ରାଜ୍ୟ

ବାରବାଟୀ ଦିନିକିଆ: ଅବ୍ୟବସ୍ଥା ସୀମା ଟପିଲା, ଦିନକରେ ଟିକେଟ୍ ଶେଷ

କଟକ: ଗୋଟିଏ ଦିନରେ ସରିଗଲା ଫେବ୍ରୁଆରି ୯ ତାରିଖରେ ହେବାକୁ ଥିବା ବାରବାଟୀ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ର ସବୁ ଟିକେଟ୍‌। ଆସନ୍ତାକାଲି ଆଉ କାଉଣ୍ଟର ଖୋଲିବ ନାହିଁ ବୋଲି ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (ଓସିଏ) ଲିଖିତ ଭାବେ ସ୍ପଷ୍ଟ କରି ଦେଇଛି। କିନ୍ତୁ ଘୋର ଅବ୍ୟବସ୍ଥା ଭିତରେ ଟିକେଟ୍‌ ହାତେଇବାକୁ କ୍ରିକେଟପ୍ରେମୀ ନୟାନ୍ତ ହୋଇଛନ୍ତି। ଗତକାଲି ସଂଧ୍ୟାରୁ ଟିକେଟ୍ ପାଇଁ ଲୋକ ଜମା ହୋଇଥିଲେ। ଆଜି କିନ୍ତୁ ନିର୍ଦ୍ଧାରିତ ସମୟର ୪୦ମିନିଟ୍ ବିଳମ୍ବରେ ଖୋଲିଲା ଟିକେଟ୍ କାଉଣ୍ଟର୍‌। କାଉଣ୍ଟର୍‌ରୁ ଟିକେଟ୍ କିଣିବା ପରେ ଆସିବାକୁ ଆଉ ବାଟ ନଥିଲା। ବ୍ୟାରିକେଡ୍‌ ମଧ୍ୟରେ ଫସି ଅଣନିଶ୍ବାସୀ ହୋଇ ଶହେରୁ ଅଧିକ ଅସୁସ୍ଥ ହେଲେ। ସେପଟେ ପାନୀୟ ଜଳ ବ୍ୟବସ୍ଥା ଥିଲେ ବି ଲୋକେ ପାଣି ପାଖକୁ ଯାଇପାରିଲେ ନାହିଁ। ଶେଷରେ ବ୍ୟାରିକେଡ୍‌ କାଟି ଅସ୍ଥାୟୀ ବାଟ ବାହାର କଲେ ଡିସିପି। କିନ୍ତୁ ସେଠାରେ ଆମ୍ବୁଲାନ୍ସ ନ ଥିବାରୁ ଅସୁସ୍ଥ ଲୋକେ ଘରୋଇ ଗାଡ଼ିରେ ଡାକ୍ତରଖାନା ଗଲେ। ଏଭଳି ଅବ୍ୟବସ୍ଥାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଆଉ କାଉଣ୍ଟର୍‌ ଖୋଲିବନି
ଦିନ ତମାମ ଅଭାବନୀୟ ପରିସ୍ଥିତି
ଶହେରୁ ଅଧିକ ଖେଳପ୍ରେମୀ ଅସୁସ୍ଥ

ବାରବାଟୀ‌ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍‌ ପାଇଁ ଗଲା ୨ ତାରିଖରେ ୪ ହଜାର ଟିକେଟ୍ ଅନ୍‌ଲାଇନ୍‌ରେ ବିକ୍ରି ହୋଇଥିବା ବେଳେ ୩ ଓ ୪ ତାରିଖ ଦୁଇଦିନ ଧରି ପାଖାପାଖି ୯ହଜାର ଟିକେଟ୍ ଓସିଏ ସହ ଅନୁବନ୍ଧିତ ଅନୁଷ୍ଠାନଗୁଡ଼ିକୁ ବିକ୍ରି କରାଯାଇଥିଲା। ଓସିଏ କାର୍ଯ୍ୟସୂଚୀ ଅନୁସାରେ ୫ ଓ ୬ତାରିଖ ଦୁଇଦିନ ସାଧାରଣ ଦର୍ଶକଙ୍କ ପାଇଁ ୧୧ହଜାରରୁ ସାମାନ୍ୟ ଅଧିକ ଟିକେଟ୍ କାଉଣ୍ଟରରେ ବିକ୍ରି ପାଇଁ ରହିଥିଲା। ସେଥିପାଇଁ ଗତକାଲି ରାତିରୁ ୧୯ ହଜାରରୁ ଅଧିକ କ୍ରିକେଟ ପ୍ରେମୀ ବାରବାଟୀ ଷ୍ଟାଡିୟୟ କାଉଣ୍ଟର୍‌ ସମ୍ମୁଖରେ ଧାଡ଼ି ବାନ୍ଧିଥିଲେ। ଟିକେଟ୍‌ ବିକ୍ରି ପାଇଁ ମୋଟ ୪ଟି କାଉଣ୍ଟର୍‌ ଖୋଲିଥିବା ବେଳେ ସେଣ୍ଟ ଜାଭିୟର୍ସ ପାଖରେ ବିଭିନ୍ନ ଗ୍ୟାଲେରି ପାଇଁ ୩ଟି କାଉଣ୍ଟର୍‌ ଖୋଲିଥିଲା। ଚତୁର୍ଥ କାଉଣ୍ଟର୍‌ଟି ହର୍ସ ଗେଟ୍ ପାଖରେ ଖୋଲିଥିଲା। ସେଥିରେ ଅଧିକ ଦାମ୍‌ର ଟିକେଟ୍ ମିଳୁଥିଲା। ଗ୍ୟାଲେରି ପାଇଁ ଖୋଲିଥିବା ୩ଟି କାଉଣ୍ଟର୍‌ ସମ୍ମୁଖରେ ୫ଟି ବ୍ୟାରିକେଡ୍(ଧାଡ଼ି) ହୋଇଥିଲେ ମଧ୍ୟ ଟିକେଟ୍ କିଣିବା ପରେ ଆସିବାକୁ ବାଟ ନଥିଲା। ପ୍ରସ୍ଥାନ ବାଟରେ ଲୋକ ପ୍ରବେଶ କରିବାରୁ ଲମ୍ବା ଧାଡ଼ିରେ ବହୁସମୟ ଅଟକି ରହିଥିଲେ।

ଫଳରେ ୧୦୦ରୁ ଅଧିକ ଲୋକ ଅଣନିଶ୍ବାସୀ ହୋଇ ଅସୁସ୍ଥ ହୋଇଥିଲେ। ଏପରି ଅବସ୍ଥା ହୋଇଥିଲା ଯେ ଲୋକେ ପାଣି ପିଇବାକୁ ବି ଆସିବା ସମ୍ଭବ ହୋଇନଥିଲା। ଅପରାହ୍‌ଣ ସାଢ଼େ ୧୨ଟାରେ ଡିସିପି ସେଠାରେ ପହଞ୍ଚି ବ୍ୟାରିକେଡ୍‌କୁ କାଟି ଭିଡ଼ରେ ଫସିଥିବା ଲୋକଙ୍କୁ ବାହାରକୁ କାଢ଼ିଥିଲେ। ଅବ୍ୟବସ୍ଥା ଯୋଗୁଁ ଅନେକ ଲୋକ ବହୁ ସମୟ ଧାଡ଼ିରେ ଠିଆ ହୋଇ ମଧ୍ୟ ଟିକେଟ୍ ପାଇପାରି ନ ଥିଲେ। ଆଜି ସକାଳ ୯ଟାରୁ କାଉଣ୍ଟର୍‌ ଖୋଲିବାକୁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲେ ବି ୪୦ ମିନିଟ୍ ବିଳମ୍ବରେ କାଉଣ୍ଟର୍‌ ଖୋଲିଥିଲା। ଆଜି ସଂଧ୍ୟାରେ କାଉଣ୍ଟର୍‌ ବନ୍ଦ ବେଳକୁ ସବୁ ଗ୍ୟାଲେରି ଟିକେଟ୍‌ ସରିଯାଇଥିଲା। କାଲିଠାରୁ ଅପେକ୍ଷା କରିଥିବା ହଜାର ହଜାର କ୍ରିକେଟ ପ୍ରେମୀଙ୍କୁ ଶେଷରେ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ପୂର୍ବରୁ କ୍ରୀଡ଼ାମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କାଉଣ୍ଟର୍‌ରେ ଟିକେଟ୍ ବିକ୍ରିକୁ ପ୍ରାଧାନ୍ୟ ଦିଆଯିବା ସହିତ ଟିକେଟ୍ କିଣିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ପାନୀୟ ଜଳ, ଓଡ଼ିଶା କ୍ରିକେଟ୍ ଏକାଡେମି ପାଖରେ ବିଶ୍ରାମ ବ୍ୟବସ୍ଥା, ମୁଣ୍ଡ ଉପରେ ସେଡ୍, ଅସୁସ୍ଥ ଦର୍ଶକଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବାକୁ ଆଲୋଚନା ହୋଇଥିଲେ ବି ଆଜି ଏସବୁ କିଛି ଦେଖିବାକୁ ମିଳି ନଥିଲା। ବହୁଲୋକ ଅସୁସ୍ଥ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅପରାହ୍ଣ ୨ଟା ପରେ ଦୁଇଟି ଆମ୍ବୁଲାନ୍ସ ଆସିଥିଲା।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button