ରାଜ୍ୟ

ଇବ୍‌ନଦୀରୁ ମିଳୁଛି ସୁନା: କଳାବାଲିରୁ ଛାଣି ଆଣୁଛନ୍ତି ଭୂୟାଁ ସଂପ୍ରଦାୟ

ସୁନ୍ଦରଗଡ଼: ଇବ୍‌ ନଦୀରେ ସୁନା। ଚମକି ପଡ଼ିଲେ କି। ସତ‌ରେ ଇବ୍‌ନଦୀ ଭିତରୁ ବାହାରୁଛି ସୁନା। ଏକଦା ଲେଫ୍ରିପଡ଼ା ଅଞ୍ଚଳ ଦେଇ ବୋହିଯାଉଥିବା ଇଚ୍ଛ‌ାନଦୀ ବାଲିରେ ସୁନା ମିଳୁଥିଲା। ନିକଟରେ ସେହି ନଦୀତଟ ବିଛୁଟୁଙ୍ଗୁରି ପାହାଡ଼ତଳେ ପର୍ଯ୍ୟାପ୍ତ ସୁନା ଗଚ୍ଛିତ ଥିବା କେନ୍ଦ୍ର ଭୂବୈଜ୍ଞାନିକଙ୍କ ସର୍ବେକ୍ଷଣ‌ରେ ଜଣାପଡ଼ିଥିବା କଥା ସାମନାକୁ ଆସିଥଲା। ଏବେ ଇବ୍‌ନଦୀରେ ସୁନା ମିଳିବା ଚର୍ଚ୍ଚାର ବିଷୟ ହୋଇଛି। ଏହା ମଧ୍ୟରେ କିଛିଦିନ ହେଲା ଏହି ନଦୀ ଅବବାହିକାରେ ହେଲିକପ୍ଟର ଯୋଗେ ଚାଲିଥିବା ସର୍ବେକ୍ଷଣ ଜିଲ୍ଲାରେ ସୁନାଖଣି ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି। ହେଲେ ଇବ୍‌ନଦୀର କେଉଁଠୁ ବାହରୁଛି ସୁନା। ପାଣି, ପଥର ନା ବାଲିରୁ?

ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା ପରେ ଜଣାପଡ଼ିଥିଲା ଯେ ଇବ୍ ନଦୀଗର୍ଭ ବାଲିରୁ କାହିଁ କେଉଁକାଳରୁ ସୁନା ବାହାରିବାର ନଜିର ରହିଛି। ତାକୁ ଛାଣି ବାହାର କରୁଛନ୍ତି ଛତିଶଗଡ଼ ଅଞ୍ଚଳର ଝରା ଓ ଭୂୟାଁର ସମ୍ପ୍ରଦାୟର ଲୋକେ। ଇବ୍‌ନଦୀ ପଡ଼ୋଶୀ ରାଜ୍ୟ ଛତିଶଗଡ଼ କୁନୁକୁରିରୁ ବାହାରି ସୁନ୍ଦରଗଡ଼ ଜିଲ୍ଲା ଦେଇ ଝାରସୁଗୁଡ଼ା-ସମ୍ବଲପୁର ସୀମାରେ ହୀରାକୁଦ ଜଳଭଣ୍ଡାରରେ ମିଶିଛି। ପିଢ଼ିପିଢ଼ି ଧରି ଏହି ନଦୀ ବାଲି‌ରୁ ସୁନା କାଢ଼ିବାକୁ ବୃତ୍ତି ଭାବେ ଗ୍ରହଣ କରି ନେଇଛନ୍ତି ସୁନ୍ଦରଗଡ଼ ସୀମାନ୍ତ ଛତିଶଗଡ଼ ଝରା ଓ ଭୂୟାଁର ଜନଜାତି। ଏମାନଙ୍କ ଜୀବନ ଇବ୍‌ନଦୀ ଅବବାହିକାରେ ହିଁ ବିତି ଯାଇଥାଏ। ଏହି ଗୋଷ୍ଠୀ ଇବ୍‌ନଦୀର ଯେଉଁ ଅଞ୍ଚଳକୁ ଯାଆନ୍ତି, ସେଠାରେ ମାସେରୁ ଦୁଇମାସ ପର୍ଯ୍ୟନ୍ତ ରହନ୍ତି। ଆଉ ସେଠାରୁ ସୁନା ବାହାର କରନ୍ତି। ଏବେ ଲଙ୍କାହୁଡ଼ା ଇବ୍‌ ନଦୀପଠାରେ ଡେରା ପକାଇଥିବା ଛତିଶଗଡ଼ ତପକରା ନିକଟ ପଣ୍ଡ୍ରିଆମ୍ବା ଗାଁର ୧୦ ଭୂୟାଁର ପରିବାର ବାଲିରୁ ସୁନା ସଂଗ୍ରହ କରୁଥିବା ଦେଖିବ‌ାକୁ ମିଳିଛି। ନଦୀମଝିରେ ଏମାନେ ବାଲିରେ ବଡ଼ ଆକାରର ଅନେକ ଗାତ ଖୋଳିଛନ୍ତି। ଯେଉଁଥିରେ ପାଣି ଭରି ରହିଛି।

ସକାଳେ ସୁନାଖୋଜା ଅଭିଯାନରେ ନଦୀକୁ ଓହ୍ଲାଇ ପଡ଼ନ୍ତି ପୁରୁଷ ଓ ମହିଳା। ହାତରେ ଏକ ଧାରୁଆ ଲୁହା ଓ ତା’ ସଙ୍ଗେ କାଠରେ ତିଆରି କୁଲା। ଧାରୁଆଲୁହାରେ ପାଣି ଭିତରେ ବାଲିକୁ ଖୋଳିବା ପରେ ତାକୁ କାଠକୁଲାରେ ଟେକିଆଣି ପାଣିରେ ଛାଣୁଛନ୍ତି। ପ୍ରଥମେ ମୋଟାବାଲି ବାହାରି ଯାଉଛି। ଏହା ପରେ କୁଲାରେ ରହିଯାଉଛି ଅଳ୍ପ କଳାବାଲି। ତାକୁ ଖେଳାଇଦେଲେ ଝଟକି ଉଠୁଛି ବାଲି ଆକାରର ସୁନା। ତାକୁ ଗୋଟାଇ ବାଲିପଠାରେ ଥିବା ଝୁମ୍ପୁଡ଼ିରେ ନିଆଁରେ ଆଉଟି ଛୋଟଛୋଟ ସୁନାର ବଟିକା ଭଳି ଆକୃତି କରିଥାନ୍ତି। ପରେ ଏହାକୁ ସୁନ୍ଦରଗଡ଼, ଛତିଶଗଡ଼ ଅଞ୍ଚଳର ସ୍ବର୍ଣ୍ଣକାରମାନଙ୍କଠାରେ ବିକ୍ରି କରନ୍ତି। ପଣ୍ଡ୍ରିଆମ୍ବା ଗାଁର କମଳାବାଈ ଓ ଦୀପେନ୍ଦ୍ରଙ୍କ କହିବା ଅନୁସାରେ, ଏଥିରୁ ଜଣେ ଜଣେ ମାସିକ ୧୫ରୁ ୨୦ ହଜାର ଟଙ୍କା ଆୟ କରିଥାନ୍ତି। ଏପରି ଶୁଦ୍ଧ ବା ଖାଣ୍ଟିସୁନା କେବଳ ସୁନ୍ଦରଗଡ଼ ଇବ୍‌ନଦୀରେ ହିଁ ମିଳିଥାଏ ବୋଲି କହୁଥି‌ଲେ ଭୂୟାଁର ମହିଳା କମଳା।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button