ରାଜ୍ୟରେ ଏମିତି ଚାଲିଛି ଚାଇଲ୍ଡ ହେଲ୍ପଲାଇନ୍ ସେବା : ଅସହାୟ ଶିଶୁ ଉଦ୍ଧାର ପାଇଁ ନାହିଁ ଗାଡ଼ି କି ମାନବସମ୍ବଳ
ଭୁବନେଶ୍ୱର : ନିର୍ଯାତିତ, ଅସହାୟ ତଥା ଅନାଥ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନାହିଁ ଗାଡ଼ି କି ଆବଶ୍ୟକ ମାନବସମ୍ବଳ। କେନ୍ଦ୍ରରୁ ଯାହା ଅନୁଦାନ ଆସୁଛି, ତାହା ଘୋଡ଼ା ୬ଟଙ୍କାକୁ ଦାନା ୯ ଟଙ୍କା ସଦୃଶ ହୋଇଛି। କର୍ମଚାରୀ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସରକାରୀ ପ୍ରୋତ୍ସାହନର ଘୋର ଅଭାବ ଅନ୍ତରାୟ ସୃଷ୍ଟି କରୁଛି।
ଏକ ସୁସ୍ଥ ସମାଜ ଗଠନ ପାଇଁ ଶିଶୁ ଉଦ୍ଧାର ଭଳି ଏକ ସମ୍ବେଦନଶୀଳ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଥିପାଇଁ ସବୁ କିଛି କରାଯିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର କହୁଛନ୍ତି। ହେଲେ କଥା ଓ କାମରେ ରହୁଥିବା ବଡ଼ ପାର୍ଥକ୍ୟ ଶିଶୁମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଥିବା ଅଭିଯୋଗ ହୋଇଛି। କେନ୍ଦ୍ର ସରକାର ଯାହା କିଛି ଅର୍ଥ ଦେଉଛନ୍ତି, ସେଥିରେ ଯେନତେନ ଉପାୟରେ କାମ ଚାଲିଥିବା ବେଳେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପୂରା ନିରବଦ୍ରଷ୍ଟା ସାଜି ବସିଛି।
ରାଜ୍ୟରେ ପିତାମାତା ଛେଉଣ୍ଡ ଏବଂ ନିର୍ଯାତିତ କିମ୍ବା ଶିଶୁ ଶ୍ରମିକଙ୍କୁ ରେସକ୍ୟୁ କରିବାକୁ ଗାଡ଼ି ନଥିବାରୁ ବସ୍ରେ ଯାଉଛନ୍ତି ଉଦ୍ଧାରକାରୀ ଦଳ। ଫଳରେ ସମୟ ନଷ୍ଟ ହେବା ସାଙ୍ଗକୁ ସଠିକ୍ ସମୟରେ ପହଞ୍ଚିପାରୁ ନ ଥିବା ଦେଖିବାକୁ ମିଳିଛି। ସେହିପରି ଉଦ୍ଧାର କରିବାକୁ ମଧ୍ୟ ଆବଶ୍ୟକ ପରିମାଣରେ ମାନବସମ୍ବଳ ନ ଥିବାରୁ ବିଭିନ୍ନ କ୍ଷେତ୍ରରେ ଶିଶୁଙ୍କୁ ଉଦ୍ଧାର କରିବାକୁ ୨ରୁ ୩ ଦିନ ବିଳମ୍ବ ହେଉଛି। କେନ୍ଦ୍ରରୁ ଆସୁଥିବା ଅର୍ଥ ନିଅଣ୍ଟ ହେଉଥିବାରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି।
ରାଜଧାନୀର ଗୋଟିଏ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଉଛି। ଶୁକ୍ରବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ଥ ମଦନପୁରରେ ଜଣେ ୧୧ବର୍ଷୀୟ ବାଳକ ଏଣେତେଣେ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ନିକଟସ୍ଥ ଥାନାରେ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲା। ପରେ ଜଣାପଡ଼ିଥିଲା ଯେ ପିଲାଟି ମଦନପୁରରେ ତା’ର ସମ୍ପର୍କୀୟ ପିଉସୀଙ୍କ ଘର ଖୋଜୁଥିଲା। ପିଲାଟିକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପିଉସୀ ଘରେ ଛାଡ଼ି ଦିଆଯାଇଥିଲା। କିନ୍ତୁ ପିଉସୀ ଘର ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବାରୁ ଗାଁ ଲୋକେ ପିଲାଟିକୁ ଚାଇଲ୍ଡଲାଇନ୍ ସହାୟତାରେ ଶିଶୁ ଗୃହରେ ଛାଡ଼ିବାକୁ ସ୍ଥାନୀୟ ଜଣେ ସମାଜସେବୀଙ୍କ ସହ ଯୋଗଯୋଗ କରିଥିଲେ। କିନ୍ତୁ ଚାଇଲ୍ଡ ହେଲ୍ପଲାଇନ୍ରୁ ଉତ୍ତର ଆସିଥିଲା ଯେ ଆମ ପାଖରେ ଗାଡ଼ି ନାହିଁ କିମ୍ବା ଅଧିକ କର୍ମଚାରୀ ବି ନାହାନ୍ତି। ଯେଉଁମାନେ କାର୍ଯ୍ୟରତ ଅଛନ୍ତି, ସେମାନେ ଅନ୍ୟ ସ୍ଥାନକୁ ଶିଶୁ ଉଦ୍ଧାର କରିବାକୁ ଯାଇଛନ୍ତି। ତେଣୁ ଆପଣମାନେ ନିଜ ପାଖରେ ପିଲାଟିକୁ ଦିନେ ଦୁଇ ଦିନ ରଖନ୍ତୁ ବୋଲି ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଗତ ରବିବାର ସେହି ପିଲାଟିକୁ ଉଦ୍ଧାର କରାଯାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବିଷୟରେ ଖବର ପାଇ ମଧ୍ୟ ସୁବିଧା ନଥିବାରୁ ଠିକ୍ ସମୟରେ ପହଞ୍ଚି ପାରୁନାହାନ୍ତି ଶିଶୁ ସୁରକ୍ଷା ଅଧିକାରୀ ଟିମ୍। ସରକାର ବି ଏହାକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି।
ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ଅଧିକ ଶିଶୁଙ୍କୁ ଉଦ୍ଧାର କରାଯାଉଛି। ସେହି ହିସାବରେ ଖର୍ଚ୍ଚ ମଧ୍ୟ ବଢ଼ୁଛି। ଉଦ୍ଧାର ପାଇଁ ଜଣେ କାଉନସିଲରଙ୍କ ସହ ଜଣେ ଅଧିକାରୀ ଯାଇଥାନ୍ତି। ଭଡ଼ା ଗାଡ଼ିକୁ ଭରସା କରିବାକୁ ହେଉଥିବା ବେଳେ ଦୂର ସ୍ଥାନକୁ ଯିବାକୁ ହେଲେ ଅଧିକାଂଶ ସମୟରେ କର୍ମଚାରୀମାନେ ବସ୍ ଏବଂ ବାଇକ୍ରେ ଯାଉଛନ୍ତି। ସେହିପରି କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମ୍ ଥିବାରୁ ଗୋଟିଏ ସମୟରେ ଏକାଧିକ ସ୍ଥାନକୁ ଯାଇ ଶିଶୁଙ୍କୁ ଉଦ୍ଧାର କରିବା ସମ୍ଭବ ହେଉ ନ ଥିବାରୁ ପରଦିନ ପର୍ଯ୍ୟନ୍ତ ବିଳମ୍ବ ହେଉଛି। ଏନେଇ ବହୁବାର ବିଭାଗକୁ ଅବଗତ କରାଯାଇଛି। ତେବେ ମାନବସମ୍ବଳ ବୃଦ୍ଧି ପାଇଁ ଖୁବଶୀଘ୍ର କର୍ମଚାରୀ ନିଯୁକ୍ତି ପାଇଁ କେନ୍ଦ୍ରରୁ ଆସିଥିବା ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।
ସୂଚନା ଅନୁସାରେ, ଶିଶୁଙ୍କ ସେବା, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ଚାଇଲ୍ଡ ହେଲ୍ପଲାଇନ୍ କାର୍ଯ୍ୟ କରୁଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସହଯୋଗରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ସେବା ଯୋଗଇ ଦିଆଯାଉଛି। ଏଥିପାଇଁ କେନ୍ଦ୍ରରୁ ଅର୍ଥ ମଞ୍ଜୁର କରାଯାଉଛି। ପୂର୍ବରୁ ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ସରକାର ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିଥିବା ବେଳେ ଗତ ୨୦୨୩ ଅଗଷ୍ଟ ମାସ ପରଠାରୁ ସରକାର ନିଜେ ଏହାକୁ ପରିଚାଳନା କରୁଛନ୍ତି। ପୂର୍ବରୁ ଏଭଳି ସମସ୍ୟା ଉପୁଜୁ ନଥିବା ବେଳେ ବର୍ତ୍ତମାନ ଏଭଳି ସମସ୍ୟା ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି।