ରାଜ୍ୟ

ଗଞ୍ଜାମରେ ଜୀବନ ହାରିଲେ ଚାଷୀ

ଛତ୍ରପୁର: ଅମଳ ବେଳକୁ ଅଦିନିଆ ବର୍ଷା ମାଡ଼ରେ ସମଗ୍ର ଗଞ୍ଜାମ ଜିଲ୍ଲାର ଧାନ ଫସଲ ଧୋଇ ଯାଇଛି। ଏଭଳି ସ୍ଥିତିରେ ଛତ୍ରପୁର ବ୍ଲକ୍‌ ବଡ଼ମାଧପୁର ପଞ୍ଚାୟତ ଅନ୍ତର୍ଗତ ବରଙ୍ଗ ଗାଁରୁ ଜିଲ୍ଲାର ପ୍ରଥମ ଚାଷୀ ଆତ୍ମହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି। ମୃତ ଚାଷୀ ଜଣଙ୍କ ହେଲେ ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ (୬୪)। ସେ କରିଥିବା ୫ ଏକର ଜମିରେ ଧାନ ଫସଲ କ୍ଷତି ହେବାରୁ ବନମାଳୀ ଏଭଳି ଚରମ ପଦକ୍ଷେପ ନେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଛତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ବନମାଳୀ ଭାଗଚାଷୀ ଭାବେ ୫ ଏକର ଜମିରେ ଧାନ ଚାଷ କରିଥିଲେ। ସେ ନିଜର ୨ ଭରଣ ଜମିରେ ମଧ୍ୟ ଧାନ କରିଥିଲେ। ପ୍ରତିକୂଳ ପାଗ ଓ ବର୍ଷାଭାବ ପରିସ୍ଥିତି ସତ୍ତ୍ବେ ବହୁକଷ୍ଟ ସହି ଓ ଋଣବାଡ଼ି କରି ସେ ଫଳାଇଥିବା ଧାନ ଅଦିନିଆ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। କ୍ଷେତରେ କଟା ହୋଇ ପଡ଼ିଥିବା ଧାନ ପାଣିରେ ବୁଡ଼ି ରହିବାରୁ ତାହା ଗଜା ହୋଇ ଯାଇଥିଲା। ସେପଟେ ମୁଣ୍ଡ ଉପରେ ପ୍ରାୟ ୨ଲକ୍ଷ ଟଙ୍କା ଧାର ଶୁଝିବା ଚିନ୍ତା, ଯାହା ଚାଷକାମ ପାଇଁ ଆଣିଥିଲେ ବୋଲି ପରିବାରବର୍ଗ କହିଛନ୍ତି। ଫସଲ ହାନି ସାଙ୍ଗକୁ ବନମାଳୀଙ୍କୁ ଋଣ ପରିଶୋଧ ଚିନ୍ତା ଘାରିଥିଲା। ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ବୋଲି ଭଉଣୀ ଅପ୍‌ସରା ପ୍ରଧାନ ଅଭିଯୋଗ କରିଛନ୍ତି। ଆଜି ସକାଳେ ଶୌଚ ପାଇଁ ସେ ପାଇଖାନାକୁ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସେ ନଫେରିବାରୁ ପରିବାରବର୍ଗ ତାଙ୍କୁ ଡାକିବାକୁ ଯାଇଥିଲେ। ବନମାଳୀଙ୍କୁ ଡାକିଲେ ମଧ୍ୟ ସେ ଶୁଣି ନଥିଲେ। ପରିବାରବର୍ଗ ପାଇଖାନା କବାଟ ଭାଙ୍ଗି ଦେଖିବା ବେଳେ ବନମାଳୀଙ୍କ ମର ଶରୀର ଝୁଲନ୍ତା ଅବସ୍ଥାରେ ରହିଥିଲା।

ଖବର ପାଇ ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ, ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ସ୍ମୃତି ଶୁଭଦର୍ଶନ ସାହୁ, ଏଆର୍‌ଆଇ ରାମଚନ୍ଦ୍ର ଦଳେଇ ଓ କୃଷି ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଫସଲ କ୍ଷତି ଯୋଗୁ ବନମାଳୀ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ପ୍ରଶାସନ ତରଫରୁ ରେଡ୍‌କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗଙ୍କୁ ୬୦ ହଜାର ଟଙ୍କା ଏବଂ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ସମୟରେ ସରପଞ୍ଚ ପ୍ରତିନିଧି ଶିବଶଙ୍କର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌. କିଶୋର ଚନ୍ଦ୍ର ରେଡ୍ଡି, ମହେଶ୍ୱର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଜେଡି ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଯୁବନେତା ତଥା ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ବିମଳ କୁମାର ପଣ୍ଡା, ଛତ୍ରପୁର ଯୁବ ବିଜେଡିର ଟି. ଚନ୍ଦ୍ରଶେଖର ରାଓ, କିଶୋର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌. କିଶୋର ଚନ୍ଦ୍ର ରେଡ୍ଡି ସେଠାରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button