ଏଥର ବି ୫୦% ସାଂସଦଙ୍କ ଟିକଟ କାଟିବ ବିଜେପି – Kalinga News

[ad_1]
ନୂଆଦିଲ୍ଲୀ, ୯/୧: ଆସନ୍ତା ସାଧାରଣ ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନିର୍ବାଚନରେ ମୁଖ୍ୟ ମୁକାବିଲା ବିଜେପି ନେତୃତ୍ବାଧୀନ ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟ ଓ ଅନ୍ୟ ବିରୋଧୀ ଦଳ ସହିତ ହେଉଛି। ନିର୍ବାଚନ ତାରିଖ ଘୋଷଣା ଆଗରୁ ବିଜେପି ଏହାର ସହଯୋଗୀମାନଙ୍କ ସହିତ ମିଶି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଆସନ ବୁଝାମଣା ଅାଲୋଚନା ଆରମ୍ଭ କରିଦେଲାଣି। ଅନ୍ୟପକ୍ଷରେ ବିରୋଧୀ ଦଳ ଏବେ ବି ଆସନ ବୁଝାମଣାକୁ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଉଲ୍ଲେଖନୀୟ ସଫଳତାକୁ ଆଧାର କରି ବିଜେପି ଲୋକସଭା ନିର୍ବାଚନ ମଇଦାନରେ ଓହ୍ଲାଇବାକୁ ରଣନୀତି ଚୂଡ଼ାନ୍ତ କରିବାକୁ ବସିଛି। ନିର୍ବାଚନରେ ଭୋଟ୍ ହାର ୩୭.୭ ପ୍ରତିଶତରୁ (୨୦୧୯) ୪୭ ପ୍ରତିଶତକୁ ବୃଦ୍ଧି କରିବା ଲାଗି ବିଜେପି ଲକ୍ଷ୍ୟ ଧାର୍ଯ୍ୟ କରିଛି। କେବଳ ଏତିକି ନୁହେଁ, ଏଥର ୩୫୦ରୁ ଅଧିକ ଆସନ ପାଇବା ଲାଗି ଯୋଜନା କରିଛି। ଗତ ନିର୍ବାଚନରେ ବିଜେପିକୁ ମିଳିଥିଲା ୩୦୩ ଆସନ। ୧୯୮୪ରେ କଂଗ୍ରେସ ସର୍ବାଧିକ ୪୧୪ ଆସନ କରିଥିଲା। ଏହି ରେକର୍ଡ ରାଜୀବ ଗାନ୍ଧୀଙ୍କ ନାଁରେ ରହିଛି। ଏହି ନିର୍ବାଚନ ରାଜୀବଙ୍କ ନେତୃତ୍ବରେ କଂଗ୍ରେସ ଲଢ଼ିଥିଲା। ସେହିଭଳି ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ନେତୃ୍ତ୍ବରେ କଂଗ୍ରେସ ୩୫୨ ଆସନ ହାସଲ କରିଥିଲା। ଏହି ରେକର୍ଡ ଛୁଇଁବା ଲାଗି ବିଜେପି ଲାଗି ପଡ଼ିଛି। ଉତ୍ତର ପ୍ରଦେଶ, ଗୁଜରାଟ, ହରିଆଣା, ଦିଲ୍ଲୀ, ହିମାଚଳ ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକକୁ ସ୍ବତନ୍ତ୍ର ଫୋକସରେ ରଖିଛି। ଏହାସହିତ ଦକ୍ଷିଣ ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି।
ବିଜେପିର ଟାର୍ଗେଟ୍ ୩୫୦ରୁ ଅଧିକ ଆସନ
୨୫୫ ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ
ସହଯୋଗୀଙ୍କ ସହ ଅଙ୍କ ଛିଡ଼ୁନି
ଆଗାମୀ କିଛି ସପ୍ତାହ ମଧ୍ୟରେ ବିଜେପି ୧୬୩ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିପାରେ। ବିଭିନ୍ନ ରାଜ୍ୟରେ ଥିବା ୧୬୩ଟି ଆସନକୁ ବିଜେପି ଏହା ପାଇଁ ‘ଦୁର୍ବଳ’ ବୋଲି ଚିହ୍ନଟ କରିଛି। ଗତ ୨୦୧୯ ନିର୍ବାଚନରେ ଏହିସବୁ ଆସନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଗତ ନିର୍ବାଚନରେ ଯେଉଁ ୫୬ଟି ଆସନରେ ପାର୍ଟି ପ୍ରାର୍ଥୀ ଦେଇ ନଥିଲା, ଏଥର ସେଥିମଧ୍ୟରୁ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ଯାହା ଖବର ମିଳିଛି ବିଜେପି ଏଥର ୫୦ ଭାଗ ସାଂସଦଙ୍କୁ ଟିକଟ ଦେବନାହିଁ। ୨୦୧୯ରେ ମଧ୍ୟ ୫୦% ସାଂସଦଙ୍କର ଟିକଟ କଟିଥିଲା। ଅନେକ ରାଜ୍ୟସଭା ସାଂସଦଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ଯୋଜନା କରୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟର ଅଂଶୀଦାରମାନେ ଆସନ ବୁଝାମଣା ନେଇ ଏବେ ବି ଦ୍ବନ୍ଦ୍ବରେ ରହିଛନ୍ତି। ମୋଟ୍ ୫୪୩ ଆସନ ମଧ୍ୟରୁ କଂଗ୍ରେସ ୨୫୫ ଆସନରେ ପ୍ରାର୍ଥୀ ଦେବାଲାଗି ରଣନୀତି ଚୂଡ଼ାନ୍ତ କରିଛି। କିନ୍ତୁ ଏହାସହିତ ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀ, ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବ, ଦିଲ୍ଳୀ ଓ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍, ମହାରାଷ୍ଟ୍ରରେ ଏନ୍ସିପି ଓ ଉଦ୍ଧବଙ୍କ ଶିବ ସେନା ଏକମତ ହେଉନାହାନ୍ତି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଏବେ ଠାରୁ ବିବାଦ ଆରମ୍ଭ ହୋଇଗଲାଣି। ଝାଡ଼ଖଣ୍ଡରେ ଜେଏମଏମ୍, ବିହାରରେ ଜେଡିୟୁ, ଆର୍ଜେଡି, ୟୁପିରେ ସମାଜବାଦୀ ପାର୍ଟି ଏବଂ ଦିଲ୍ଲୀ-ପଞ୍ଜାବରେ ଆପ୍ କଂଗ୍ରେସ ପାଇଁ ଅଧିକ ଆସନ ଛାଡ଼ିବାକୁ ନାରାଜ। ଏହି କାରଣରୁ ସେମାନଙ୍କ ମଧ୍ୟ ଆସନକୁ ନେଇ ସହମତି ହୋଇପାରୁ ନାହିଁ। ସେମାନଙ୍କର ଯୁକ୍ତି ହେଉଛି ଯେ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ୪୨୧ ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପାଇଥିଲା ମାତ୍ର ୫୨। ତେଣୁ ଏହି ଦଳକୁ ଅଧିକ ଆସନ ଦେଇ ନିଜର କ୍ଷତି କରିବାକୁ ସେମାନେ ଚାହାନ୍ତି ନାହିଁ।
[ad_2]