ରାଜନୀତି

ବଢ଼ୁଛି ତାରା-ସପ୍ତଗିରି ଦୂରତା! ବନ୍ଧୁମିଳନ ଆଳରେ ସାଂସଦଙ୍କ ଶକ୍ତି ପ୍ରଦର୍ଶନ – Kalinga News

[ad_1]

ନବୀନ ଚନ୍ଦ୍ର ସାହୁ

ଜୟପୁର: ବଢ଼ୁଛି ତାରା-ସପ୍ତଗିରିଙ୍କ ମଧ୍ୟରେ ଦୂରତା! କୋରାପୁଟ କଂଗ୍ରେସରେ ଉଗ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ। ଉଭୟ ନେତା କୌଣସି କାର୍ଯ୍ୟକ୍ରମରେ ଏକାଠି ହେଉନାହାନ୍ତି। କୋରାପୁଟ, ଜୟପୁରରେ ଅଲଗା ଅଲଗା ପାଳନ ହେଉଛି ଦଳୀୟ କାର୍ଯ୍ୟକ୍ରମ। କଂଗ୍ରେସର ପ୍ରତିଷ୍ଠା ଦିବସ, ସାଂସଦଙ୍କ ନୂଆବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ ଏହାର ଉଦାହରଣ।

ବୁଧବାର କୋରାପୁଟସ୍ଥିତ ସରକାରୀ ବାସଭବନରେ ନୂତନ ବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ଯେଉଁଠି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ତାରା ଗୋଷ୍ଠୀର ଜଣେ ବି ନେତା କି କର୍ମୀଙ୍କ ଦେଖା ନଥିଲା। ଦଳରେ ସାମିଲ୍ ହୋଇଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ନିମାଁଇ ସରକାରଙ୍କ ସମେତ ଜିଲ୍ଲାର ଅନ୍ୟ ହେଭିୱେଟ୍ ନେତାଙ୍କ ସହ ସପ୍ତଗିରିଙ୍କ ସମର୍ଥକ ପଞ୍ଚାୟତ ସମିତି ଉପାଧ୍ୟକ୍ଷା, ସରପଞ୍ଚ, ସମିତିସଭ୍ୟ ଏକାଠି ହୋଇଥିଲେ। ଭୋଜିଭାତର ଆସର ସହ ସାଂସଦ ନୂଆବର୍ଷ ଉପହାର ଦେଇଥିଲେ। ସପ୍ତଗିରିଙ୍କ କାର୍ଯ୍ୟକ୍ରମରେ ତାରାଙ୍କ ଅନୁପସ୍ଥିତି ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। କେବଳ ବନ୍ଧୁମିଳନ ନୁହେଁ, ଡିସେମ୍ବର ୨୭ରେ ଜୟପୁର କଂଗ୍ରେସ ଭବନରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ମଧ୍ୟ ତାରା ସାମିଲ୍ ହୋଇ ନଥିଲେ। ବରଂ ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ତାରା। ପ୍ରତିକ୍ରିୟାରେ କହିଥିଲେ ନିମନ୍ତ୍ରଣ କିମ୍ବା କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ସେପଟେ ଡିସିସି ସଭାପତି ବୁଲୁ ସାହୁଙ୍କ କହିବା କଥା, ବିଧାୟକ ଭାବେ ଦଳୀୟ କାର୍ଯ୍ୟକ୍ରମ ତାରା ଆୟୋଜନ କରି କର୍ମୀଙ୍କୁ ନେଇ ଚାଲିବା କଥା। ବିକ୍ଷୋଭ କାର୍ଯ୍ୟକ୍ରମରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ଅଲଗା ଅଲଗା ଦୁଇ ଗୋଷ୍ଠୀ କୁଶ ପୁତ୍ତଳିକା ଦାହ କରିଥିଲେ। ଡିସେମ୍ବର ପ୍ରଥମ ସପ୍ତାହରେ ଜୟପୁର ଦଶହରା ପଡ଼ିଆରେ ତାରାଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଂସଦଙ୍କ ଦେଖାମିଳି ନଥିଲା। କଂଗ୍ରେସର ଜିଲ୍ଲା ସଭାପତି ନିର୍ବାଚନରେ ତାରାଙ୍କ ପତ୍ନୀ ମୀନାକ୍ଷୀଙ୍କଠାରୁ ଦାୟିତ୍ବ କାଢ଼ିନେଇ ସପ୍ତଗିରିଙ୍କ ଗୋଷ୍ଠୀର ବୁଲୁ ସାହୁଙ୍କୁ ଜିଲ୍ଲା ସଭାପତି କରାଯାଇଥିଲା। ପୂର୍ବରୁ ତାରାଙ୍କ ଏକାନ୍ତ ଘନିଷ୍ଠ ଥିଲେ ବୁଲୁ। ସପ୍ତଗିରିଙ୍କ ଏଣ୍ଟ୍ରି ପରେ ତାରାଙ୍କୁ ଛାଡ଼ି ସପ୍ତଗିରିଙ୍କ କ୍ୟାମ୍ପରେ ବୁଲୁ ସାମିଲ୍ ​ହୋଇଛନ୍ତି। ୨୦୧୯ରେ ଓଡ଼ିଶାରେ କଂଗ୍ରେସର ପ୍ରଦର୍ଶନ ନିରୁତ୍ସାହଜନକ ଥିବା ବେଳେ ଏକମାତ୍ର ସାଂସଦ ଭାବେ କୋରାପୁଟ ଲୋକସଭା ଆସନରୁ ବିଜୟୀ ହୋଇଥିଲେ ସପ୍ତଗିରି। ତାରା ମଧ୍ୟ ଦ୍ବିତୀୟ ଥର ପାଇଁ ଜୟପୁର ଆସନରୁ ନିର୍ବାଚିତ ହୋଇଥିଲେ। ଦୁଇ ନେତାଙ୍କୁ ନେଇ ଦଳ ଅବିଭକ୍ତ କୋରାପୁଟର ସବୁ ଆସନରେ ପୁଣି ଗଡ଼ ସଜାଡ଼ିବାକୁ ଚିନ୍ତା କରିଥିଲା। ପୁରୁଣା ନେତାଙ୍କ ଘର ବାହୁଡ଼ା, ନୂଆ ନେତାଙ୍କୁ ଦଳରେ ସାମିଲ୍ କରି ସଙ୍ଗଠନକୁ ଅଧିକ ମଜଭୁତ କରିବାକୁ ରାଜ୍ୟ ନେତୃତ୍ବ ଚାହୁଛନ୍ତି। ଅଥଚ ନେତା-କର୍ମୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଦଳୀୟ ଭିତରେ ଫାଟ ଦେଖିବାକୁ ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button