ଅଦିନିଆ ବର୍ଷା ନେଇ ଚାଷୀଙ୍କ ଚିନ୍ତା ବଢ଼ିଲା: ଏକର ଏକର ଚାଷ ଜମିରେ ପାଣି ଭର୍ତ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାତାର ସନ୍ଧ୍ୟାରେ ବର୍ଷା ହେଉଛି।ଯାହାଦ୍ବାରା ଏହା ଜିଲ୍ଲାର ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥା ସାଜିଛି। ବର୍ଷା ଅପରାହ୍ନରୁ ଆରମ୍ଭ ହୋଇ ରାତି ତମାମ ବର୍ଷୁଛି। ଜିଲ୍ଲାର ଏକର ଏକର ଜମିରେ ପାଣି ଭର୍ତ୍ତି ହେବା ଯୋଗୁ ଧାନ ଫସଲ ନଷ୍ଟ ହେବାର ଦେଖିବାକୁ ମିଳିଛି।
ବିଶେଷକରି ମାଥିଲି ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଚାଷୀ ନିଜ ଜମିରେ ଧାନ କାଟି ରଖିଥିବା ବେଳେ ଖୋଳାକୁ ଆଣିପାରି ନାହିଁ। ଯାହାଫଳରେ ଜମିରେ ପାଣି ଭର୍ତ୍ତି ହୋଇ ଧାନ ଫସଲ ନଷ୍ଟ ହୋଇଛି। ଅଦିନିଆ ବର୍ଷା ଜିଲ୍ଲାର ଚାଷୀଙ୍କର ବର୍ଷକର ଦାନାପାଣି ଏବଂ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି।
ଆସନ୍ତା ୧୬ ତାରିଖରୁ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଫସଲ ନଷ୍ଟ ହେଲେ ମଣ୍ଡିରେ ଧାନ ବିକ୍ରି ହେବା ଆଶଙ୍କା ଦେଖା ଦେଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି।
ତେବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ ରଞ୍ଜନ ମହାଲିକଙ୍କୁ ପଚାରିବାରୁ ଜିଲ୍ଲାରେ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଥିବା ସେ ସ୍ବୀକାର କରିଥିଲେ। ତେଣୁ ଆମର ବିଏଡବ୍ଲୁ ଏବଂ ରାଜସ୍ବ ନୀରିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ଅଦିନିଆ ବର୍ଷା ଯୋଗୁ କେତେ ଚାଷୀଙ୍କର ଫସଲ ନଷ୍ଟ ହୋଇଛି ତାହାର ଆକଳନ କରିବେ। ଯାହାଫଳରେ ଚାଷୀଙ୍କୁ କ୍ଷୟକ୍ଷତି ପୂରଣ କରାଯାଇପାରିବ ବୋଲି କହିଥିଲେ। ଅନ୍ୟପଟେ ସେ କହିଥିଲେ ଯେ ଯତି ୩୩ ପ୍ରତିଶତରୁ ଅଧିକା ଫସଲ ନଷ୍ଟ ହୁଏ ତେବେ ହିଁ କ୍ଷତିପୂରଣ ପ୍ରଦାନ କରାଯାଇପାରିବ।




