ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି: ସରକାରୀ ଜମିରେ ଘର ତିଆରି

ନ୍ଦ୍ରଶେଖରପୁର: ରାଜଧାନୀରେ ସରକାରୀ ଜମିକୁ ରାତାରାତି କବ୍ଜା କରାଯାଉଛି। ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସରକାରୀ ଫଳକକୁ ଫୋପାଡ଼ି ଦେଉଛନ୍ତି। ଦୁଇ ଲାଇନ୍ରେ ଗଛ ଲଗାଯାଇଥିଲେ ମଧ୍ୟ ତାହାକୁ ଅଣଦେଖା କରି ଘର ନିର୍ମାଣ କରୁଛନ୍ତି। ଭଡ଼ା ବି ଲଗାଉଛନ୍ତି।

ବିଏମ୍ସି ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ମେ’ ଫେୟାର ହୋଟେଲ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଅଞ୍ଚଳରେ କେତେଜଣ ବ୍ୟକ୍ତି ସରକାରୀ ଜାଗାରେ ଘର କରି ଭଡ଼ାରେ ଲଗାଇଛନ୍ତି। କେହିକେହି ଘର ତିଆରି କରି ଚଢ଼ା ଦରରେ ବିକ୍ରି କରିଛନ୍ତି। କେତେଜଣ ଇତିମଧ୍ୟରେ ରାସ୍ତା ପାର୍ଶ୍ବକୁ ମଧ୍ୟ ବକ୍ଜା କରିନେଲେଣି। ଡ୍ରେନ୍କୁ ଲଗାଇ ଘରଗୁଡ଼ିକ ଏଭଳି ଭାବେ ନିର୍ମାଣ କରିଛନ୍ତି ଯେ ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ସେହି ରାସ୍ତାରେ ପାର୍ ହେବା ମୁସ୍କିଲ। ଏହା ପଛରେ କିଛି ନେତା, ପ୍ରଶାସକ ଓ ପୁଲିସ ବାବୁଙ୍କ ପ୍ରୋତ୍ସାହନ ରହିଥିବା କୁହାଯାଉଛି। ଏମିତିକି ଜଣେ ନେତାଙ୍କ ପୃଷ୍ଠପୋଷକତାରେ ଏହି ଘର ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି।

ପ୍ରଶାସନ ପାଖରେ ଖବର ନାହିଁ
ପ୍ରସ୍ତାବରେ ରହିଗଲା ଡେ କେୟାର୍ ସେଣ୍ଟର୍

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ମାସ ତଳେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ। ପ୍ରଚଳିତ ନିୟମ ଅନୁଯାୟୀ ଜବରଦଖଲ ହଟିବା ପରେ ତାହାକୁ ବାଡ଼ ବସାଇ ଏବଂ ଏଥିରେ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଦିନ କେତେଟା ବିତିଛି କି ନାହିଁ ଖୋଦ୍ ରାଜଧାନୀରେ ସରକାରୀ ଜମି ଉପରେ ଘର ନିର୍ମାଣ ଚାଲିଛି। ଦିନ ଦି ପହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଏଭଳି ନିର୍ମାଣ ହେଉଥିବାରୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି।

ଜବରଦଖଲ ହୋଇଥିବା ସରକାରୀ ଜମିରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଡେ କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ଶ୍ରୀଜଗନ୍ନାଥ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଶାସନକୁ କିଛି ମାସ ତଳେ ଅନୁରୋଧ କରାଯାଇଥିଲା। ସଂଘର ସଦସ୍ୟମାନେ ବିଏମ୍ସି ମେୟରଙ୍କୁ ଚିଠି ଲେଖି ପ୍ଲଟ ନମ୍ବର ୬୯ ଓ ୭୦କୁ ଲାଗିଥିବା ଏବଂ ପ୍ଲଟ ନମ୍ବର ୩୧୫ ସମ୍ମୁଖରେ ଥିବା ଖୋଲା ସ୍ଥାନରେ ସେଣ୍ଟର ପ୍ରତିଷ୍ଠା କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ତାହା ହୋଇପାରିଲା ନାହିଁ। ବରଂ ସେହି ଜମି ଉପରେ ଏବେ ଘର ନିର୍ମାଣ ଚାଲିଛି। ଇତିମଧ୍ୟରେ ସଂଘ ପକ୍ଷରୁ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।

କିଏ ଘର ନିର୍ମାଣ କରୁଛି ସେନେଇ କାମ କରୁଥିବା ଲୋକେ ମୁହଁ ଖୋଲୁ ନାହାନ୍ତି। ୧୬ ନମ୍ବର ୱାର୍ଡ କର୍ପୋରେଟର ଅଚ୍ୟୁତାନନ୍ଦ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇ ନାହାନ୍ତି। ବିଏମ୍ସି ଉତ୍ତର ଜୋନ୍ ଡେପୁଟି କମିସନର ଶଶିଭୂଷଣ ମହାପାତ୍ର କହିଛନ୍ତି ଯେ ସରକାରୀ ଜମି ଜବରଦଖଲ ହେବା ନେଇ ମୋ ପାଖରେ କୌଣସି ଖବର ନାହିଁ। ଅଭିଯୋଗ ଆସିଲେ ଅମିନ୍ ପଠାଇ ମାପଚୁପ କରିବି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button