ଦେଶ- ବିଦେଶ

ଆମେରିକା ଦ୍ବାରା ପ୍ରତ୍ୟର୍ପିତଙ୍କୁ ନେଇ ଏଭଳି କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଚାଲିଛି। ଗୁରୁବାର ଦିନ ବିରୋଧୀ ସାଂସଦମାନେ ଆମେରିକାରୁ କଥିତ ଅବୈଧ ଭାରତୀୟ ପ୍ରବାସୀଙ୍କୁ ପ୍ରତ୍ୟରପଣ ପ୍ରସଙ୍ଗରେ ହଙ୍ଗାମା କରିଥିଲେ, ଯାହା ଫଳରେ ଗୃହର କାର୍ଯ୍ୟକୁ ଦୁଇଥର ମୁଲତବୀ ରଖିବାକୁ ପଡିଥିଲା। ଏବେ ଏହି ପ୍ରସଙ୍ଗରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଜ୍ୟସଭାରେ ନିଜର ପକ୍ଷ ଉପସ୍ଥାପନ କରିଛନ୍ତି। ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି ଯେ ଆମେରିକାରୁ ଫେରାଇ ପଠାଯିବା ସମୟରେ ଭାରତୀୟ ନାଗରିକଙ୍କ ସହ ଅମାନବୀୟ ବ୍ୟବହାର କରାଯାଇଥିଲା। ଯାହା ଉପରେ ଏବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସଂସଦରେ ନିଜର ମତ ରଖିଛନ୍ତି। ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟରପଣ କିଛି ନୂଆ କଥା ନୁହେଁ, ଆମେରିକା ନିୟମ ଅନୁଯାୟୀ ଭାରତୀୟମାନଙ୍କୁ ପଠାଇଛି। ଆମେରିକାରୁ ନିର୍ବାସିତ ଭାରତୀୟ ନାଗରିକଙ୍କ ଉପରେ ରାଜ୍ୟସଭାରେ ଉତ୍ତର ରଖି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, “ଯଦି କୌଣସି ନାଗରିକ ବିଦେଶରେ ଅବୈଧ ଭାବରେ ରହୁଛନ୍ତି, ତେବେ ସେମାନଙ୍କୁ ଫେରାଇ ଆଣିବା ସମସ୍ତ ଦେଶର ଦାୟିତ୍ୱ।” ସେ କହିଛନ୍ତି ଯେ ଫେରି ଆସୁଥିବା ନିର୍ବାସିତମାନଙ୍କ ସହିତ ଯେପରି କୌଣସି ଦୁର୍ବ୍ୟବହାର ନ ହୁଏ ତାହା ନିଶ୍ଚିତ କରିବା ପାଇଁ ଆମେ ଆମେରିକୀୟ ସରକାରଙ୍କ ସହିତ ଆଲୋଚନା କରୁଛୁ।

ଆମେରିକାରୁ ନିର୍ବାସିତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ରାଜ୍ୟସଭାରେ କଂଗ୍ରେସ ସାଂସଦ ରଣଦୀପ ସିଂହ ସୁରଜେୱାଲାଙ୍କ ଦ୍ୱାରା ଉଠାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି, “ଆମେ ଜାଣୁ ଯେ ଗତକାଲି (ଫେବୃଆରୀ ୦୫) ୧୦୪ ଜଣ ଲୋକ ଭାରତ ଫେରିଛନ୍ତି। ଆମେ ସେମାନଙ୍କର ଜାତୀୟତା ନିଶ୍ଚିତ କରିଛୁ। ଆମେ ଭାବିବା ଉଚିତ୍ ନୁହେଁ ଯେ ଏହା ଏକ ନୂତନ ପ୍ରସଙ୍ଗ। ଏହା ପୂର୍ବରୁ ମଧ୍ୟ ଘଟିଆସିଛି।”

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, “ଆମେରିକା ଦ୍ୱାରା ଦେଶାନ୍ତର ଇମିଗ୍ରେସନ କଷ୍ଟମ୍ସ ଏନଫୋର୍ସମେଣ୍ଟ (ICE) କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଏ। ଆଇସିଇ ଦ୍ୱାରା ଆମକୁ କୁହାଯାଇଛି ଯେ ମହିଳା ଏବଂ ଶିଶୁମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ।” ରାଜ୍ୟସଭାରେ ଭାଷଣ ଦେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି, “ଫେରି ଆସୁଥିବା ପ୍ରତ୍ୟେକ ବ୍ୟକ୍ତି (ଆମେରିକାରୁ ନିର୍ବାସିତ ଭାରତୀୟ)ଙ୍କ ସହିତ ବସି ସେମାନେ ଆମେରିକା କିପରି ପହଞ୍ଚିଲେ, ଏଜେଣ୍ଟ କିଏ ଥିଲା ଏବଂ ଏହା ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଆମେ କିପରି ସତର୍କତା ଅବଲମ୍ବନ କରିପାରିବା ତାହା ଜାଣିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button