ସ୍ୱାସ୍ଥ୍ୟ

କେଶ ପାଇଁ ଅଁଳାପାଣି

ବିଭିନ୍ନ ପ୍ରକାର କେଶ ସମସ୍ୟା ପ୍ରତିକାର ନିମନ୍ତେ ଅଁଳାପାଣି ଅବ୍ୟର୍ଥ ପ୍ରାକୃତିକ ଉପଚାର ଭାବେ କାର୍ଯ୍ୟକରିଥାଏ। ଏହା କେଶ ବୃଦ୍ଧି କରିବା, କେଶ ପାଚିବା ବନ୍ଦ କରିବା ସହିତ ମୁଣ୍ଡର ତ୍ବଚାକୁ ସୁସ୍ଥ ଓ ସତେଜ ରଖେ। ସଜ କିମ୍ବା ଶୁଷ୍କ ଅଁଳାରେ ପାଣି ପ୍ରସ୍ତୁତ କରି କେଶରେ ଲଗାଇଲେ, ମାଲିସ କଲେ କିଂବା କେଶ ହକାଳିଲେ ସୁଫଳ ମିଳେ। ଅଁଳାରେ ଭିଟାମିନ୍‌-ସି, ଆଣ୍ଟିଅକ୍ସିଡାଣ୍ଟ୍‌ ଓ ଅତ୍ୟାବଶ୍ୟକ ତୈଳଜ ଅମ୍ଳ ଭରପୂର ଥିବାରୁ ଏହାଦ୍ବାରା କେଶ ଗହବା ଓ ଲମ୍ବା ହୋଇଥାଏ।

କେମିତି କେଶବୃଦ୍ଧି କରେ: ଭିଟାମିନ୍‌ ସି’ରେ ସମୃଦ୍ଧ ଅଁଳା ଚର୍ମ ଆଦିରେ ଥିବା କୋଲଜିନ୍‌ ପୁଷ୍ଟିସାର ସମ୍ମିଶ୍ରିତ ହେବାରେ ସହାୟକ ହୁଏ। ତେଣୁ ଅଁଳାପାଣି ପିଇବା ଦ୍ବାରା କିଂବା ଲଗାଇବା ଦ୍ବାରା କେଶକୂପ ସୁଦୃଢ଼ ହୋଇ ସୁସ୍ଥ ସୁନ୍ଦର ଘନ କେଶରାଶି ବୃଦ୍ଧି ନିମନ୍ତେ ମୁଣ୍ଡରେ ଥିବା ତ୍ବଚାକୁ ପୋଷଣ ଯୋଗାଏ। ମୁଣ୍ଡ ତ୍ବଚାରେ ଉତ୍ତମ ରକ୍ତ ସଞ୍ଚାଳନ କରିବା ସହିତ ରୁପି, କୁଣ୍ଡିଆ ଓ ଅନ୍ୟାନ୍ୟ ସଂକ୍ରମଣ ପ୍ରତିହତ କରେ। ଏଥିସହ ଅଁଳାପାଣି ମୁଣ୍ଡ ତ୍ବଚାରେ ହେଉଥିବା ତୈଳ ନିର୍ଗମନ ସନ୍ତୁଳିତ କରି ରଖୁଥିବାରୁ କେଶମୂଳରେ ଦୂଷିତ ପଦାର୍ଥ ଜମେନାହିଁ।କେଶ ପାଚିବା ବନ୍ଦକରେ: ଅସମୟରେ ପାଚି ଯାଉଥିବା କେଶ କଳା ରଖିବାରେ ଅଁଳାପାଣି ସହାୟକ ହୋଇଥାଏ। ଜୀବକୋଷରେ ରାସାୟନିକ ପରିବର୍ତ୍ତନ ଯୋଗୁଁ କେତେକଙ୍କର ସ୍ବାଭାବିକ ବାର୍ଦ୍ଧକ୍ୟାବସ୍ଥା ପୂର୍ବରୁ କେଶ ଧଳାପଡ଼ିଯାଏ। ଅଁଳାପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଜୀବକୋଷରେ ଘଟୁଥିବା ଏ ଧରଣର ରାସାୟନିକ ପରିବର୍ତ୍ତନ ପ୍ରତିହତ କରେ। ନିୟମିତ ଅଁଳାପାଣି ବ୍ୟବହାର କଲେ କେଶର ପ୍ରାକୃତିକ ରଙ୍ଗ ଫେରି ଆସେ ଏବଂ କେଶ କୋମଳ ଓ ଉଜ୍ଜ୍ବଳ ଦିଶେ।
କେଶ ଗହଳ ଓ ଟାଣ କରେ: ଅଁଳାପାଣି ଆଣ୍ଟିଅକ୍ସିଡାଣ୍ଟ୍‌ ଓ ପୋଷକତତ୍ତ୍ବରେ ସମୃଦ୍ଧ। ଏ ସବୁ ଉପାଦାନ କେଶମୂଳ ଟାଣ କରେ।

ଫଳରେ କେଶ ସହଜରେ ଛିଡ଼େନାହିଁ କି, ତା’ର ଶେଷଭାଗ ଦୁଇକେନିଆ ହୁଏନାହିଁ। ନିୟମିତ ଅଁଳାପାଣି ପ୍ରୟୋଗ କଲେ ସମୟକ୍ରମେ କେଶ ଗହଳିଆ ହୋଇଯାଏ। ତେଣୁ, ଖରା ଏବଂ ପରିବେଶରୁ ଜାତ ପ୍ରଦୂଷଣ ସଂସ୍ପର୍ଶରେ ଆସି ସୁଦ୍ଧା କ୍ଷୟ ହୁଏନାହିଁ। ଅଁଳାପାଣି ପ୍ରସ୍ତୁତି:କଞ୍ଚା ଅଁଳା ଚୂନା ଚୂନା କରି କାଟି ନତୁବା ଶୁଷ୍କ ଅଁଳାଗୁଣ୍ଡରୁ ଅଁଳା ପାଣି ତିଆରି କରିହେବ। କଟା କିଂବା ଗୁଣ୍ଡ ଅଁଳାକୁ ଗୋଟିଏ କି, ଦୁଇ କପ୍‌ ପାଣିରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ତା’ପରେ ସୁନେଲୀ କିଂବା ଈଷତ୍‌ ବାଦାମୀ ପଡ଼ିଯାଇଥିବା ଉକ୍ତ ପାଣିକୁ ଥଣ୍ଡା କରି ଛାଙ୍କି ଗୋଟାଏ ପରିଷ୍କାର ବୋତଲରେ ରଖି ବ୍ୟବହାର କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button