ରାଜ୍ୟ

ବଡ଼ବଡ଼ିଆ ତୁରନ୍ତ ରାସନ କାର୍ଡ ଫେରାନ୍ତୁ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ରାସନ କାର୍ଡ ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଇ‌-କେୱାଇସି ଯାଞ୍ଚ ପରେ ସରକାରୀ କର୍ମଚାରୀ, ଓଏଏସ୍‌ ଅଧିକାରୀ, ଡାକ୍ତର, ଅଧ୍ୟାପକ, ଶିକ୍ଷକ, ଯନ୍ତ୍ରୀ ଓ ଆୟକରଦାତା ରାସନ କାର୍ଡ ନେଇଥିବା ଜଣାପଡ଼ିଛି। ଏହି ପ୍ରସଙ୍ଗରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯେଉଁ ବଡ଼ବଡ଼ିଆମାନେ ରାସନ କାର୍ଡ ନେଇଛନ୍ତି ସେମାନେ ନିଜ ଆଡ଼ୁ ତୁରନ୍ତ କାର୍ଡ ଫେରାଇ ଦେବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହ୍ବାନ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ତାଗିଦ କରିଛନ୍ତି।

କ୍ଷେତ୍ରୀୟ ଯାଞ୍ଚ ପାଇଁ ଜିଲ୍ଲାକୁ ଦିଆଯାଇଛି ଏଚ୍‌ଆର୍‌ଏମ୍‌ଏସ୍ ତାଲିକା

ଶ୍ରୀ ପାତ୍ର କହିଛନ୍ତି ଯେ ସରକାର ଏବେ କେଉଁ ବଡ଼ବଡ଼ିଆ ରାସନ କାର୍ଡ ହାତେଇଛନ୍ତି ତାହାର ଖୋଜାଖୋଜି ଆରମ୍ଭ କରିଛନ୍ତି। ତାଲିକା ମଧ୍ୟ ଆସିସାରିଲାଣି। ତେଣୁ ସେମାନେ ନିଜ ଆଡ଼ୁ କାର୍ଡ ଫେରାଇ ଦିଅନ୍ତୁ। କାର୍ଡ ନ ଫେରାଇଲେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁଦିନରୁ କାର୍ଡ ନେଇଥିବେ ସେହି ଦିନଠାରୁ ହିସାବ କରି ତାଙ୍କଠାରୁ ଜରିମାନା ଅସୁଲ କରାଯିବ। ଇ-କେୱାଇସି ସରିଗଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।
ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏଚ୍‌ଆରଏମ୍‌ଏସ୍‌ରେ ଥିବା ସରକାରୀ କର୍ମଚାରୀଙ୍କ ତାଲିକା ବିଭିନ୍ନ ଜିଲ୍ଲାକୁ ପଠାଇ ଦିଆଯାଇଛି। ଜିଲ୍ଲାସ୍ତରରେ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କେଉଁ ସରକାରୀ କର୍ମଚାରୀମାନେ ରାସନ କାର୍ଡ ହାତେଇଛନ୍ତି ତାହାକୁ ଚିହ୍ନଟ କରିବେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କୁ ଏହି ତାଲିକା ପ୍ରଦାନ କରିବେ। ଜିଲ୍ଲାସ୍ତରରୁ ଏ ସଂପର୍କିତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇ ନ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯେ ଦୁଇଦିନ ତଳେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ଅନେକ ଆୟକରଦାତା ରାସନ କାର୍ଡ ହାତେଇଥିବା କହିଥିଲେ। ଏଥିରେ ପ୍ରାୟ ୪ଲକ୍ଷ ହିତାଧିକାରୀ ସନ୍ଦେହ ଘେରରେ ରହିଥିବା କହିଥିଲେ। ମନ୍ତ୍ରୀଙ୍କ ଏହି ବୟାନ ପରେ ବାଲେଶ୍ବର ବାଲିଆପାଳ ବ୍ଲକ୍‌ରେ ରାସନ ସାମଗ୍ରୀ ନେଉଥିବା ୧୬୫ଜଣ ସରକାରୀ ଚାକିରିଆ ଧରାପଡ଼ିଛନ୍ତି। ଚୂଡ଼ାନ୍ତ ତାଲିକା ଆସିବା ପରେ ରାଜ୍ୟରେ ବହୁ ସଂଖ୍ୟାରେ ଏଭଳି ବଡ଼ବଡ଼ିଆ ଧରାପଡ଼ିବେ ବୋଲି ଆଲୋଚନା ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button