ରାଜ୍ୟ

ମଞ୍ଚରେ ଜିଅନ୍ତା ଘୁଷୁରି ଖାଇଲେ

ହିଞ୍ଜିଳିକାଟୁ/ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ କାଞ୍ଜି ଅଅଁଳା ଯାତ୍ରା ପାଇଁ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାରମାନଙ୍କ ଅମାନବୀୟ କାର୍ଯ୍ୟକଳାପକୁ ନେଇ ତୀବ୍ର ପ୍ରତିକ୍ରିୟ‌ା ପ୍ରକାଶ ପାଇଛି। ରାକ୍ଷସ ଭୂମିକା‌ରେ ଅଭିନୟ କରିଥିବା କିଛି କଳାକାର ଖୋଲାମଞ୍ଚରେ ଏକ ଘୁଷୁରିକୁ ଓଲଟା ଝୁଲାଇ ତାକୁ ମାରଣାସ୍ତ୍ରରେ କାଟିବା ପରେ ଏହାର ମାଂସକୁ କଞ୍ଚା ଖାଇବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ରାଳବ ଗ୍ରାମରେ ପୁରୁଷ ପୁରୁଷ ଧରି ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ‌‌ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ପ୍ରତିବର୍ଷ ରାମାୟଣ ଭଳି ବିଭିନ୍ନ ପୌରାଣିକ ନାଟକ ମଞ୍ଚସ୍ଥ ହୁଏ। ଚଳିତବର୍ଷ ଚିକିଲି ଗ୍ରାମରୁ ରାମାୟଣ ନାଟକ ଦଳ ଆସିଥିଲେ। ରାତିରେ ନାଟକ ଦେଖିବା ଲାଗି ଯେଭଳି ଅଧିକ ଲୋକ ରୁଣ୍ଡ ହେବେ ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ତେବେ ରାକ୍ଷସ ଭୂମିକାରେ ଅଭିନୟ କରିଥିବା ୩ ଜଣ କଳାକାର ଛାତିଥରା କାରନାମା ମଞ୍ଚ ଉପରେ ଦେଖାଇଥିଲେ। ମଞ୍ଚ ଉପରେ ସେମାନେ ଏକ ଘୁଷୁରିକୁ ଝୁଲାଇ ଚାରିପାଖରେ ପ୍ରଥମେ ବୁଲିଥିଲେ। ସେପଟେ ବାଜାବାଜଣାରେ ମଞ୍ଚ ଦୁଲୁକୁଥିବା ବେଳେ ଚାରିପଟେ ଦର୍ଶକ ବି ତାଳି ମାରି ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ। ହେଲେ ନିରୀହ ଜୀବଟିର ଆର୍ତ୍ତ ଚିତ୍କାର ‌କାହାରି କାନରେ ପଡ଼ି ନଥିଲା। ଜଣେ କଳାକାର ଘୁଷୁରିଟିକୁ ଏକ ମାରଣାସ୍ତ୍ରରେ କାଟିବା ପରେ ସେଠାରେ ଜିଅନ୍ତା ଖାଇବା ଆରମ୍ଭ କରିଥିଲେ। ଅନ୍ୟ ଦୁଇଜଣ ବି ଏଥିରେ ସାମିଲ ହୋଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗ୍ରାମର କୌଣସି ବରିଷ୍ଠ ନାଗରିକ ପ୍ରତିବାଦର ସ୍ବର ଉଠାଇ ନଥିଲେ। ତେବେ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଦେଖିଲୁ ବୋଲି କିଛି ଗ୍ରାମବାସୀ କହିଛନ୍ତି।

ବିଷଧର ସାପ ସହ ଖେଳିଲେ
ରାକ୍ଷସ ଭୂମିକାକୁ ଜୀବନ୍ତ କରିବାକୁ ଯାଇ ଘୃଣ୍ୟ କାର୍ଯ୍ୟ
ପରମ୍ପରା ନାଁରେ ନିରୀହ ଜନ୍ତୁଙ୍କ ଜୀବନ ନେବା ଜଘନ୍ୟ ଅପରାଧ: ପରିବେଶବିତ୍

କେବଳ ସେତିକି ନୁହେଁ, ଆଉ ୨ ଜଣ କଳାକାର ଦୁଇଟି ବିଷଧର ସାପ ସହ ମଞ୍ଚ ଉପରେ ରହି ଖେଳ ଦେଖାଇଥିଲେ। ଯାହାକି ବନ୍ୟପ୍ରାଣୀ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛି।ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭଞ୍ଜନଗରର ରାମାୟଣ ନାଟକ ନିର୍ଦ୍ଦେଶକ ରବିନାରାୟଣ ଦାଶ କହିଛନ୍ତି, ଦୁଇଦଳ ମଧ୍ୟରେ ପ୍ରତିଯୋଗିତାମୂଳକ ନାଟକ ହେଲେ ଏଭଳି ବିଚଳିତ କରିବା ଦୃଶ୍ୟ ନଜରକୁ ଆସୁଛି। ଗଞ୍ଜାମ ଜିଲ୍ଲାରେ ନାଟକରେ ଯେଉଁମାନେ ଅଭିନୟ କରୁଛନ୍ତି ପ୍ରାୟତଃ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କମ୍ ରହିଥାଏ। କିଛି ସ୍ଥାନରେ ନାଟକ ମଞ୍ଚସ୍ଥ ପୂର୍ବରୁ କଳାକାରମାନେ ମଦ ପିଇଥା’ନ୍ତି। ଯାହାକି ଆଦୌ ଗ୍ରହଣୀୟ ନୁ‌ହେଁ। ସେହିପରି ନିର୍ଦ୍ଦେଶକମାନେ ବି ଏଥିପ୍ରତି ଧ୍ୟାନ ଦେବା ଦରକାର। ତେବେ ସ୍ଥାନୀୟ ଲୋକ‌ ମଧ୍ୟ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ନାଟକର ଦ୍ବାହି ଦେଇ ଜୀବନ୍ତ ପଶୁପକ୍ଷୀଙ୍କୁ ହତ୍ୟା କରିବା ଏକ ଜଘନ୍ୟ ଅପରାଧ। ଏଥିପ୍ରତି କଳାକାର ଓ ନାଟ୍ୟଗୁରୁ ସଚେତନ ହେବା ଜରୁରି। କାରଣ ଏହାଦ୍ବାରା ପୁରୁଣା ସଂସ୍କୃତି ନଷ୍ଟ ହେବାକୁ ଲାଗିଛି। ଏଥିପ୍ରତି ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ ଦେଖାଇବା ଆବଶ୍ୟକ ବୋଲି ଶ୍ରୀ ଦାଶ କହିଛନ୍ତି।

ଅନ୍ୟପକ୍ଷରେ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ତଥା ବିଶିଷ୍ଟ ପରିବେଶବିତ୍ ଅନୁପମ ବାନାର୍ଜୀଙ୍କ ମତରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ଜୀବଜନ୍ତୁଙ୍କ ପ୍ରତି ଏଭଳି ବ୍ୟବହାର ଦଣ୍ଡନୀୟ ଅପରାଧ। ‌ଲୋକଙ୍କ ମନୋରଞ୍ଜନ ପାଇଁ ନିରୀହ ବନ୍ୟଜନ୍ତୁଙ୍କୁ ବ୍ୟବହାର କରିବା କଦାପି ଉଚିତ ନୁହେଁ। ଏଥିପାଇଁ ନିହାତି ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରି। ମନସ୍ତତ୍ତ୍ବବିତ୍ ବିଭୁକଲ୍ୟାଣ ସାହୁ କହିଛନ୍ତି, ଲୋକଙ୍କୁ ଆକର୍ଷିତ କରିବାକୁ ନାଟକ ମଞ୍ଚରେ ଯେଭଳି ଦୁଃସାହସିକ କାର୍ଯ୍ୟ ପ୍ରଦର୍ଶନ କରାଯାଉଛି, ତାହା ନିନ୍ଦନୀୟ। ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦରକାର।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button