ଖେଳ ଖବର

ଆଜି ଭାରତ ଓ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍‌ ଟି-୨୦ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମୁକାବିଲା ଆଜି ଖେଳାଯିବ। ଦୁଇ ପଡୋଶୀ ଦେଶ ମଧ୍ୟରେ ଖେଳାଯାଉଥିବା ସମସ୍ତ କ୍ରିକେଟ ମ୍ୟାଚ୍‌ ହାଇଭୋଲଟେଜ୍‌ ଲଢେ଼ଇ ହୋଇଥାଏ। ଏଣୁ ଆଜିର ଫାଇନାଲ ଯେ ଆଉ ଏକ ହାଇଭୋଲଟେଜ୍‌ ମୁକାବିଲା ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଯେନତେନ ପ୍ରକାରେ ସମସ୍ତ ୬ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଛି। ପାକିସ୍ତାନ ୨ଟି ମ୍ୟାଚ୍‌ ହାରି ଫାଇନାଲରେ ପ୍ରବେଶ କରିଛି। ଏହି ୨ଟି ଯାକ ମ୍ୟାଚ୍‌ ଭାରତ ନିକଟରୁ ଗ୍ରୁପ୍‌-ଏ’ ଲିଗ୍‌ରେ ଓ ସୁପର-୪’ରେ ହାରିଛି ପାକିସ୍ତାନ।

ଏଠାରେ ଖେଳ ଅପେକ୍ଷା ପଡ଼ିଆ ବାହାରର ଘଟଣାବଳୀକୁ ନେଇ ବେଶ ଚର୍ଚ୍ଚା ବେଶି ହୋଇଛି। ଉଭୟ ଦଳ ଅଧିନାୟକ ଟସ୍‌ ବେଳକୁ କିମ୍ବା ମ୍ୟାଚ୍‌ ପରେ ପରସ୍ପର ସହ ହାତ ନ ମିଳାଇବା ଘଟଣା ଘଟିଯାଇଛି। ଅଶୋଭନୀୟ ତଥା ଅଣଖେଳୱାଡ଼ ମନୋଭାବ ପୋଷଣ କରି ଆଇସିସି ଆଚରଣ ସଂହିତା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନୀ ଫାଷ୍ଟ ବୋଲର ହାରିସ୍‌ ରୌଫ୍‌ ଦଣ୍ଡିତ ହୋଇଛନ୍ତି। ପାକିସ୍ତାନୀ ଓପନର ସାହିବଜାଦା ଫରହାନଙ୍କୁ ଚେତାବନୀ ଦିଆଯାଇଛି। ଏଭଳି ସମସ୍ୟା ମଧ୍ୟରେ ଆଜିର ଫାଇନାଲ କି ପ୍ରକାର ଘଟଣାକୁ ଲୁଚାଇ ରଖିଛି ତାହା ଖେଳ ଶେଷରେ ଜଣାପଡ଼ିବ।

ଫାଇନାଲ ମୁକାବିଲା ପୂର୍ବରୁ ଦୁଇ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପରସ୍ପର ସହ ୨ଥର ଭେଟାଭେଟି ହୋଇଛନ୍ତି। ଉଭୟ ମୁକାବିଲାରେ ଜିତିଛି ଭାରତ। ଉଭୟ ଦଳ ପରସ୍ପର ଖେଳ ଓ ରଣନୀତି ସମ୍ପର୍କରେ ବେଶ ଅବଗତ। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପକ୍ଷରୁ ଦୁଇ ଖେଳାଳି ଯଥା ଭାରତର ୨୫ ବର୍ଷୀୟ ଓପନର ଅଭିଷେକ ଶର୍ମା ଓ ପାକିସ୍ତାନର ୨୫ ବର୍ଷୀୟ ଫାଷ୍ଟବୋଲର ସାହିନ ଆଫ୍ରିଦୀଙ୍କ ଉପରେ ଏହି ମ୍ୟାଚ୍‌ ଅନେକାଂଶରେ ନିର୍ଭର କରୁଛି। ଅଭିଷେକ ଶର୍ମା ୬ଟି ମ୍ୟାଚ୍‌ ଖେଳି ୫୧.୫୦ ହାରରେ ୩୦୯ ରନ୍‌ ସଂଗ୍ରହ କରିଛନ୍ତି। ସୁପର-୪’ର ୩ଟି ମ୍ୟାଚ୍‌ରେ ସେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କ ଷ୍ଟ୍ରାଇକ୍‌ରେଟ୍‌। ସେ ୨୦୪.୬୩ ଷ୍ଟ୍ରାଇକ୍‌ ରେଟ୍‌ରେ ଏହି ରନ୍‌ ସଂଗ୍ରହ କରିଛନ୍ତି। ପାକିସ୍ତାନ ବିପକ୍ଷ ୨ଟି ମୁକାବିଲା ମଧ୍ୟରୁ ଲିଗ୍‌ ପର୍ଯ୍ୟାୟରେ ୧୩ ବଲ୍‌ରୁ ୩୧ ଓ ସୁପର-୪ରେ ୩୯ ବଲ୍‌ରୁ ୭୪ ରନ୍‌ କରି ଏକାକୀ ଭାରତକୁ ଜିତାଇବାରେ ସମର୍ଥ ହୋଇଛନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଭାରତ ପୂରା ନିର୍ଭର କରୁଛି।

ଅନ୍ୟ ପକ୍ଷରେ ଆଫ୍ରିଦୀ ୨ ବର୍ଷ ତଳେ ଯେମିତି ଘାତକ ବୋଲର ଥିଲେ ତାହା ଏବେ ନାହାନ୍ତି। କିନ୍ତୁ ଭାରତଠାରୁ ହାରିବା ପରେ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷରେ ତାଙ୍କ ବୋଲିଂ ଯୋଗୁଁ ପାକିସ୍ତାନ ବିଜୟୀ ହୋଇଛି। ଉଭୟ ମୁକାବିଲାର ପ୍ରଥମ ଓଭରରେ ଗୋଟିଏ ଓ ପାୱାର ପ୍ଲେ ମଧ୍ୟରେ ୨ଟି ୱିକେଟ ନେଇ ପାକିସ୍ତାନକୁ ବିଜୟୀ କରାଇଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ରେ ସେ ୩ଟି ଲେଖାଏଁ ୱିକେଟ ନେଇଛନ୍ତି। ଏହି ପ୍ରଦର୍ଶନରୁ ସେ ପୂର୍ବର ସାହିନ ବୋଲି ଜଣାପଡ଼ିଛି। ଭାରତ ବିପକ୍ଷରେ ପାକିସ୍ତାନକୁ ବିଜୟୀ ହେବାକୁ ହେଲେ ସାହିନ ଆଫ୍ରିଦୀଙ୍କ ବୋଲିଂ ସଫଳତା ପାଇବା ଆବଶ୍ୟକ।

ଫିଲ୍ଡିଂ ଓ ବ୍ୟାଟିଂ ଉଭୟ ଦଳର ବଡ଼ ସମସ୍ୟା 

ଅଭିଷେକ ଶର୍ମାଙ୍କୁ ଛାଡ଼ିଦେଲେ ଭାରତର ବ୍ୟାଟିଂ କ୍ଲିକ୍‌ କରିନାହିଁ। ଅଧିନାୟକ ସୂର୍ଯ୍ୟକୁମାର ଫର୍ମରେ ନ ଥିଲାବେଳେ ଉପଅଧିନାୟକ ଶୁବମନ ଗିଲଙ୍କ ବ୍ୟାଟରୁ ମଡ଼ ସ୍କୋର ବାହାରୁ ନାହିଁ। ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ଅକ୍ଷର ପଟେଲ ଆବଶ୍ୟକତା ପୂରଣ କରିପାରୁ ନାହାନ୍ତି। ଗିଲ୍‌ଙ୍କ ଅନୁପସ୍ଥିତିରେ ବ୍ୟାଟିଂ ଓପନର କରି ସଫଳତା ପାଇଥିବା ସଞ୍ଜୁ ସାମସନଙ୍କ ଉପରେ ଟିମ୍‌ ମ୍ୟାନେଜମେଣ୍ଟର ଭରସା ନାହିଁ। ପାକିସ୍ତାନର ଅବସ୍ଥା ମଧ୍ୟ ତଦ୍ରୁପ। କିନ୍ତୁ କେହି ହେଲେ ମ୍ୟାଚ୍‌ ବିଜୟୀ କରାଇପାରୁଛନ୍ତି। ଭାରତ ବିପକ୍ଷରେ ସେମାନେ ଭଲ କରିବେ ବୋଲି ଆଶା କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ସବୁଠାରୁ ବଡ଼ ସମସ୍ୟା ହେଉଛି ଫିଲ୍ଡିଂ। ଫିଲ୍ଡିଂ ଖରାପ ହେବା ବା କ୍ୟାଚ୍‌ ଡ୍ରପ୍‌ ହେବା ଫଳରେ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଫାଇଦା ମିଳୁଛି। ଭାରତ ଏଯାଏ ଖେଳିଥିବା ୬ଟି ମ୍ୟାଚ୍‌ରେ ୧୨ଟି କ୍ୟାଚ୍‌ ହାତଛଡ଼ା କରିଛି। ଏହା ମଧ୍ୟରୁ ଗତ ଦୁଇଟି ସୁପର-୪ ମ୍ୟାଚ୍‌ରେ ୮ଟି ଓ କେବଳ ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂରେ ୪ଟି କ୍ୟାଚ୍‌ ଡ୍ରପ୍‌ ହୋଇଛି। ପାକିସ୍ତାନ ବିପକ୍ଷରେ ଫିଲ୍ଡରମାନେ ଯଦି ଏପରି ଦୋହରାଇବେ ତେବେ ଦଳକୁ ଫାଇନାଲ ଜିତିବା କଷ୍ଟକର ହୋଇପଡ଼ିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button