ରାଜନୀତି

୩୯ ବର୍ଷ ପରେ ବିଧାନସଭା ନିର୍ବାଚନରେ ଭକ୍ତ: ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଫୋକସ୍‌ – Kalinga News

[ad_1]

୮ ରାଜ୍ୟର ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ମନୋନୀତ

ଭବାନୀପାଟଣା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ୮ଟି ରାଜ୍ୟର କଂଗ୍ରେସ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ବୁଧବାର କଳାହାଣ୍ଡିରେ ପହଞ୍ଚିବା ପରେ ତାଙ୍କୁ ଭବାନୀପାଟଣା ସହରରେ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ଭକ୍ତ ଚରଣ ଦାସ କଳାହାଣ୍ଡି ଜିଲ୍ଲାର ନର୍ଲା ବିଧାନସଭା ଉପରେ ନିଜର ଫୋକସ କରିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ସାଧାରଣସଭାରେ ବିଧାୟକ ଭାବେ ପ୍ରାର୍ଥୀ ହେବେ ବୋଲି ନିଜ ଅଭିଭାଷଣରେ ବାରମ୍ବାର କହିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସରଗରମ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ସେ ଆଉ ଲୋକସଭା ନିର୍ବାଚନ ଲଢ଼ିବେନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଶ୍ରୀ ଦାସ ୧୯୭୮ ମସିହାରେ ଭବାନୀପାଟଣା ସରକାରୀ କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରେ ସମ୍ବଲପୁର ଏଲ୍‌ଆର୍ ଲ’କଲେଜ ଛାତ୍ରସଂସଦ ସଭାପତି ମଧ୍ୟ ହୋଇ ପଶ୍ଚିମ ଓଡ଼ିଶା ଛାତ୍ର ରାଜନୀତିରେ ଚର୍ଚ୍ଚିତ ହୋଇଥିଲେ। ୧୯୮୦–୮୪ ମସିହାରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଦାରିଦ୍ରୢ ଓ ମରୁଡ଼ିକୁ ନେଇ ଆନ୍ଦୋଳନ କରିଥିଲେ। ୧୯୮୩ ମସିହାରେ ଚାଷୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ୧୯୮୫ରେ କଂଗ୍ରେସ ସପକ୍ଷରେ ଇନ୍ଦିରା ହତ୍ୟାଜନିତ ପ୍ରବଳ ଅନୁକମ୍ପା ହାୱା ସତ୍ତ୍ବେ ଭକ୍ତ ଜନତା ପାର୍ଟି ଟିକଟରେ ଲଢ଼ି ବହୁବର୍ଷର ମନ୍ତ୍ରୀ ଦୟାନିଧି ନାୟକଙ୍କୁ ଭବାନୀପାଟଣା ଆସନରେ ହରାଇ ଜାଏଣ୍ଟ କିଲର୍ ସାଜିଥିଲେ। ସେ ବିଧାୟକ ଥିବା ସମୟରେ ବିଧାନସଭାରେ ମାଇକ ଭାଙ୍ଗି ଚର୍ଚ୍ଚାର ପରିସରକୁ ଆସିଥିଲେ। ୧୯୮୯ରେ କଳାହାଣ୍ଡି ଲୋକସଭା ଆସନରୁ ଜିଣି ଭିପି ସିଂହଙ୍କ ସରକାରରେ ଉପମନ୍ତ୍ରୀ ଓ ୧୯୯୦ରେ ଚନ୍ଦ୍ରଶେଖର ସରକାରଙ୍କ ମନ୍ତ୍ରିମଣ୍ଡଳରେ ରେଳ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୯୬ରେ ଏକରକମ ସ୍ବାଧୀନ ପ୍ରାର୍ଥୀ ଭାବେ ସମତା ପାର୍ଟି ଟିକଟରେ କଳାହାଣ୍ଡି ଲୋକସଭା ଆସନରୁ ଜିଣିବା ଏକ ବଡ଼ ଉପଲବ୍‌ଧି ଥିଲା। ୨୦୦୯ରେ ଶେଷଥର ପାଇଁ ସେ କଂଗ୍ରେସ ଟିକଟରେ କଳାହାଣ୍ଡି ଆସନରୁ ଶେଷଥର ପାଇଁ ଜିତିଥିଲେ। ଅତୀତରେ ସେ ନିୟମଗିରି ଆନ୍ଦୋଳନରେ ଆଦିବାସୀମାନଙ୍କୁ ଏକଜୁଟ କରି ବିଭିନ୍ନ ଆନ୍ଦୋଳନ କରିଥିଲେ। ଜିଲ୍ଲାରେ ବିଭିନ୍ନ ଦଳରେ ବହୁ ଯୁବନେତାଙ୍କୁ ସେ ସୃଷ୍ଟି କରିଥିଲେ ମଧ୍ୟ ତାଙ୍କ ନିଜ କ୍ୟାରିୟର ଅସ୍ଥିରତା ମଧ୍ୟ ଦେଇ ଗତିକରିଆସିଛି। ଅନ୍ୟପକ୍ଷରେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇବା ସହ ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ବ ପାଇଥିଲେ ହେଁ ସେ କ୍ରମାଗତ ଲୋକସଭା ନିର୍ବାଚନ ହାରିବା ଦ୍ବାରା ଏଥର ବିଧାନସଭା ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୮୧ ହଜାର ଆଦିବାସୀ ଭୋଟର୍‌ ଅଛନ୍ତି। ସେମାନଙ୍କୁ ନିଜ ସପକ୍ଷକୁ ଆଣିବାକୁ ସେ ନର୍ଲାକୁ ଫୋକସ କରିଛନ୍ତି। ଡିସେମ୍ବର ୧୭ ରେ ମଦନପୁର ରାମପୁରଠାରେ କଂଗ୍ରେସ ସମାବେଶରେ ଯୋଗ ଦେଇ ନର୍ଲାରୁ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ। ଭବାନୀପାଟଣା ସଦର ବିଧାନସଭା ମଣ୍ଡଳୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାବେଳେ କଂଗ୍ରେସରୁ ତାଙ୍କ ପୁଅ ସାଗର ଚରଣ ଦାସ କଂଗ୍ରେସ ପ୍ରାର୍ଥୀ ହେବାକୁ ଥିବା ଯୋଗୁଁ ଭକ୍ତ ନର୍ଲା ଉପରେ ଫୋକସ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ୨୮ ପ୍ରତିଶତ ଆଦିବାସୀ ଭୋଟକୁ କଂଗ୍ରେସ ସପକ୍ଷକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କୁ କଂଗ୍ରେସ ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଜେପି ପକ୍ଷରୁ ଅଯୋଧ୍ୟାର ଜୟ ଶ୍ରୀରାମ ଓ ବିଜେଡି ପକ୍ଷରୁ ପୁରୀର ଜୟ ଜଗନ୍ନାଥକୁ ଚେକ୍‌ମେଟ ଦେବା ପାଇଁ କଳାହାଣ୍ଡିରେ ଭକ୍ତଙ୍କ ଆଦିବାସୀ କାର୍ଡ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଦୀର୍ଘ ଦିନ ପରେ ଭକ୍ତ ଲୋକସଭା ଆସନ ପରିବର୍ତ୍ତେ ବିଧାନସଭା ପାଇଁ ମନବଳାଇବା କଂଗ୍ରେସ ମହଲରେ ଉତ୍ସାହ ଆଣି ଦେଇଛି। ବିଭିନ୍ନ ସଭା ସମିତିରେ ଭକ୍ତ ଦାସଙ୍କ ନର୍ଲା ଉପରେ ଫୋକସ ନେଇ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଖୋଲାଖୋଲି କହିବା ଘଟଣା ଜିଲ୍ଲା ରାଜନୀତିରେ ନୂଆମୋଡ଼ ଆଣିଛି। ନର୍ଲା ବିଧାନସଭାମଣ୍ଡଳୀରେ ରେଳୱାଗନ କାରଖାନା ପରିବର୍ତ୍ତନ ହୋଇ ଲୋକୋମୋଟିଭ କାରଖାନା ନିର୍ମାଣ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବା ଯୋଗୁଁ ଭକ୍ତଙ୍କ ସମର୍ଥକମାନେ ଏହାକୁ ପ୍ରମୁଖ ନିର୍ବାଚନ ପ୍ରସଙ୍ଗ କରିବାକୁ ଯାଉଛନ୍ତି। ଆଗକୁ ଭକ୍ତ ଦାସଙ୍କ ପ୍ରାର୍ଥିତ୍ବ ଚର୍ଚ୍ଚାକୁ ନେଇ ଉଭୟ ବିଜେଡି ଓ ବିଜେପି କଣ ରଣନୀତି ନେଉଛନ୍ତି ଏହାଉପରେ ସମସ୍ତଙ୍କ ନଜର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button