ଓଡ଼ିଶାରେ ୧୫ ଲକ୍ଷରୁ ଅଧିକ ହୋ ଭାଷାଭାଷୀ: ତଥାପି ସ୍ବୀକୃତି ନାହିଁ
କେନ୍ଦୁଝର: ବର୍ଷବର୍ଷ ଧରି ଦାବି, ଆନ୍ଦୋଳନ ପରେ ବି ହୋ ଭାଷାକୁ ମିଳୁନି ସାମ୍ବିଧାନିକ ସ୍ବୀକୃତି। କେନ୍ଦ୍ରଠୁ ନେଇ ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ଏ ବାବଦରେ ହେୟଜ୍ଞାନ କରୁଥିବା ଅଭିଯୋଗ ହୋଇଛି। ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଭଳି ଆଦିବାସୀବହୁଳ ଜିଲ୍ଲା ସମେତ ରାଜ୍ୟରେ ପ୍ରାୟ ୧୫ ଲକ୍ଷରୁ ଅଧିକ ହୋ ଭାଷାଭାଷୀ ଲୋକ ଅଛନ୍ତି। ହୋ ଭାଷାର ନିଜସ୍ବ ଲିପି ୱାରାଂଚିତି ମଧ୍ୟ ରହିଛି। ୱାରାଂଚିତି ଲିପିର ସ୍ରଷ୍ଟା ଗୁରୁ ଲାକୋ ବଦ୍ରାଙ୍କ ଘର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଖୁଣ୍ଟପାଣି ବ୍ଲକ୍ ଅନ୍ତର୍ଗତ ପାସେୟା ଗାଁରେ ହୋଇଥିବା ବେଳେ ତାଙ୍କ ଶ୍ବଶୁରଘର କେନ୍ଦୁଝର ସହର ଉପକଣ୍ଠ ଶିରୀଷପାଳ ପଞ୍ଚାୟତ ଅତିବୁଦ୍ଧିପଡ଼ାରେ। ସେହି ଦୃଷ୍ଟିରୁ ହୋ ଭାଷା ସହିତ କେନ୍ଦୁଝରର ନିବିଡ଼ ସମ୍ପର୍କ ରହିଛି।
ଦ୍ବିତୀୟ ରାଜଭାଷାର ମାନ୍ୟତା ବି ମିଳୁନି
ବର୍ଷବର୍ଷ ଧରି ହୋ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଓ ରାଜ୍ୟରେ ଦ୍ବିତୀୟ ରାଜଭାଷା ମାନ୍ୟତା ପ୍ରଦାନ ପାଇଁ ଆନ୍ଦୋଳନ ଚାଲିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରୁନାହିଁ। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨୦୦୩ ଡିସେମ୍ବର ୨୨ରେ ସାନ୍ତାଳୀ, ବୋଡୋ, ମୈଥିଳୀ, ଡୋଙ୍ଗ୍ରୀ ଭାଷାକୁ ସରକାରୀ ମାନ୍ୟତା ମିଳିଥିଲା। ପ୍ରଥମ କରି ଦୁଇଟି ଆଦିବାସୀ ଭାଷା ସାନ୍ତାଳୀ ଓ ବୋଡ଼ୋକୁ ସାମ୍ବିଧାନିକ ସ୍ୱୀକୃତି ମିଳିବାରୁ ଏହି ଭାଷାଭାଷୀ ଲୋକେ ଆନନ୍ଦ ପ୍ରକାଶ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ହୋ ଭାଷା ସମେତ ସଉରା, କୁଇ, ମୁଣ୍ଡାରୀ ଓ କୋଶଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ପାଇଁ ମଧ୍ୟ କେନ୍ଦ୍ରକୁ ସୁପାରିସ କରାଯାଇଛି। ହେଲେ କିଛି ସୁଫଳ ମିଳୁନି।
ଝାଡ଼ଖଣ୍ଡରେ ୨୦୧୧ରେ ହୋ ଭାଷାକୁ ସେଠାକାର ସରକାର ଦ୍ୱିତୀୟ ରାଜଭାଷା ମାନ୍ୟତା ଦେଇଥିଲେ। ଅଥଚ ବାରମ୍ବାର ଦାବି ସତ୍ତ୍ବେ ଓଡ଼ିଶା ସରକାର ହୋ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ଦେଉନାହାନ୍ତି। ଝାଡ଼ଖଣ୍ଡରେ ପ୍ରାଥମିକ ଶିକ୍ଷାଠୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ହୋ ଭାଷାରେ ପାଠ୍ୟକ୍ରମ ପ୍ରଚଳିତ ହୋଇଛି। ଓଡ଼ିଶାରେ ତାହା ସମ୍ଭବ ହେଉନାହିଁ। କିଛିବର୍ଷ ତଳେ ରାଜ୍ୟ ସରକାର ୩୧୫ ବହୁଭାଷୀ ଶିକ୍ଷକ ନିଯୁକ୍ତ କରି ପ୍ରାଥମିକ ସ୍ତରରେ ହୋ ଭାଷାରେ ପାଠପଢ଼ା ବ୍ୟବସ୍ଥା କରିଥିଲେ। ଏହାର କୌଣସି ସୁଫଳ କୋହ୍ଲ ସଂପ୍ରଦାୟକୁ ମିଳୁନାହିଁ। ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ପ୍ରବକ୍ତା ମନୋରଞ୍ଜନ ତିରିଆଙ୍କ ମତରେ ଯେଉଁ ଅଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୭୦ ପ୍ରତିଶତରୁ ଅଧିକ କୋହ୍ଲ ସଂପ୍ରଦାୟର ଶିଶୁ ଥିବେ, ସେଠାରେ ହୋ ଭାଷାରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଦାନ ହେବା କଥା। ମାତ୍ର ତାହା ହେଉନାହିଁ। ବାରମ୍ବାର ସ୍ବର ଉତ୍ତୋଳନ ପରେ ହୋ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା କି ସାମ୍ବିଧାନିକ ସ୍ବୀକୃତି ମିଳୁନାହିଁ। ବର୍ତ୍ତମାନ ରାଷ୍ଟ୍ରପତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦିବାସୀ ହୋଇଥିବାରୁ ଏହି ଭାଷାକୁ ସ୍ବୀକୃତି ମିଳିବ ବୋଲି ହୋ ଭାଷାଭାଷୀ ଲୋକେ ଆଶା ରଖିଛନ୍ତି।