ରାଜ୍ୟ

ଅବହେଳିତ ଅବସ୍ଥାରେ ମା’ ପଞ୍ଚରାପାଟଙ୍କ ପୀଠ, ଜଙ୍ଗଲୀ ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ଭକ୍ତ

ପ୍ରତିବର୍ଷ ଆଶ୍ଵିନ ମାସ ପୂର୍ଣ୍ଣମୀ ତିଥିରେ ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ଧଉରାଖମଣ ଗ୍ରାମ ନିକଟସ୍ଥ ସାପଘରା ନାମକ ପାହାଡରେ ପଞ୍ଚରାପାଟ ଦେବୀଙ୍କ ପୂଜା ହୋଇଥାଏ ।ସେହିପରି ଗତକାଲି ମଧ୍ୟ ଏହି ଦେବୀଙ୍କ ପୀଠରେ ପୂଜା କରାଯାଇଛି । ପାହାଡର ଚାରିପଟ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ଆଉ ଏହାରି ଭିତରେ ଦେବୀ ପଞ୍ଚରାପାଟଙ୍କ ପୀଠ ଅବସ୍ଥିତ ।

ବଣୁଆ ହାତୀଙ୍କ ପାଦଚିହ୍ନରେ ଆଚ୍ଛାଦିତ ଜଙ୍ଗଲୀ ରାସ୍ତାରେ ନାଳ ନର୍ଦ୍ଦମା ଡେଇଁ ଆଖପାଖ ଅଞ୍ଚଳର ଶତାଧିକ ମାନସିକଧାରି ଶ୍ରଦ୍ଧାଳୁ ହାତରେ ନଡ଼ିଆ, କଦଳୀ ଆଦି ଭୋଗ ସାମଗ୍ରୀ ଧରି ପହଞ୍ଚିଥିଲେ ମାଁ ପଞ୍ଚରାପାଟ ଦେବୀଙ୍କ ପୀଠରେ । ଢୋଲ, ନିଷାଣ, ମହୁରୀ ଓ ଘଣ୍ଟ ବାଦ୍ୟରେ ଉକ୍ତ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଥିଲା ।

ସ୍ଥାନୀୟ ଭକ୍ତଙ୍କ କହିବା ଅନୁଯାୟୀ ଶହଶହ ବର୍ଷ ହେବ ପଞ୍ଚରାପାଟ ଦେବୀଙ୍କ ପୂଜା ଏହି ସ୍ଥାନରେ ହୋଇଆସୁଅଛି । ଅତୀତରେ ସୁବର୍ଣ୍ଣପୁରର ରାଜା ଓ ରେଢ଼ାଖୋଲ ରାଜାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ସୁବର୍ଣ୍ଣପୁର ରାଜା ରେଢ଼ାଖୋଲ ରାଜାଙ୍କୁ ପରାସ୍ତ କରି ସମଗ୍ର ରେଢ଼ାଖୋଲ ଅଞ୍ଚଳକୁ ନିଜେ ଅକ୍ତିଆର କରିବାକୁ ବସିଥିଲା ।

ଆଉ ସେହି ସମୟରେ ମାଁ ପଞ୍ଚରାପାଟ ଆବିର୍ଭାବ ହୋଇ ଏହି ସ୍ଥାନରୁ ରେଢ଼ାଖୋଲକୁ ରକ୍ଷା କରିଥିଲେ । ସେହିଦିନ ଠାରୁ ଦୁଇ ଜିଲ୍ଲାର ସୀମାରେ ମାଁ ପଞ୍ଚରାପାଟ ପୂଜା ପାଇ ଆସୁଥିବା ଭକ୍ତମାନଙ୍କର ବିଶ୍ୱାସ ରହିଛି । ତେବେ ଏହି ଘଞ୍ଚ ଜଙ୍ଗଲ ମଧ୍ୟରେ ଶହଶହ ବର୍ଷ ହେଲା ମା’ ପଞ୍ଚରାପାଟ ପୂଜା ପାଇ ଆସୁଥିଲେ ମଧ୍ୟ ଆଜି ଯାଏ ପ୍ରଶାସନର ଦୃଷ୍ଟିଗୋଚର ହୋଇ ପାରିନାହିଁ ।

ପୂର୍ବଭଳି ଆଜିବି ଅତି ଖରାପ ସ୍ଥିତିରେ ଲୋକେ ଯାଉଛନ୍ତି ମା’ଙ୍କ ପୀଠକୁ । ବାରମ୍ବାର ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏଠାକୁ ଯିବା ପାଇଁ ଭଲ ରାସ୍ତାଟିଏ କରିବା ସହ ଖରାପ ହୋଇ ପଡିରହିଥିବା ନଳକୂପଟି ସଜାଡିବା ସହ ମା’ଙ୍କ ସ୍ଥାନରେ ଏକ ମଣ୍ଡପ କରିବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ଲୋକେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button