ରାଜ୍ୟ

ଆଉ ଦୁଇ ଦିନ କୁହୁଡ଼ି: ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଆଉ ଦୁଇ ଦିନ ଯାଏ କଲବଲ କରିବ କୁହୁଡ଼ି। ବିଶେଷକରି ଉପକୂଳବର୍ତ୍ତି ଜିଲ୍ଲାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟତା ହ୍ରାସପାଇବ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ମଧ୍ୟରାତ୍ରିରୁ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ପ୍ରଭାବ ରହିବ ବୋଲି କୁହାଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ବା ୨୮ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ଏସବୁକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ବିଶେଷ କରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ରହିଛି। ଏହା ସହିତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ କୁହୁଡ଼ି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି।

ଏସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା‌ରେ ‌ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସବୁ ଜିଲ୍ଲାରେ ୫୦ କିମ୍ବା ୫୦ରୁ କମ୍‌ ମିଟର ଦୃଶ୍ୟତା ରହିପାରେ। ଗତକାଲି ଭୁବନେଶ୍ବରରେ ଘନ କୁହୁଡ଼ି ଦେଖାଦେଇଥିଲା। ଏଠାରେ ଦୃଶ୍ୟତା ଥିଲା ୩୦ ମିଟର। ରାତି ୧୧ଟାରୁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ୨୮ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଥିବାରୁ ଭୁବନେଶ୍ବରରେ ଘନ କୁହୁଡ଼ି ଦେଖାଦେବ। ଏପଟେ ଗତକାଲି ଭୁବନେଶ୍ବର ସହ ଅନୁଗୁଳ, କଟକ, କେନ୍ଦୁଝର, ନୟାଗଡ଼ ଓ ଢେଙ୍କାନାଳରେ ଘନକୁହୁଡ଼ି ଯୋଗୁ ଦୃଶ୍ୟତା ୨୦୦ମି ରହିଥିଲା। ସେହିଭଳି ବାଲେଶ୍ବର ଓ ଚାନ୍ଦବାଲିରେ ଦୃଶ୍ୟତା ୫୦୦ ମିଟର ଓ ପାରାଦୀପ, ଗୋପାଳପୁର, ପୁରୀ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ଦୃଶ୍ୟତା ୧କିମି ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୫ ଓ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ା (୩୩.୪ ଡିଗ୍ରି)ରେ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ସର୍ବନିମ୍ନ ୧୭.୬ ଡିଗ୍ରି ଓ କଟକରେ ୧୮ ଡିଗ୍ରି ରେକର୍ଡ କରାଯାଇଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button