ଅନୁଗୋଳ: ମା’ ରାଜ ରାଜେଶ୍ଵରୀ ଦୁର୍ଗା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଦର୍ଶନ ପାଇଁ ଭକ୍ତଙ୍କ ଭିିଡ଼

ଜଗତଜନନୀ ମା’ ଦୁର୍ଗା ହେଉଛନ୍ତି ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ମା’ ଦୁର୍ଗା ସମ୍ମାନୀତା । ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣ୍ଣିତ । ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ମା’ ଦୁର୍ଗା । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ ।
ତାଳଚେର ରାଜା ମା’ ଦୁର୍ଗାଙ୍କର ଉପାସକ ଥିଲେ । ନିଜ ରାଜ୍ୟକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ରାଜା ବୀରବର ହରିଚନ୍ଦନ ରାଜ ରାଜେଶ୍ୱରୀ ଦେବୀ ଦୁର୍ଗାଙ୍କୁ ଆରାଧନା କରି ବିଜୟୀ ଲାଭ କରିଥିବା ନଜିର ରହିଛି । ତେବେ ଅନୁଗୋଳ ଜିଲ୍ଲାର ତାଳଚେର ଭୂଖଣ୍ଡ ବିଲିଣ୍ଡା ଠାରେ ଏହି ରାଜା ରାଜେଶ୍ୱରୀ ମନ୍ଦିରରେ ମା’ ଦୁର୍ଗାଙ୍କୁ ଉପାସନା କରୁଥିଲେ ତାଳଚେର ରାଜା ।
ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ବ୍ରାହ୍ନଣୀ ନଦୀ ପାଦ ଦେଶରେ ମା’ ପୂଜା ପାଉଥିଲେ । ମା’ ଦୁର୍ଗା ପ୍ରତ୍ୟକ୍ଷ ଭାବେ ପୂଜା ପାଆନ୍ତି । କିନ୍ତୁ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ମା’ ରାଜ ରାଜେଶ୍ୱରୀଙ୍କ ମନ୍ଦିର ନଷ୍ଟ ହୋଇଯାଇଥିଲା କିନ୍ତୁ ଗ୍ରାମବାସୀଙ୍କ ପ୍ରଚେଷ୍ଟା କ୍ରମେ ମା’ଙ୍କ ମନ୍ଦିର ପୁନଃରୁଦ୍ଧାର କରାଯାଇ ପ୍ରତିଷ୍ଠା କରାଯାଇଛି ।
ପ୍ରତିଷ୍ଠା ଉତ୍ସବରେ ପୂଜକ ମାନେ ମନ୍ଦିରକୁ ପ୍ରବେଶ ପୂର୍ବରୁ ମା’ଙ୍କ ନାମ ସ୍ମରଣ ମାତ୍ରକେ ମନ୍ଦିରର ମୁଖ୍ୟ ଦ୍ୱାର ଆପେ ଆପେ ଖୋଲିଥିଲା । ମା’ଙ୍କ ଏଭଳି ଅଲୌକିକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା । ରାଜ ରାଜେଶ୍ଵରୀ ମା’ ଦୁର୍ଗାଙ୍କର ଏକ ଅନନ୍ୟ ରୂପ । ମା’ରାଜ ରାଜେଶ୍ୱରୀଙ୍କ ରହିଛି ଅପାର ମହିମା । ମା’ଙ୍କୁ ଯିଏ ଯାହା ଶୁଭ ମନାସୀ ମାନସିକ କରିଥାଏ ମା’ ତାହା ଅବିଳମ୍ବେ ପୂରଣ କରିଥାନ୍ତି ବୋଲି ରହିଛି ଆଶା ଓ ବିଶ୍ୱାସ । ମା’ ରାଜ ରାଜେଶ୍ଵରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି । ବିଶ୍ୱ ଶାନ୍ତି ମହାଯଜ୍ଞ କରାଯାଇ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଛି । ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂଜା ଉତ୍ସବ ପାଳନ କରାଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପହଁଚି ଜଗତର କଲ୍ୟାଣ ନିମନ୍ତେ ମା’ ରାଜ ରାଜେଶ୍ୱରୀ ଦୁର୍ଗା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଆଡୁ ଭକ୍ତଙ୍କ ସୁଅ ଛୁଟିବା ସହିତ ଭକ୍ତଙ୍କ ପାଇଁ ମନ୍ଦିର ପ୍ରସାଶନ ପକ୍ଷରୁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ମା’ ରାଜ ରାଜେଶ୍ଵରୀ ଦୁର୍ଗା ଦେବୀଙ୍କ କରୁଣା ଲାଭ କରିଥିଲେ ଭକ୍ତ ।




