ରାଜ୍ୟ

ଗ୍ରାମ୍ୟ ସେବକ ସଙ୍ଗଠନ ଉତ୍ସବରେ ଶିକ୍ଷା ଓ ସାମାଜିକ ସଚେତନତାର ବାର୍ତା

ଯାଜପୁର ୨୫/୧୨: ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ପଞ୍ଚାୟତର ବାଲିପାଟଣା ଗ୍ରାମସ୍ଥିତ ସମାଜସେବୀ ସଂସ୍ଥା “ଗ୍ରାମ୍ୟ ସେବକ ସଙ୍ଗଠନ”ର ପଞ୍ଚମ ବାର୍ଷିକ ଉତ୍ସବ ଗୋପୀନାଥ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଆଡମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସହ ସାମାଜିକ ଦାୟିତ୍ୱକୁ ଯୋଡ଼ି ରଖିବାର ସନ୍ଦେଶ ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଥିଲା।

ଉତ୍ସବ ଅବସରରେ ‘ପାଠର ବୋଝ ଶିକ୍ଷାର୍ଥୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ କି’ ଶୀର୍ଷକରେ ଏକ ଅର୍ଥପୂର୍ଣ୍ଣ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହଭରା ଭାବେ ଅଂଶଗ୍ରହଣ କରି ନିଜ ଯୁକ୍ତି, ତର୍କ ଓ ଚିନ୍ତାଧାରା ପ୍ରକାଶ କରିଥିଲେ। ପ୍ରତିଯୋଗିତାରେ ରାଣୀମା ଉଚ୍ଚ ବିଦ୍ୟାଳୟର ସୋନାଲି ପ୍ରିୟଦର୍ଶିନୀ ସାହୁ ପ୍ରଥମ, ଦର୍ଶନ ଉଚ୍ଚ ବିଦ୍ୟାଳୟର ସିମରନ୍ ମହାନ୍ତି ଦ୍ୱିତୀୟ ଓ ମୁଗପାଳ ଉଚ୍ଚ ବିଦ୍ୟାଳୟର ଜିତ୍ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିପରି ସଙ୍ଗୀତ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଲୁକାଇଥିବା ପ୍ରତିଭା ପ୍ରକାଶ ପାଇଥିଲା। ଏହି ପ୍ରତିଯୋଗିତାରେ ରାଣୀମା ଉଚ୍ଚ ବିଦ୍ୟାଳୟର ଆରାଧ୍ୟା ପଣ୍ଡା ପ୍ରଥମ, ସୁନିଲ ମହାପାତ୍ର ଦ୍ୱିତୀୟ ଓ ଦର୍ଶନ ଉଚ୍ଚ ବିଦ୍ୟାଳୟର ଶୁଭଲକ୍ଷ୍ମୀ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ।

ବିତର୍କ ପ୍ରତିଯୋଗିତାର ବିଚାରକ ଭାବେ ନଠୁଆବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାରଣା, ବ୍ରାହ୍ମଣଝରିଲେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ସାହୁ ଓ ଧର୍ମଶାଳା ପବ୍ଲିକ୍ ସ୍କୁଲର ଶିକ୍ଷକ ପ୍ରିୟରଞ୍ଜନ ନାୟକ ଯୋଗଦେଇଥିଲେ। ସଙ୍ଗୀତ ପ୍ରତିଯୋଗିତାରେ କବିରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଙ୍ଗୀତ ଶିକ୍ଷକ ସିଦ୍ଧାର୍ଥ ଶେଖର ପଣ୍ଡା, ଗୋପୀନାଥ ଜୀଉ ଉଚ୍ଚ ବିଦ୍ୟାଳୟର ନିର୍ମଳ ଚନ୍ଦ୍ର ଦାସ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ତଥା ‘ସ୍ୱର ଓଡ଼ିଶା’ କାର୍ଯ୍ୟକ୍ରମର ବିଜୟିନୀ ବିଶ୍ୱରୂପା ପଣ୍ଡା ବିଚାରକ ଭାବେ ଉପସ୍ଥିତ ଥିଲେ।

ସଂଘର ସଭାପତି ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଗ୍ଲୋରୀୟସ ସ୍କୁଲ ଓ ଯାଜପୁର ମିରର ନ୍ୟୁଜ୍ ଚାନେଲ ପ୍ରତିଷ୍ଠାତା ଡକ୍ଟର ଅଭୟ ପତି ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସମାଜସେବାର ଉଦାହରଣ ସ୍ୱରୂପ ବାଲିପାଟଣା ଅଂଚଳର ଦୃଷ୍ଟିବାଧିତ ଯୁବକ ଶତ୍ରୁଘ୍ନ ସାହୁଙ୍କୁ ସଂଘ ପକ୍ଷରୁ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମର ଶେଷରେ ସଂଘ ପକ୍ଷରୁ ସମସ୍ତ ବିଚାରକ ଓ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଯାଇଥିଲା। ସଂଘ ସଦସ୍ୟ ପ୍ରବୀଣ ସାହୁ ସଭା ପରିଚାଳନା କରିଥିବା ବେଳେ କିଶୋର ଚନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ। କିରଣ ମହାରଣା, ନିହାର ସାହୁ, ଅଶୋକ ବେହେରା, ଅନିଲ ସାହୁ ଓ ଲିସା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button