ଅପରାଧ

ବେକରେ ପଡ଼ିଲା ଚୋଟ ହେଲେ କ୍ଷତ ଚିହ୍ନ ଗଲା କୁଆଡ଼େ ? ଏକ ଆଚମ୍ବିତ ଘଟଣାକୁ ନେଇ ଜୋର୍ ଚର୍ଚ୍ଚା

ବଡ଼ ଏକ ଅଜବ ଘଟଣା ଘଟିଛି । ଯାହାକୁ ନେଇ ଏବେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଖୁବ୍ ଚର୍ଚ୍ଚା ଓ ଆଲୋଚନା । ଘଟଣାଟି ଯଦିଓ ଭଲ ନୁହେଁ ତଥାପି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ଆଉ କହୁଛନ୍ତି ଏମିତି କଣ ଘଟି ପାରେ ?

ଆମେ ଏହି ଘଟଣାର ସ୍ଥାନ କାଳ ଓ ପାତ୍ରଙ୍କ ନାମ ଗୋପନ ରଖିବାକୁ ବାଧ୍ୟ ହେଉଛୁ । କାରଣ ଏହାକୁ ଗୋପନ ରଖିଲେ ହିଁ ଭଲ । ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ । ଅସଲ କଥା ହେଲା କିଛି ଚମତ୍କାର ଘଟିଛି ବୋଲଇ ଲୋକେ କୁହାକୁହି ହେଉଛନ୍ତି । ହେଲେ ପୀଡ଼ିତ ଯିଏ ଏସବୁ ଭୋଗିଛି ସେ ବି ଆଶ୍ଚର୍ଯ୍ୟ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ନିଶ୍ଚୟ କିଛି ଅଲୌକିକ ଘଟଣା ଘଟିଛି କି?

ବାଣପୁର ଅଞ୍ଚଳର ଏକ ଗାଁରେ ରହିଛି ବ୍ରାହ୍ମଣୀ ଦେବୀ ମନ୍ଦିର । ସେ ହେଉଛନ୍ତି ଗ୍ରାମ ଦେବତୀ । ନିକଟରେ ସେହି ମନ୍ଦିରରେ ଦେବୀଙ୍କ ସାମନାରେ ଘଟିଛି ବଡ଼ ଅଘଟଣ । ଗତ ନବମୀ ଦିନ ମାଆଙ୍କ ପାଖରେ ଭୋଗ ଲାଗି ରୋଷେଇବାସ ହୋଇଥିଲା । ଏତିକି ବେଳେ ସେଠାରେ ଝଗଡ଼ା ଆରମ୍ଭ ହୋଇଥିଲା । ଗଣ୍ଡଗୋଳ ଆରମ୍ଭ ହୋଇ ଯିବାରୁ ଜଣକୁ ଛାଡ଼ି ସମସ୍ତେ ସେଠାରୁ ପଳାଇ ଯାଇଥିଲେ । ପୂର୍ବ ଶତ୍ରୁତାରୁ ସେହି ଯୁବକ ଜଣକ ଉପରେ ହୋଇଥିଲା ଆକ୍ରମଣ । ଠିକ୍ ଠାକୁରାଣୀଙ୍କ ସମ୍ମୁଖରେ ତାଙ୍କୁ ହେଲା ମରଣାନ୍ତକ ଆକ୍ରମଣ । ମାରଣାସ୍ତ୍ରରେ ହାଣି ଚାଲିଲେ ଯୁବକଙ୍କୁ । ରକ୍ତାକ୍ତ କରି ଛାଡ଼ି ଚାଲିଗଲେ । ଗାଁରେ ପ୍ରଚାର କଲେ ସେମାନେ ଯୁବକକୁ ଠାକୁରାଣୀ ଆଗରେ ବଳି ପକାଇ ଦେଇଛନ୍ତି । ଏହାପରେ ଆକ୍ରମଣ ହୋଇଥିବା ଯୁବକର ପରିବାର, ସମ୍ପର୍କୀୟ ଓ ସାଙ୍ଗ ସାଥୀମାନେ ଯାଇ ଦେଖନ୍ତି ତ ମନ୍ଦିର ଆଗରେ କେହି ନାହାନ୍ତି । ନା ରକ୍ତର ଛିଟା ଥିଲା ନା ଆକ୍ରମଣର ଶିକାର ଯୁବକର କିଛି ସୁରାକ ମିଳିଲା । ଖୁବ୍ ଜୋରସୋରରେ  ଖୋଜାଖୋଜି ଚାଲିଲା ଯୁବକଙ୍କୁ । ଆଉ ଏହାରି ଭିତରେ ଆକ୍ରମଣର ଶିକାର ଯୁବକ ଜଣକ ନିକଟରେ ଥିବା ଏକ ପୋଖରୀ ପାଖରୁ ଚାଲି ଚାଲି ଆସୁଥିବାର ଦେଖା ଯାଇଥିଲା । ଦେହ ସାରା ରକ୍ତ ଜୁଡୁବୁଡୁ । ତଥାପି ଦମ୍ଭର ସହ କହିଲେ ମୋ ବେକକୁ ସେମାନେ ଚୋଟ ପକାଇ ଥିଲେ । ତାପରେ ମୁଁ ଜାଣିନି କଣ ହେଲା ।

ଏବେ ଏହାକୁ ନେଇ ଚର୍ଚ୍ଚା ଯେ ଯୁବକ ଜଣକ କହିଲେ ତାଙ୍କ ବେକରେ ଚୋଟ ପଡ଼ିଥିଲା କିନ୍ତୁ ଦେଖିଲା ବେଳକୁ ବେକରେ ଟିକିଏ ଦାଗ ବି ନାହିଁ । କେବଳ ଦେହ ସାରା ମାରଣାସ୍ତ୍ରରେ କଟା ଦାଗ । … ପରେ ଆହତ ଯୁବକଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏବେ ସେ ପୂର୍ବ ଅପେକ୍ଷା ସୁସ୍ଥ ବି ଅଛନ୍ତି ।

ଆଉ ସବୁଠାରୁ ଆଚମ୍ବିତ କଥା ହେଲା କି ଯେତେବେଳେ ଆକ୍ରମଣକାରୀମାନେ ପ୍ରଚାର କଲେ ଯେ ସେମାନେ ଯୁବକଙ୍କୁ ଜୀବନରୁ ମାରି ଦେଇଛନ୍ତି ସେତେବେଳେ ତାଙ୍କୁ ଖୋଜିବାକୁ ପୋଲିସ ବି ଆସିଥିଲା । ମନ୍ଦିର ସାରା ଖୋଜିଥିଲା । ହେଲେ ପାଇ ନଥିଲା । ଏମିତିକି ରକ୍ତ ଛିଟା ବି ଦେଖିବାକୁ ମିଳି ନଥିଲା । ତାପରେ ଯୁବକ ଜଣକ ମିଳିଥିଲେ ।

ଏବେ ଏହି ଘଟଣାକୁ ନେଇ ବର୍ତ୍ତମାନ ଆକ୍ରମଣକାରୀ ଦଳର ଲୋକଙ୍କ ମୁଣ୍ଡ ବିଗିଡ଼ି ଯାଇଛି । ସେମାନେ କହୁଛନ୍ତି କି ଆମେ ଯେଭଳି ମାରି ଥିଲୁ ସେଥିରେ ସେ ବଞ୍ଚିବା କଥା ନୁହେଁ । ଅନ୍ୟପଟେ ଆକ୍ରମଣର ଶିକାର ଯୁବକ ତଥା ତାଙ୍କ ପରିବାର ଓ ବନ୍ଧୁମାନେ କହୁଛନ୍ତି ଏହା ହେଉଛି ମାଆ ବ୍ରାହ୍ମଣୀ ଦେବୀଙ୍କ କୃପା । ନହେଲେ ବେକରେ ପଡ଼ିଥିବା ଖଣ୍ଡା ଚୋଟର ଚିହ୍ନବର୍ଣ୍ଣ କେମିତି ନାହିଁ ? ଏତେ ବଡ଼ ଆକ୍ରମଣ ପରେ ଯୁବକ ଜଣକ ବଞ୍ଚି ଗଲେ କେମିତି ? କଣ ଘଟଣା ପଛରେ ଆଉ କିଛି ଘଟଣା ରହିଛି କି ? ନା ସତରେ କିଛି ଅଲୌକିକ ଘଟିଛି ? ଏ କଥାର କୂଳକିନାରା ପାଉ ନାହାନ୍ତି ଗାଁ ଲୋକେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button