ଅଦିନିଆ ବର୍ଷା- ଚାଷୀର ଆହାର ଛଡ଼ାଇନେଲା

ବିଲରେ କଟା ଧାନ ଗଜା ହେଲାଣି। ବିଲରେ ହିଁ ନଡ଼ା ପଚିଗଲାଣି। ଚାଷୀ କାଟିପାରୁନି କି ଅମଳ କରିପାରୁନି। ଲଘୁଚାପଜନିତ ବର୍ଷା ସବୁ ଛଡ଼ାଇନେଇଛି। ଗଜା ମରୁଡ଼ି, ଅଭାବୀ ବୃଷ୍ଟି ଆଉ ଏବେ ଅମଳ ସମୟରେ ବର୍ଷା ଭିଜାଇ ଦେବାରୁ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। କେବଳ ଧାନ ନୁହେଁ। କୋବି, ଚିନାବାଦାମ, ଡାଲିଜାତୀୟ, ପରିବା ଚାଷ ବି ପ୍ରଭାବିତ ହୋଇଛି। ଉଜୁଡ଼ା କ୍ଷେତ ଦେଖି କିଛି ଚାଷୀ ଟଳିପଡ଼ିଲେଣି। ସାକ୍ଷୀଗୋପାଳରେ ବିଲମୁଣ୍ଡରେ ଜଣେ ଚାଷୀଙ୍କ ମୃତ୍ୟୁ ଖବର ଆସିଥିଲା। ଏଥର ଡେରାବିଶ ସନ୍ଥପୁରା ଗାଁର ଭାଗଚାଷୀ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବର୍ଷାରେ ଫସଲ ନଷ୍ଟ ଲାଗି କ୍ଷତିପୂରଣ ମିଳିବ କି ନାହିଁ। ଧାନର ରଙ୍ଗ ବଦଳିବା ପରେ ଏଫଏକ୍ୟୁ ମାନ ରହିବନି। ତା ହେଲେ ମଣ୍ଡିରେ ସେମାନଙ୍କ ଓଦା ଧାନ ନେବ କିଏ ବୋଲି ଭାଳେଣି ପଡ଼ିଛି। ଫସଲ ବୀମା ନଦେବାକୁ କମ୍ପାନୀମାନଙ୍କ ଗଳାବାଟ ବି ଚାଷୀଙ୍କୁ ଆହୁରି ବିପଦକୁ ଠେଲିଦେଲାଣି। ଉତ୍ତରରୁ ଉପକୂଳ। ପଶ୍ଚିମରୁ ଦକ୍ଷିଣ ଓଡ଼ିଶା। ସବୁଠି ଚାଷୀ କ୍ଷତିଗ୍ରସ୍ତ। ମଣ୍ଡିରେ ବର୍ଷାରେ ଧାନ ଭିଜୁଛି। କିନ୍ତୁ ମିଲରଙ୍କ ଦେଖା ନାହିଁ। ଏଭଳି ମନମାନି ଲାଗି କଟନିଛଟନିର ଭୟ ଘାରିଛି।
ସେପଟେ ଚାଷୀଙ୍କୁ ଧାନର ଉଚିତ୍ ମୂଲ୍ୟ ଦେବା ଓ କଟନିଛଟନି ବନ୍ଦ ଦାବିରେ ଭବାନୀପାଟଣା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏଫଏକ୍ୟୁ ମାନରେ କେତେ କୋହଳ କରିହେବ, ସେ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଏଫଏକ୍ୟୁ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରମାଇଜ୍ କରିହେବନି। କାହଁକି ନା ଏଫସିଆଇ ଚାଉଳ ନେବନି। ମାନରେ ଯଥାସମ୍ଭବ କୋହଳ କରିବାକୁ କୁହାଯାଇଛି। କିନ୍ତୁ ଚାଷୀଙ୍କୁ ଫେରାଇଦିଆଯିବନି। ପୁରା ନଷ୍ଟ ହୋଇଥିଲେ ଧାନ ନେଇହେବନି। ଆଉ ରାଜସ୍ୱ ମନ୍ତ୍ରୀ ବୀମା କମ୍ପାନୀମାନଙ୍କୁ ଚେତାବନୀ ଦେଇଛନ୍ତି। ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ ଆକ୍ସନ ହେବ। ଏ ସମୟରେ ଚାଷୀଙ୍କ ପ୍ରତି ବୀମାକମ୍ପାନୀ ସମ୍ୱେଦନଶୀଳ ହୁଅନ୍ତୁ। ପୂର୍ବଭଳି ବୀମା କମ୍ପାନୀ ବେଲାଇନ୍ ହେଲେ ସାବାଡ଼ କରିବାକୁ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି। ୨୮ରେ ରାଜସ୍ୱ, କୃଷି ଓ ସମବାୟ ବିଭାଗର ମିଳିତ ବୈଠକ ହେବ। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।
ସୁନାର ଫସଲ ଉଜୁଡ଼ିଯାଇଛି। ମଣ୍ଡିରେ, ବିଲରେ ସବୁଠି ଧାନ ଭିଜୁଛି। ଏଫଏକ୍ୟୁ ମାନ ଆଉ ନାହିଁ କହିଲେ ଚଳେ। ଏତିକିବେଳେ ମିଲର ଓ ଦଲାଲଙ୍କ ଦାଉରୁ କେମିତି ନିସ୍ତାର ପାଇବ ଚାଷୀ। ସେଥିଲାଗି ସରକାର ଠୋସ୍ ଓ ତ୍ୱରିତ ପଦକ୍ଷେପ ନେବା ଜରୁରୀ।