବାର ଅଭିଯୋଗ ହୋଇଛି। ଏନେଇ ଡିସିପି ପ୍ରତୀକ ସିଂହ କହିଛନ୍ତି, ରାଜଧାନୀର ଯେଉଁସବୁ ଅଞ୍ଚଳରେ ଏଭଳି ଘଟଣା ଘଟୁଛି, ସେଠାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ ସହିତ ଆଲୋକୀକରଣ ଓ ସିସିଟିଭି ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button