ରାଜ୍ୟ

ଯାନ୍ତ୍ରିକ ତ୍ରୁଟି: ଧାନବିଲରେ ଓହ୍ଲାଇଲା ନୌସେନା ହେଲିକପ୍ଟର

ରାସଗୋବିନ୍ଦପୁର: ଉଡ଼ାଣ ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଧାନବିଲରେ ଜରୁରିକାଳୀନ ଅବତରଣ କଲା ଭାରତୀୟ ନୌସେନାର ଏକ ହେଲିକପ୍ଟର। ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ଗାଁ ଅମରଦା ପଞ୍ଚାୟତର ଅମରଦା ନିକଟରେ ଆକାଶରେ କିଛି ସମୟ ଚକ୍କର କାଟିଥିଲା ଏକ ହେଲିକପ୍ଟର। ପରେ ଏହା ତଳକୁ ଆସି ଏକ ଧାନବିଲରେ ଓହ୍ଲାଇବାକୁ ଚେଷ୍ଟା କରିଥିଲା। ହେଲେ ଉକ୍ତ ବିଲରେ ପଡ଼ିଥିବା ପ୍ରବଳ ଧାନକୁଟା ଉଡ଼ିବାରୁ ସେଠାରେ ଅବତରଣ କରି ନପାରି ଅନ୍ୟ ଏକ ଫାଙ୍କା ବିଲରେ ଓହ୍ଲାଇଥିଲା।

ଏହା ଦେଖି ବିଲରେ କାମ କରୁଥିବା ଚାଷୀମାନେ ପ୍ରଥମେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ହେଲିକପ୍ଟର ପାଇଲଟ୍‌ଙ୍କ ହାବଭାବରୁ ଏହା ଜରୁରିକାଳୀନ ଅବତରଣ ବୋଲି ସମସ୍ତେ ଠଉରାଇ ନେଇଥିଲେ। ପ୍ରାୟ ୩୦ ମିନିଟ୍‌ ପରେ ହେଲିକପ୍ଟରର ତ୍ରୁଟି ସୁଧାରିବାରେ ସକ୍ଷମ ହୋଇଥିଲେ ପାଇଲଟ୍‌। ଏହାପରେ ନିଜ ଗନ୍ତବ୍ୟ ପଥରେ ଉଡ଼ିଥିଲା ହେଲିକପ୍ଟର। ଆଜି ପୁରୀରେ ଭାରତୀୟ ନୌସେନା ଦିବସ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଏହି ହେଲିକପ୍ଟରଟି ସମ୍ଭବତଃ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ଅନୁମାନ କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button