ରାଜ୍ୟ

୭୧୫ ସରକାରୀ ହାଇସ୍କୁଲରେ ବିଚିତ୍ର ସ୍ଥିତି: ନିଜ ନାଁରେ ଜମି ନାହିଁ

ଭୁବନେଶ୍ବର: ନାଁକୁ ସରକାରୀ ବିଦ୍ୟାଳୟ। ହେଲେ ନିଜସ୍ବ ଜମି ନାହିଁ। ଅନ୍ୟ ଜମି ଉପରେ ଛିଡ଼ା ହୋଇଛି କୋଠା। ସେଠାରେ ପ୍ରତିବର୍ଷ ଶତାଧିକ ପିଲା ପଢ଼ୁଛନ୍ତି। ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। ରାଜଧାନୀର ଚନ୍ଦ୍ରଶେଖରପୁର ଫେଜ୍‌-୧ରେ ଥିବା ସରକାରୀ ହାଇସ୍କୁଲ ଅବସ୍ଥା ଏଭଳି। କେବଳ ଏହି ଗୋଟିଏ ସ୍କୁଲ ନୁହେଁ, ରାଜ୍ୟର ୭୧୫ଟି ସରକାରୀ ଉଚ୍ଚବିଦ୍ୟାଳୟର ନିଜସ୍ବ ନାମରେ ଜମି ନାହିଁ। ରାଜ୍ୟର ମୋଟ ୪,୧୭୭ ସରକାରୀ ଉଚ୍ଚବିଦ୍ୟାଳୟ ନିଜସ୍ବ ଜାଗାରେ ଗଢ଼ିଉଠିଛି। ବାକିଗୁଡ଼ିକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଜିଲ୍ଲା ପ୍ରଶାସନ ଅଧୀନରେ ରହିଛି। ବିଦ୍ୟାଳୟଗୁଡ଼ିକୁ ନିଜସ୍ବ ନାମରେ ରେକର୍ଡଭୁକ୍ତ କରିବାକୁ ଆଲୋଚନା ଓ ବିଚାରବିମର୍ଶ ଜାରି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

କେବଳ କୋରାପୁଟ ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ) ନିଜସ୍ବ ନାମରେ ଜାଗା ରେକର୍ଡଭୁକ୍ତ କରିଛି। ନ ହେଲେ ଅନ୍ୟ ସମସ୍ତ ଜିଲ୍ଲାରେ କିଛି ନା କିଛି ବିଦ୍ୟାଳୟରେ ସମସ୍ୟା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୭୧ଟି ହାଇସ୍କୁଲ ରହିଥିବା ବେଳେ ସେଥିରୁ ୮୦ଟି ବିଦ୍ୟାଳୟର ନିଜସ୍ବ ନାମରେ ରେକର୍ଡ ନାହିଁ। ଏହାବ୍ୟତୀତ ପୁରୀ ଜିଲ୍ଲାରେ ୫୯, ଯାଜପୁରରେ ୪୫, କନ୍ଧମାଳରେ ୪୪, ଜଗତ୍‌ସିଂହପୁରରେ ୪୧, ନବରଙ୍ଗପୁର ଓ ସୁବର୍ଣ୍ଣପୁରରେ ୪୦ଟି ଲେଖାଏଁ, ସୁନ୍ଦରଗଡ଼ରେ ୩୫, ଗଜପତିରେ ୩୩ଟି ବିଦ୍ୟାଳୟରେ ଏଭଳି ସମସ୍ୟା ଲାଗିରହିଛି। ବଲାଙ୍ଗୀର ଓ ଢେଙ୍କାନାଳ ଜିଲ୍ଲାର ଦୁଇଟି ଲେଖାଏଁ ବିଦ୍ୟାଳୟର ନିଜସ୍ବ ନାମରେ ରେକର୍ଡ ନ ଥିବା ଜଣାପଡ଼ିଛି।

ଭଙ୍ଗାଯିବ ଜରାଜୀର୍ଣ୍ଣ, ନିର୍ମାଣ ହେବ ନୂତନ ଶ୍ରେଣୀଗୃହ
ଏମ୍‌ଜିଏନ୍‌ଆରଇଜିଏ ପାଣ୍ଠିରୁ ପାଚେରି ନିର୍ମାଣ କରିବାକୁ ନିର୍ଦ୍ଦେଶ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବର୍ଷ ବର୍ଷ ଧରି ବିଦ୍ୟାଳୟ ଚାଲୁଥିଲେ ମଧ୍ୟ କେତେକ ସ୍ଥାନରେ ନିଜସ୍ବ ଗୃହ ନାହିଁ। ଏହାର ଏକ ଉଦାହରଣ ଭାବେ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀକୁ ନିଆଯାଇପାରେ। ଏଠାରେ ଗଣଶିକ୍ଷା ବିଭାଗ ଅଧୀନ ୪୨୪ଟି ସରକାରୀ ପ୍ରାଥମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ପରିଚାଳିତ ହେଉଛି। ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ୪୦୫ଟି ପ୍ରାଥମିକ ବିଦ୍ୟାଳୟ ନିଜସ୍ବ ଗୃହରେ ଚାଲୁଥିବା ବେଳେ ୧୯ଟି ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ। ଯେଉଁ ବିଦ୍ୟାଳୟଗୁଡ଼ିକରେ ଜରାଜୀର୍ଣ୍ଣ ଶ୍ରେଣୀଗୃହ ରହିଛି ତାହାକୁ ଭାଙ୍ଗି ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ୨୦୨୩ ଅକ୍ଟୋବର ୬ରେ ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁଯାୟୀ ରାଜ୍ୟ ବଜେଟ୍‌ରୁ ଗଣଶିକ୍ଷା ବିଭାଗ ଦ୍ବାରା ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ବ୍ୟୟବରାଦ ହୋଇ ‌ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଦିଆଯାଉଛି। ସମଗ୍ର ଶିକ୍ଷା ଯୋଜନାରେ ମଧ୍ୟ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ, ଶୌଚାଳୟ ନିର୍ମାଣ ତଥା ପାନୀୟ ଜଳ ଯୋଗାଣ, ବିଦ୍ୟୁତକରଣ ନିମନ୍ତେ ଅର୍ଥ ବ୍ୟୟବରାଦ ହୋଇ ନିର୍ମାଣ ଚାଲୁଛି। ତେବେ ତାହ‌ା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଗୋଟିଏ ଯୋଡ଼ିଏ ବିଦ୍ୟାଳୟ ସ୍ଥିତିରୁ ଦେଖିଲେ ସ୍ପଷ୍ଟ ଅନୁମେୟ। ଏହାବ୍ୟତୀତ ରାଜ୍ୟ ବଜେଟ୍‌ରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ବିଭିନ୍ନ ସରକାରୀ ବିଦ୍ୟାଳୟର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ରହିଛି। ଅନୁଦାନପ୍ରାପ୍ତ ହାଇସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଭିତ୍ତିଭୂମି ସହାୟତା ଯୋଜନାରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ବ୍ୟୟବରାଦ କରାଯାଇ ନିର୍ମାଣର ବ୍ୟବସ୍ଥା ରହିଛି। ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଯୋଜନାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଅର୍ଥ ବ୍ୟୟବରାଦ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button