ଦେଶ- ବିଦେଶ

ରାଜସ୍ଥାନର ସେହି ଭୟାନକ ଭାନଗଡ଼ ଦୁର୍ଗ ! ସନ୍ଧ୍ୟା ୬ଟା ପରେ ଏଠି ତାଣ୍ଡବ ରଚେ ମୃତ୍ୟୁ

ଆପଣ ଭୂତ ପ୍ରେତରେ ବିଶ୍ୱାସ ରଖନ୍ତି କି? କ’ଣ ପ୍ରକୃତରେ ଭୂତ ପ୍ରେତ ଅଛନ୍ତି କି? ବେଳେ ବେଳେ ଲୋକ ଭୂତ ଦେଖିଥିବା ଯୁକ୍ତି କରନ୍ତି କିନ୍ତୁ ପ୍ରକୃତରେ କ’ଣ ସତରେ ଏମିତି କିଛି ଥାଏ କି? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କିମାରୁଥିବ ନିଶ୍ଚୟ । ସେହିଭଳି ଆପଣ ପ୍ରାୟତଃ କିଛି ଲୋକମାନଙ୍କୁ କହିବାର ଶୁଣିଥିବେ ଯେ ଭୂତ ବୋଲି ସେମିତି କିଛି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଦୁର୍ଗ ବିଷୟରେ କହିବାକୁ ଯାଉଛୁ ତାହା ପଛର କାହାଣୀ ଜାଣିଲେ ଆପଣଙ୍କର ଲୋମଟାଙ୍କୁରି ଯିବ । ଆମେ କହୁଛୁ ଭାନାଗଡ଼ ଦୁର୍ଗ ବିଷୟରେ । ରାଜସ୍ଥାନର ଏହି ଚମତ୍କାର ଦୁର୍ଗ ଏବେ ଏକ ଧ୍ୱଂସାବଶେଷ ।

ଯେଉଁଠାରେ ଏବେ ବି ଭୂତ ଥିବାର ଦାବି କରାଯାଉଛି । ସନ୍ଧ୍ୟା ୬ ଟା ହେବା ମାତ୍ରେ ଦୁର୍ଗଟି ସମ୍ପୂର୍ଣ୍ଣ ଭାବରେ ନୀରବ ଯାଏ, ଯାହା ପରେ କେହି ଏହା ଭିତରକୁ ଯିବାକୁ ସାହସ ବି କରନ୍ତିନି । ସନ୍ଧ୍ୟା ହେବା ମାତ୍ରେ ଏହି ଦୁର୍ଗ ଭିତରେ ଅସାଧାରଣ କାର୍ଯ୍ୟକଳାପ ଘଟେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାହାର ଚିତ୍କାର ଏବଂ କ୍ରନ୍ଦନର ଶବ୍ଦ ଏହି ଦୁର୍ଗ ଭିତରୁ ଆସିଥାଏ । ଏମିତିକି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ତଥା ASI ସନ୍ଧ୍ୟା ୬ଟା ପରେ ପରିଦର୍ଶକଙ୍କୁ ନିଷେଧ କରିଛି । ପର୍ଯ୍ୟଟକମାନେ କେବଳ ଦିନବେଳେ ହିଁ ଏହି ଦୁର୍ଗ ବୁଲିପାରିବେ । ତେବେ ଆସନ୍ତୁ ଏହି ଦୁର୍ଗ ବିଷୟରେ ଅଧିକ ଜାଣିବା ।

କିଏ ନିର୍ମାଣ କରିଥିଲା ଏହି ଦୁର୍ଗ?

ଆମେ ଯେଉଁ ଦୁର୍ଗ ବିଷୟରେ କହୁଛୁ ତାହା ହେଉଛି ରାଜସ୍ଥାନର ଅଲୱରରେ ଥିବା ଭାନଗଡ଼ ଦୁର୍ଗ । ଇତିହାସ ଅନୁସାରେ, ଏହି ଦୁର୍ଗକୁ ୧୭ଶ ଶତାବ୍ଦୀରେ ଆମେରର ରାଜା ଭାଗବତ ଦାସ ତାଙ୍କ ସାନ ପୁଅ ମାଧୋ ସିଂହ ପ୍ରଥମଙ୍କ ପାଇଁ ୧୫୭୩ ମସିହାରେ ନିର୍ମାଣ କରିଥିଲେ । ଏକଦା ରାଜାଙ୍କ ଭବ୍ୟ ପ୍ରାସାଦ ଥିବା ଏହି ଦୁର୍ଗ ଏବେ ଧ୍ୱଂସାବଶେଷରେ ପରିଣତ ହୋଇଛି । ଏହା ବ୍ୟତୀତ, ଏହି ଦୁର୍ଗ ସହିତ ଏବେ ଭୂତ ପ୍ରେତ ଏବଂ ଅଭିଶାପର ଅନେକ କାହାଣୀ ଜଡିତ ହୋଇସାରିଛି ।

କାହିଁକି ଅଭିଶପ୍ତ ହୋଇଥିଲା ଭାନଗଡ଼?

ଆଜି ଭାନଗଡ଼ ଦୁର୍ଗକୁ ଭୁତିଆ ବୋଲି କୁହାଯାଏ । ଲୋକମାନେ ଦାବି କରନ୍ତି ଯେ ଏଠାରେ ଅସାଧାରଣ କାର୍ଯ୍ୟକଳାପ ଅନୁଭବ କରେ ଏବଂ କାହାର ଚିତ୍କାର ଓ କ୍ରନ୍ଦନ ଶୁଣାଯାଏ । କୁହାଯାଏ ଯେ ଦୁର୍ଗ ନିର୍ମାଣ କରିବା ପୂର୍ବରୁ ରାଜା ମାଧୋ ସିଂହ ନିକଟସ୍ଥ ଜଣେ ତପସ୍ୱୀଙ୍କ ଠାରୁ ଅନୁମତି ମାଗିଥିଲେ । ତପସ୍ୱୀ ସର୍ତ୍ତ ରଖିଥିଲେ ଯେ ଦୁର୍ଗର ଛାଇ କେବେବି ତାଙ୍କ କୁଡ଼ିଆ ଉପରେ ପଡ଼ିବ ନାହିଁ । କିନ୍ତୁ ରାଜା ଏହି ସର୍ତ୍ତକୁ ଅଣଦେଖା କରି ଉଚ୍ଚ ଦୁର୍ଗ ନିର୍ମାଣ କରାଇଥିଲେ ।

ତା’ପରେ ଏହି ଦୁର୍ଗର ଛାଇ ତପସ୍ୱୀଙ୍କ କୁଡ଼ିଆ ଉପରେ ପଡ଼ିଥିଲା । ଆଉ ଦୁର୍ଗ ଉପରେ ପଡିଥିଲା ତପସ୍ୱୀଙ୍କ କ୍ରୋଧ । ଆଉ ସେ ସମଗ୍ର ଭାନଗଡ଼ ଦୁର୍ଗକୁ ଅଭିଶାପ ଦେଇଥିଲା । କୁହାଯାଏ ଯେ ସେହି ତପସ୍ୱୀଙ୍କ ଅଭିଶାପ ଯୋଗୁଁ ଏଠାରେ ଏକ ଭୟଙ୍କର ଯୁଦ୍ଧ ହୋଇଥିଲା । ଯେଉଁଥିରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ଧୀରେ ଧୀରେ ଏହି ସ୍ଥାନଟି ଅଭିଶପ୍ତ ହୋଇଗଲା । ଯୁଦ୍ଧରେ ମୃତ ଲୋକଙ୍କ ଆତ୍ମା ​​ଏଠାରେ ବୁଲିବାକୁ ଲାଗିଲା । ଏହି ଦୁର୍ଗର ଭୂତପ୍ରେତ ଥିବା ପଛରେ ଆଉ ଏକ କାହାଣୀ ଥିବା ବିଶ୍ୱାସ କରାଯାଏ ।

ଏକ କାହାଣୀ ଅନୁସାରେ ଜଣେ ତାନ୍ତ୍ରିକ ଥରେ ସ୍ଥାନୀୟ ରାଜକୁମାରୀ ରତ୍ନାବତୀଙ୍କ ପ୍ରେମରେ ପଡ଼ିଗଲେ । ସେ ଯାଦୁମନ୍ତ୍ର ଦ୍ୱାରା ତାଙ୍କୁ ଜିତିବାକୁ ଚେଷ୍ଟା କଲେ ଏବଂ ତାଙ୍କ ଅତରକୁ ଯାଦୁ କରାଇଦେଇଥିଲେ । କିନ୍ତୁ ରାଣୀ ଏହା ଜାଣିପାରି ଏହି ଅତରକୁ ଫୋପାଡ଼ି ଦେଲେ । ଯାହା ଫଳରେ ଏହି ତନ୍ତ୍ରମନ୍ତ୍ରର ପ୍ରଭାବ ସିଧା ତାନ୍ତ୍ରିକଙ୍କ ଉପରେ ପଡିଥିଲା ଏବଂ ତାର ମୃତ୍ୟୁ ହେଲା । ମରିବା ପୂର୍ବରୁ ସେ ସମଗ୍ର ଭାନଗଡ଼କୁ ଧ୍ୱଂସ କରିବାକୁ ଅଭିଶାପ ଦେଲେ । ଆଉ ଶୁଣିବାକୁ ମିଳେ ତାଙ୍କ ଆତ୍ମା ଏବେ ବି ଏଠାରେ ଘୁରିବୁଲୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button