ରାଜ୍ୟ

ରାତି ଅଧରେ ମାଡ଼ିଆସିଲା ଘନ କୁହୁଡ଼ି: ରାଜଧାନୀରେ ଦୃଶ୍ୟମାନ ଦୂରତା ୩୦ ମିଟର

ଭୁବନେଶ୍ୱର: ରାତି ୯ଟା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍‌ ଥିଲା। ରାସ୍ତାଘାଟ ଦେଖାଯାଉଥିଲା। କିନ୍ତୁ ରାତି ପ୍ରାୟ ସାଢ଼େ ୯ଟା ବେଳକୁ ହଠାତ ମାଡ଼ି ଆସିଲା ଘନ କୁହୁଡ଼ି। ରାସ୍ତା ତ ଦୂର କଥା, ମୁହଁ ବି ଦେଖାଗଲା ନାହିଁ। ଯେଉଁ ଗାଡ଼ିଗୁଡିକ କ୍ଷୀପ୍ର ଗତିରେ ଆଗକୁ ବଢ଼ୁଥିଲେ ସେମାନଙ୍କ ବେଗ କମିଗଲା। ଟ୍ରାଫିକ ଛକରେ ଗାଡ଼ିଗୁଡିକ ଅଟକି ରହିଲେ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଗାଡ଼ି ପରସ୍ପରକୁ ଅତିକ୍ରମ କଲେ। ଶୁକ୍ରବାର ରାତିରେ ରାଜଧାନୀ ଭୁବନେଶ୍ବରରେ ଏଭଳି ପରିସ୍ଥିତି ଉପୁଜିଥିଲା। ଖବର ଲେଖାଯିବା ବେଳକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଞ୍ଚଳ ସମେତ ଏଜି ଛକ, ମାଷ୍ଟରକ୍ୟାଣ୍ଟିନ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଜାଗମରା, ଜୟଦେବ ବିହାର, ବାଣୀବିହାର, ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ରାତି ୯ଟା୩୦ ସମୟରେ ଭୁବନେଶ୍ୱରରେ ଦୃଶ୍ୟମାନ ଦୂରତା ଏକ ହଜାର ମିଟର ରହିଥିଲା। ମାତ୍ର ୧ଘଣ୍ଟା ୩୦ ମିନିଟ ମଧ୍ୟରେ ଦୃଶ୍ୟମାନ ଦୂରତା ୯୭୦ମିଟର ହ୍ରାସ ପାଇ ରାତି ୧୧ଟା ସୁଦ୍ଧା ୩୦ ମିଟରରେ ପହଞ୍ଚିଯାଇଥିଲା। ଯାହାକି ଅତିଘନ କୁହୁଡ଼ି ପରିସରଭୁକ୍ତ। ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ପୁରୀ ଜିଲ୍ଲାରେ ଘନ କୁହୁଡି ବଢ଼ୁଛି। ୫୦ରୁ ୧୦୦ ମିଟର ଦୂରତାରେ ଥିବା ବସ୍ତୁକୁ ଦେଖବା ସମ୍ଭବ ହେଉନାହିଁ। କୁହୁଡ଼ି ହେବାକୁ ଥିବା ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ି ସମୟରେ ଯେପରି କୌଣସି ଦୁର୍ଘଟଣା ନ ଘଟେ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ରାଜଧାନୀରେ ଦୃଶ୍ୟମାନ ଦୂରତା ୩୦ ମିଟର
ରାସ୍ତାଘାଟ ଦେଖାଯାଉନି, ଗାଡ଼ି ଚଳାଚଳରେ ବାଧା
ବିମାନ ଓ ଟ୍ରେନ୍‌ ସେବା ପ୍ରଭାବିତ, ଯାତ୍ରୀ ହଇରାଣ

ସେପଟେ ଆଜି ଭୋର ସମୟରେ ଭୁବନେଶ୍ୱର-କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ୧୦୦ ମିଟର ଦୂର ପର୍ଯ୍ୟନ୍ତ ମୁହଁକୁ ମୁହଁ ଠିକ୍‌ ଭାବେ ଦେଖା ଯାଇନଥିଲା। ପରିଣାମସ୍ବରୂପ ସାଧାରଣ ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିବା ସହ ଦୃଶ୍ୟମାନ ଦୂରତା କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନ ଓ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି। ସକାଳେ ଲୋକେ ଗାଡ଼ି ଲାଇଟ୍‌ ଜଳାଇ ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। କୁହୁଡ଼ି ଅଧିକ ହେବାରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ପ୍ରାୟ ୫ଟି ବିମାନ ବିଳମ୍ବରେ ଛାଡ଼ିଥିଲା। ରାତିରେ ମଧ୍ୟ ଏକାଧିକ ବିମାନ ଧାର୍ଯ୍ୟ ସମୟରେ ଉଡାଣ କରି ପାରିନାହିଁ। ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଅପେକ୍ଷା କରି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ପାଣିପାଗ ବିଭାଗ ଆହୁରି କହିଛି ଯେ ପୂର୍ବ-ଉତ୍ତରପୂର୍ବ ଦିଗରେ ପଶ୍ଚିମା ଝଡ଼ ଅଗ୍ରସର ହୋଇଥିବାରୁ ଏହାର ପ୍ରଭାବ କମିବ। ଏଥିସହ ରାଜ୍ୟର ଉତ୍ତର-ପଶ୍ଚିମ ଭାଗରେ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଧୀରେ ଧୀରେ ଗୁରୁଚାପ ବଳୟ ଦକ୍ଷିଣ ମୁହାଁ ହେବ। ‌ତେଣୁ ଆସନ୍ତାକାଲିଠାରୁ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ସହ ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ରାତି ତାପମାତ୍ରା ତଳମୁହାଁ ହେବାର ସମ୍ଭାବନା ରହିଛି। ଘନକୁହୁଡ଼ି ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ। ଅନ୍ୟପକ୍ଷରେ ମାଘ ମାସରେ ଟାଣ ଖରା ଅନୁଭୂତ ହେଲାଣି। ଦୀର୍ଘ ୫୨ ବର୍ଷ ପରେ କୋରାପୁଟରେ ଚଳିତବର୍ଷ ଜାନୁଆରିର ଦିନ ତାପମାତ୍ରା ରେକର୍ଡ ଭାଙ୍ଗିଛି। ୨୨ ତାରିଖ ପରି ଆଜି ମଧ୍ୟ ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରି ରହିଥିଲା। ମାତ୍ର ଦୁଇ ଦିନ ବ୍ୟବଧାନରେ ରାଜ୍ୟରେ ତାପମାତ୍ରାରେ ୪ରୁ ୫ ଡିଗ୍ରି ବୃଦ୍ଧି ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଏହାପରେ ପାରଦ ତଳମୁହାଁ ହେବାକୁ ଥିଲେ ମଧ୍ୟ ଶୀତ ଅନୁଭବ ହେବନି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଥିବାରୁ ଉତ୍ତର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଜି ଘନକୁହୁଡ଼ି ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button