ଏଏସଓ ଚାକିରି ବିକ୍ରି ପ୍ରସଙ୍ଗ ତାତି: ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି
ଭୁବନେଶ୍ବର: ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ଶନିବାର ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ବିବୃତିକୁ ବିରୋଧ କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ନାରାବାଜି କରିଥିଲେ। ଏହା ପରେ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ସୁରମା ପାଢୀ ମୁଲତବି ଘୋଷଣା କରିଥିଲେ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଥିଲେ ଏଏସଓ ଚାକରି ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଶନିବାର ବିରୋଧୀ ଏହାକୁ ନେଇ ଗୃହରେ ନାରାବାଜି କରିଥିଲେ । କିଏ ଏବଂ କେଉଁଠି ଏଏସଓ ଚାକିରି ବିକ୍ରି କରିଥିଲେ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ବିଜେଡି ବିଧାୟକମାନେ ହଙ୍ଗାମା କରିବା ଯୋଗୁ ଗୃହକୁ ମୁଲତବି ରଖାଯାଇଥିଲା।
ସୂଚନାଯୋଗ୍ୟ, ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାରଙ୍କ ଅମଳରେ ରାଜ୍ୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଚାକିରି ୨୫-୩୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା । ନିଯୁକ୍ତି ଦାୟିତ୍ୱରେ ଯେଉଁ ଅଧିକାରୀମାନେ ରହୁଥିଲେ, ସେମାନଙ୍କର ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟରେ ସମ୍ପୃକ୍ତି ଥିଲା ।
ଗତ ୨୦୨୩ ବର୍ଷରେ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ତ୍ରୁଟି ହୋଇଥିବା ବେଳେ ସଚିବାଳୟ ନିଯୁକ୍ତିରେ ବଡ଼ ଧରଣରର ଚଞ୍ଚକତା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ ।
ଅଧିକ ପଢ଼ନ୍ତୁ: ଏଏସଓ ଚାକିରି ବିକ୍ରି କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଆଗାମୀ ପୀଢ଼ିଙ୍କ ଭବିଷ୍ୟତ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ । ପୂର୍ବ ସରକାରର ଏହି କାର୍ଯ୍ୟଧାରାକୁ ବର୍ତ୍ତମାନର ସରକାର ବନ୍ଦ କରିଛନ୍ତି। ପୂର୍ବ ସରକାର ସମୟରେ ରାଜ୍ୟରେ ନିଯୁକ୍ତିରେ କୌଣସି ସ୍ୱଚ୍ଛତା ନ ଥିଲା। ପ୍ରଶାସନ ଦୁର୍ନୀତି ହିଁ ଭରି ରହିଥିଲା। ନିଯୁକ୍ତି ପରୀକ୍ଷା ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ରାକେଟରେ ଲିପ୍ତ ରହୁଥିଲେ।