ରାଷ୍ଟ୍ରପତି ହେବା ପରେ ପୈତୃକ ଗାଁକୁ ପ୍ରଥମ ଗସ୍ତ: ସଜେଇ ହେଉଛି ଉପରବେଡ଼ା
ରାଇରଙ୍ଗପୁର/ହାଟବାଦଡ଼ା: ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଅନ୍ତର୍ଗତ ଉପରବେଡ଼ା। ଏହା ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗାଁ। ରାଷ୍ଟ୍ରପତି ହେବାପରେ ନିଜ ପୈତୃକ ଗାଁକୁ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ମୟୂରଭଞ୍ଜ ଜିଲ୍ଲାକୁ ଏହା ହେଉଛି ତାଙ୍କର ଚତୁର୍ଥ ଗସ୍ତ। ଏଥିପାଇଁ ତାଙ୍କ ପୈତୃକ ଗାଁ ଉପରବେଡ଼ା ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି। ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ତାରିଖରେ ମୟୂରଭଞ୍ଜରେ ପହଞ୍ଚିବେ। ତାଙ୍କର ଗସ୍ତ କାର୍ଯ୍ୟକ୍ରମରେ ଜନ୍ମମାଟି ଉପରବେଡ଼ା ସ୍ଥାନ ପାଇଛି। ଯେଉଁଥିପାଇଁ ଏହି ଗାଁଲୋକଙ୍କ ମନରେ ନାହିଁ ନଥିବା ଖୁସି। ରାଷ୍ଟ୍ରପତି ହୋଇଥିବା ଗାଁର ଝିଅକୁ ଦେଖିବା ପାଇଁ ସାଙ୍ଗସାଥୀ ଓ ପରିବାରବର୍ଗ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ଏଥିପାଇଁ ମହାମହିମଙ୍କ ଜନ୍ମମାଟି ସଜେଇ ହୋଇଛି।
ଗ୍ରାମବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ
ରାଷ୍ଟ୍ରପତି ଛୋଟ ବେଳେ ପାଠ ପଢ଼ିଥିବା ଉପରବେଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ। ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ମୁର୍ମୁ କହିଛନ୍ତି। ଏଥିପାଇଁ ଗାଁ ଓ ବିଦ୍ୟାଳୟକୁ ଅତି ସୁନ୍ଦର ଭାବେ ସଜାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ, ସେନେଇ ଉଚ୍ଚପଦସ୍ଥ ଅଧିକାରୀମାନେ ଘନଘନ ଗସ୍ତ କରୁଛନ୍ତି। ଉପରବେଡ଼ା ଗ୍ରାମ ସହିତ ବିଦ୍ୟାଳୟ ଓ ନିକଟସ୍ଥ ରଙ୍ଗାମାଟିଆସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ନିଜେ ଉପସ୍ଥିତ ରହି ବିଦ୍ୟାଳୟର ସମସ୍ତ କାର୍ଯ୍ୟକୁ ତଦାରଖ କରିଛନ୍ତି।ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, ରାଷ୍ଟ୍ରପତି ହେବାପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟି ଉପରବେଡ଼ାରେ ପାଦ ଦେଉଛନ୍ତି। ରାଷ୍ଟ୍ରପତି ଆସୁଥିବାରୁ ତାଙ୍କୁ ଦେଖିବା ପାଇଁ ସବୁବର୍ଗର ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।