ଜିଲ୍ଲା ପାରା ଆଥଲେଟିକ୍ସ ମିଟ୍କୁ ନେଇ ବ୍ରହ୍ମବରଦାରେ ସାମ୍ବାଦିକ ସମ୍ମିଳନୀ

ଯାଜପୁର: ଯାଜପୁର ଜିଲ୍ଲାର ଦିବ୍ୟାଙ୍ଗ କ୍ରୀଡାବିତଙ୍କ ପାଇଁ ଏକ ଗରିମାମୟ ଓ ପ୍ରେରଣାଦାୟକ କ୍ରୀଡା ମହୋତ୍ସବ ଆସନ୍ତା ୧୭ ତାରିଖ ଶନିବାର ଦିନ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତର ହାଜରହିମିଆ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ହେବ। ଯାଜପୁର ଜିଲ୍ଲା ପାରା ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି “ଜିଲ୍ଲାସ୍ତରୀୟ ପାରା ଆଥଲେଟିକ୍ସ ମିଟ୍–୨୦୨୬”ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଦିବ୍ୟାଙ୍ଗ କ୍ରୀଡାବିତ ଭାଗନେବେ।
ଏହି ସମ୍ପର୍କରେ ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ସାହାପଡା ଗ୍ରାମସ୍ଥିତ ବିଦ୍ୟା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପାରା ସ୍ପୋର୍ଟସ ଆସୋସିଏସନର ସଭାପତି ମଣ୍ଟୁ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୧୪ ବର୍ଷରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତର ଦିବ୍ୟାଙ୍ଗ କ୍ରୀଡାବିତମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।
ପ୍ରତିଯୋଗିତାରେ ୧୦୦ ମିଟର, ୨୦୦, ୪୦୦ ମିଟର ଦୌଡ଼, ଲଙ୍ଗ ଜମ୍ପ, ସଟ୍ପୁଟ୍ ସହିତ ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ ସାମିଲ ରହିବ। ଏଥିରେ ଉତ୍ତମ ପ୍ରଦର୍ଶନ କରୁଥିବା କ୍ରୀଡାବିତମାନଙ୍କୁ ରାଜ୍ୟସ୍ତରୀୟ ପାରା ଆଥଲେଟିକ୍ସ ପ୍ରତିଯୋଗିତା ପାଇଁ ଚୟନ କରାଯିବ। ଆୟୋଜକ ସଂସ୍ଥା ପକ୍ଷରୁ ଖେଳାଳିମାନଙ୍କ ସୁବିଧା, ସୁରକ୍ଷା ଓ ସ୍ୱଚ୍ଛ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ କରାଯାଉଛି। ଏହି ପାରା ଆଥଲେଟିକ୍ସ ମିଟ୍ ଜିଲ୍ଲାର ଦିବ୍ୟାଙ୍ଗ କ୍ରୀଡାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ କ୍ରୀଡାମନୋଭାବକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।




