ଆତ୍ମହତ୍ୟା କରିଥିବା ଇଂଜିନିୟରଙ୍କ ପିତାଙ୍କ ଅଭିଯୋଗ: ବିଚାରପତି ୫ଲକ୍ଷ ଲାଞ୍ଚ ମାଗିଥିଲେ
ବେଙ୍ଗାଲୁରୁ: ପତ୍ନୀଙ୍କ ନିର୍ଯାତନା ଅତିଷ୍ଠ କାରଣରୁ ବେଙ୍ଗାଲୁରୁର ଜଣେ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪) ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସମଗ୍ର ଦେଶରେ ଧାରା ୪୯୮ର ଅପବ୍ୟବହାର ନେଇ ସ୍ବର ଉଠିବାରେ ଲାଗିଛି। ଆଜି ମୃତ ଇଂଜିନିୟର ସୁଭାଷଙ୍କ ପିତା ଆଉ ଏକ ସଙ୍ଗିନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତାଙ୍କ ପୁଅ ସପକ୍ଷରେ ମାମଲାର ‘ସମାଧାନ’ ନିମନ୍ତେ ଜୌନପୁର ପାରିବାରକ ଅଦାଲତର ବିଚାରପତି ୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।
ଆତ୍ମହତ୍ୟା ପୂର୍ବରୁ ଅତୁଲ ସୁଭାଷ ନିଜ ପ୍ରତି ଘଟିଥିବା ନିର୍ଯାତନା ଓ ପ୍ରବଞ୍ଚନାର କଥା ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। ଏହାସହ ସମସ୍ତ ଘଟଣାର ୪୦ ପୃଷ୍ଠାର ଏକ ବିବରଣୀ ଛାଡ଼ିଯାଇଥିଲେ। ଏଥିରେ ସେ ଉଲ୍ଳେଖ କରିଛନ୍ତି, ଅତୁଲ ସୁଭାଷ, ତାଙ୍କ ପତ୍ନୀ ନିକିତା ଓ ଜଜ୍ଙ୍କ ମଧ୍ୟରେ ୨୧ ମାର୍ଚ୍ଚ ୨୦୨୪ରେ ଜଜ୍ଙ୍କ କ୍ୟାବିନ୍ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ଜଜ୍ ଜଣକ କହିଥିଲେ ଯେ ଏଭଳି ସମସ୍ତ ମାମଲା ମିଛ। ଏହା ଏଭଳି ହିଁ ଘଟିଥାଏ। ତୁମେ ତୁମ ପରିବାର ସମ୍ପର୍କରେ ଥରେ ଚିନ୍ତାକର। ମାମଲାର ମିମାଂସା କରିଦିଅ। ଆମେ ତୁମକୁ ସହାୟତା କରିବୁ। ଏଥିପାଇଁ ସେ ୫ ଲକ୍ଷ ଟଙ୍କା ନେବେ ଓ ପତ୍ନୀ କରିଥିବା ଦାବିର ‘ବ୍ୟବସ୍ଥା’ କରିଦେବେ। ତାଙ୍କ ନିକଟରେ ଏତେ ପରିମାଣରେ ଟଙ୍କା ନାହିଁ ବୋଲି ଅତୁଲ୍ ସୁଭାଷ ଅକ୍ଷମତା ପ୍ରକାଶ କରିଥିଲେ। ଏଥିରେ ଜଜ୍ ଜଣକ ଧମକ ଦେଇ କହିଥିଲେ ଯେ ଏଥର କୋର୍ଟରେ ମାମଲାର ‘ଯୋଗ୍ୟତା’ ଅନୁସାରେ ଶୁଣାଣି କରିବେ।