ରାଜ୍ୟ

ଲୋକାର୍ପିତ ହେଲା ‘ରେଡିଓ ସର୍ବୋଦୟ’: ଅନୁଗୁଳବାସୀଙ୍କ ରକ୍ଷା କବଚ ପାଲଟିବ

ଅନୁଗୁଳ: ଗାନ୍ଧୀବାଦୀ ସଙ୍ଗଠନ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ପ୍ରତିଷ୍ଠିତ ୮୯.୬ ଏଫ୍‌ଏମ୍‌ ‘ରେଡିଓ ସର୍ବୋଦୟ’ ଶୁକ୍ରବାର ସ୍ଥାନୀୟ ବାଜି ରାଉତ ଛାତ୍ରାବାସ ପରିସରରେ ଲୋକାର୍ପିତ ହୋଇଛି। ବିଶିଷ୍ଟ ଗାନ୍ଧୀବାଦୀ ତଥା କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ ଏହାକୁ ଲୋକାର୍ପଣ କରି କହିଥିଲେ, ଏବେ ଲୋକଙ୍କ ସ୍ୱରକୁ ଚାପି ଦେବା ପାଇଁ ବିଭିନ୍ନ ପ୍ରୟାସ ଚାଲିଥିଲା ବେଳେ ଏହି ନୂଆ ରେଡିଓ ଲୋକଙ୍କର ସ୍ୱର ସାଜିବ। ସର୍ବୋଦୟ ଆନ୍ଦୋଳନର ଇତିହାସରେ ଦେଶ ତଥା ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ଐତିହାସିକ ବାଜି ରାଉତ ଛାତ୍ରାବାସ ପରିସରରେ ‘ସର୍ବୋଦୟ ରେଡିଓ’ର ଶୁଭାରମ୍ଭ ଅତ୍ୟନ୍ତ ଆନନ୍ଦର ବିଷୟ। କାରଣ ଆଜାଦ ରେଡିଓ ୧୯୪୨ ମସିହାରେ ଉଷା ମେହେଟାଙ୍କ ଦାୟିତ୍ୱରେ ଆରମ୍ଭ ହୋଇଥିବା ବେଳେ ଏହା ଦେଶବାସୀଙ୍କ ନିକଟରେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ପହଞ୍ଚାଇଥିଲା।

ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ବେତାର କେନ୍ଦ୍ର ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏମ.ଏ ସାହା ଅନସାରୀ ଯୋଗ ଦେଇ ବିଗତ ଦିନରେ ଓଡ଼ିଶାରେ ଡାଲି ଦୁର୍ନୀତିର ଫର୍ଦ୍ଦାଫାସ ରେଡିଓ ମାଧ୍ୟମରେ ହୋଇଥିବା କହି ‘ରେଡିଓ ସର୍ବୋଦୟ’ ଅନୁଗୁଳବାସୀଙ୍କ ରକ୍ଷା କବଚ ପାଲଟିବ ବୋଲି ଆଶାବ୍ୟକ୍ତ କରିଥିଲେ। ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ କହିଥିଲେ, ଅନୁଗୁଳରେ ଆର୍ଥିକ ସମତା ଓ ପରିବେଶ ସୁରକ୍ଷା ଦିଗରେ ଏହି ରେଡିଓ କାର୍ଯ୍ୟ କରୁ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି, ଲୋହିଆ ଏକାଡେମିର ସମ୍ପାଦକ ଦେବପ୍ରସାଦ ରାୟ, ‘ରଙ୍ଗବତୀ’ ଗୀତର ଗାୟକ ଜିତେନ୍ଦ୍ର ହରିପାଲ, ଏସ.ଏ. ସଫିକ, ସୁବ୍ରତ ପତି, ଶିଶିର ଶତପଥୀ ପ୍ରମୁଖ ମତ ରଖିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ‘ରେଡିଓ ସର୍ବୋଦୟ’ର ନିର୍ଦେଶକ ଡ.ବିଶ୍ୱଜିତ୍ ସଞ୍ଚାଳନ କରିଥିବା ବେଳେ ସୂର୍ଯ୍ୟନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ସଭାପତି ଡ. ସତ୍ୟ ରାୟ ସଭାପତିତ୍ୱ କରିଥିବା ବେଳେ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଜୟନ୍ତ କୁମାର ଦାସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମନୋରଞ୍ଜନ ମହାନ୍ତି, ଛାତ୍ରାବାସ ସଭାପତି ଶୈଳଜ ରବି, ପ୍ରଫେସର ନନ୍ଦକିଶୋର ମହାକୁଡ଼, ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ମାନସ ପଟ୍ଟନାୟକ ରେଡିଓ ସଞ୍ଚାଳନ କରିଥିବା ବେଳେ ସୁଜାତା ପ୍ରୀତିନନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଗୁଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇଂ.ଧନେଶ୍ୱର ସାହୁ, ଅନ୍ତର୍ଯ୍ୟାମୀ ବରାଳ, ଆଦ୍ୟଶ୍ଳୋକ ମିଶ୍ର, କିଶୋର ଶତପଥୀ, ଛୋଟରାୟ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତାକାଲି ଲୋକାର୍ପଣ ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button