ରାଜ୍ୟ

ଚାଷ କ୍ଷତକୁ ମଲମ ନିଅଣ୍ଟ: ପଶ୍ଚିମବଙ୍ଗରେ ଓଡ଼ିଶା ଧାନ

ଜଳେଶ୍ୱର: ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଧୀନ ସର୍ଦ୍ଦାରବନ୍ଧ ପଞ୍ଚାୟତ ଚୁଡ଼ାମଣିପୁର ନିକଟ ନାକା ପଏଣ୍ଟରୁ ଆଜି ସନ୍ଧ୍ୟାରେ ପୁଲିସ ଏକ ଧାନ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ ଜବତ କରିଛି। ଜବତ ହୋଇଥିବା ଭ୍ୟାନ୍‌ର ନମ୍ବର ହେଉଛି ଓଡି-୦୧-ଏକେ-୪୮୫୮। ପିକ୍‌ଅପ୍‌ଟି ଧାନ ନେଇ ପଶ୍ଚିମବଙ୍ଗ ଆଡ଼କୁ ଯାଉଥିବା ବେଳେ ପୁଲିସ କର୍ମଚାରୀମାନେ ଅଟକାଇ ଯାଞ୍ଚ କରିଥିଲେ। ତେବେ ଡ୍ରାଇଭର୍‌ ଧାନ ବାବଦ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଖବର ପାଇ ରାଇବଣିଆ ପୁଲିସ ପହଞ୍ଚି ଭ୍ୟାନ୍‌ଟିକୁ ଥାନାକୁ ନେଇଯାଇଛି। ଧାନ କାହାର ଏବଂ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା, ସେନେଇ କିଛି ଜଣାପଡ଼ିନି।

ସୂଚନା ଥାଉକି; ବଡ଼ ବଡ଼ ଚାଷୀ ଓ ଧାନ ନଥାଇ ଟୋକନ୍‌ ପାଇଥିବା ଚାଷୀଙ୍କୁ ହାତ କରି ପଶ୍ଚିମବଙ୍ଗର ଚାଷୀମାନେ ଓଡ଼ିଶାରେ କୁଇଣ୍ଟାଲ୍‌ ପିଛା ୩,୧୦୦ ଟଙ୍କା ଦରରେ ଧାନ ବିକିବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗର ଦଲାଲମାନେ କୁଇଣ୍ଟାଲ୍‌ ପିଛା ୧,୭୦୦ରୁ ୧,୮୦୦ ଟଙ୍କା ଦରରେ ଓଡ଼ିଶାର ଚାଷୀଙ୍କଠାରୁ ଧାନ କିଣି ନେଉଛନ୍ତି। ଏଭଳି କାରବାର ରୋକିବା ପାଇଁ ଓଡ଼ିଶା ସରକାର ମୁଖ୍ୟ ପ୍ରବେଶ ପଥ ସହ ଅନ୍ୟ କିଛି ରାସ୍ତାରେ ସିସିଟିଭି ଲଗାଇଛନ୍ତି।

କ୍ଷେତରେ କ୍ଷତି ଆକଳନ ନିର୍ଦ୍ଦେଶ, ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇସାରିଲେଣି। ଆସନ୍ତା କାଲି(ରବିବାର) ସୁଦ୍ଧା ସବୁ ବୀମାଭୁକ୍ତ ଚାଷୀ ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଜଣେ ବି କ୍ଷତିଗ୍ରସ୍ତ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ୩୦ ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ଠିକ୍ ଆକଳନ ସହ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୀମା କରିଥିବା ଓ ବୀମା କରି ନ ଥିବା କ୍ଷତିଗ୍ରସ୍ତଙ୍କୁ ଡିବିଟି ମାଧ୍ୟମରେ ସହାୟତା ଯୋଗାଇ ଦିଆଯିବ। ବୀମା କରିଥିବା ଚାଷୀ ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଷୟକ୍ଷତି ସଂପର୍କରେ ବୀମା କମ୍ପାନିଙ୍କୁ ସୂଚନା ଦେବେ ସେଥିପାଇଁ ସଚେତନ କରିବାକୁ କୁହାଯାଇଛି। ସେହିପରି ବିଭିନ୍ନ ଜିଲ୍ଲାର ପଞ୍ଜୀକୃତ ଚାଷୀମାନେ ଅଦିନିଆ ବର୍ଷା ଜନିତ ସେମାନଙ୍କର ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା ତୁରନ୍ତ ‘କୃଷି ରକ୍ଷକ’ ପୋର୍ଟାଲ କିମ୍ବା ୧୪୪୪୭ କୁ କଲ୍ କରି ଜଣାଇବାକୁ ଅନୁରୋଧ କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର, ଗଜପତିର ଗୋସାଣି ଏବଂ ନୟାଗଡ଼ର ରଣପୁର ଗସ୍ତ କରିବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଟକ ଓ ଜଗତସିଂହପୁର, ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ବର, କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ପ୍ରଦୀପ ବଳସାମନ୍ତ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button