ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚାଲିବ ଓଡ଼ିଶାର ପ୍ରଜ୍ଞାପନ ମେଢ – Kalinga News

[ad_1]
ଭୁବନେଶ୍ୱର : ଚଳିତ ଜାନୁଆରୀ ୨୬ ପରେଡରେ ନୂଆଦିଲ୍ଲୀଠାରେ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗତକାଲି ଅପରାହ୍ନରେ ଏହି ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ସାଧାରଣତନ୍ତ୍ର ଦିବସର ପ୍ରଜ୍ଞାପନ ମେଢ ପାଇଁ ଭାରତ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ବିଷୟବସ୍ତୁ ‘ବିକଶିତ ଭାରତ’ ଏବଂ ‘ଗଣତନ୍ତ୍ରର ଜନନୀ ଭାରତ’ ମଧ୍ୟରୁ ରାଜ୍ୟ ସରକାର ‘ବିକଶିତ ଭାରତ’ ବିଷୟବସ୍ତୁ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦାୟିତ୍ୱ ଦେଇଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ପ୍ରକାରେ, ଦେଶର ଅର୍ଥନୈତିକ ବିକାଶ ଏବଂ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତୀକରଣ ଜରୁରୀ ହୋଇଥିବାରୁ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ଏହି ପ୍ରଜ୍ଞାପନ ମେଢ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି । ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ,ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟଭାଗରେ ଡଙ୍ଗରିଆ ଶାଲ, ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଯାହାକି, ଓଡ଼ିଶାର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ପ୍ରମାଣିତ କରିବା ସହିତ ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହୋଇଥିବା ପ୍ରଦର୍ଶିତ କରୁଛି ।
ସେହିପରି, ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡିଶାର ଗ୍ରାମୀଣ ମହିଳାମାନେ ମଧ୍ୟ କ୍ୟାସଲେସ୍ କାରବାର କରିବା ସହ ଇ-ପ୍ଲାଟଫର୍ମରେନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି । ଦେବାଦେବୀଙ୍କ ଚଳନ୍ତି ପ୍ରତିମାଙ୍କ ଯାତ୍ରା ସମୟରେ ବ୍ୟବହାର ହେଉଥିବା ବିରାଟକାୟ ଛତା, କାରିଗରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକ ସମର୍ଥନକୁ ଦର୍ଶାଉଛି ।
ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁ ନେଇ ରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ମୁଖା ସମେତ ରଘୁରାଜପୁର ଗ୍ରାମର ଐତିହ୍ୟ ଗୃହକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଛି ।ଏଥିସହିତ, ପ୍ରଜ୍ଞାପନ ମେଢର ଉଭୟ ପାଶ୍ୱର୍ରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ କଳାକାରମାନେ ନୃତ୍ୟ ପରିବେଷଣ କରିବେ ।
ଭାରତ ସରକାରଙ୍କ ଠାରୁ ପ୍ରାପ୍ତ ପତ୍ର ଅନୁସାରେ ଓଡିଶା ସମେତ ଦେଶର ଅନ୍ୟ ପନ୍ଦରଟି ରାଜ୍ୟର ପ୍ରଜ୍ଞାପନ ମେଢ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ । ନୂଆଦିଲ୍ଲୀର ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରଜ୍ଞାପନ ମେଢ ନିର୍ମାଣ ପାଇଁ ଆଗାମୀ ଆଠ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଆବଶ୍ୟକୀୟ ଯାନ ଯୋଗାଇ ଦିଆଯିବ ଏବଂ ୨୩ ତାରିଖ ଦିନ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଅଭ୍ୟାସ ପ୍ୟାରେଡରେ ଓଡିଶାର ସୁସଜ୍ଜିତ ପ୍ରଜ୍ଞାପନ ମେଢ ପରୀକ୍ଷାମୂଳକ ଭାବେ ଚାଲିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ନିର୍ମାଣକାରୀ ସଂସ୍ଥାର ଶିଳ୍ପୀମାନେ ଯଥାଶୀଘ୍ର ଦିଲ୍ଲୀ ଯିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

[ad_2]