ଦେଶ- ବିଦେଶ

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସ୍ବର ପାଲଟିଛନ୍ତି ହିନ୍ଦୁସାଧୁ ଚିନ୍ମୟକୃଷ୍ଣ

ନୂଆଦିଲ୍ଲୀ: ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀ ନିଜ ସ୍ୱରରେ ଉଷ୍ମତା ସହିତ ‘ପ୍ରଭୁ ପ୍ରଣାମ’ କହି ଅଧିକାଂଶ ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। ତାଙ୍କୁ ବି ଲୋକେ ଚିନ୍ମୟ ପ୍ରଭୁ ବୋଲି ସମ୍ବୋଧନ କରନ୍ତି। ଏହି ମେଳାପି ବ୍ୟକ୍ତିତ୍ୱ ଭିତରେ ଏକ ଇସ୍ପାତ ଭଳି ଦୃଢ଼ ସଂକଳ୍ପ ଲୁଚି ରହିଛି, ଯାହାର ଏକ ଝଲକ ମଙ୍ଗଳବାର ତାଙ୍କୁ ଚଟ୍ଟଗ୍ରାମର ଏକ ଅଦାଲତରୁ ନିଆଯାଉଥିବା ବେଳେ ଜେଲ୍ ଭ୍ୟାନର ଝରକା ଦେଇ ଦୁନିଆ ଦେଖିଥିଲା। ସେ ବିଜୟ ଚିହ୍ନ ଦେଖାଇଥିଲେ, ଅବମାନନାର ମୁଠି ଉଠାଇଥିଲେ ଏବଂ ତା’ପରେ ଉଭୟ ହାତକୁ ମୁଠା କରି ସନାତନୀମାନଙ୍କୁ ଏକ ବାର୍ତ୍ତା ଦେଇଥିଲେ – ‘ଏକଜୁଟ ରୁହନ୍ତୁ’। ଏକ ମାସ ତଳେ ଦାଏର ହୋଇଥିବା ଦେଶଦ୍ରୋହ ମାମଲାରେ ଚିନ୍ମୟକୃଷ୍ଣ ଦାସଙ୍କୁ ସୋମବାର ଢାକା ପୁଲିସର ଡିଟେକ୍ଟିଭ୍ ବ୍ରାଞ୍ଚ ଢାକା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଥିଲା। ଦେଶଦ୍ରୋହ ମାମଲା ସଂଖ୍ୟାଲଘୁଙ୍କ ପାଇଁ ଆମର ଆଠ ଦଫା ଦାବି ବିରୁଦ୍ଧରେ। ଆନ୍ଦୋଳନର ନେତୃତ୍ୱକୁ ସମାପ୍ତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଶ୍ରୀ ଦାସ ଚଟ୍ଟଗ୍ରାମରୁ ଗଣମାଧ୍ୟମକୁ କହିଥିଲେ। କିଛି ମାସ ତଳେ ବାଂଲାଦେଶରେ ମଧ୍ୟ ଇସ୍କନ ସହ ଜଡ଼ିତ ସନ୍ନ୍ୟାସୀ ଚିନ୍ମୟକୃଷ୍ଣ ଦାସଙ୍କୁ ଅନେକେ ଜାଣି ନ ଥିବେ। ଅଗଷ୍ଟମାସରେ ଶେଖ୍ ହସିନା ଶାସନର ପତନ ପରେ ବାଂଲାଦେଶ ସମ୍ପୂର୍ଣ୍ଣ ବିଶୃଙ୍ଖଳା ଭିତରକୁ ଓହ୍ଲାଇଥିଲା।

ସେତେବେଳେ ହିନ୍ଦୁ ଓ ସେମାନଙ୍କ ମନ୍ଦିର ଉପରେ ଆକ୍ରମଣକୁ ବିରୋଧ କରି ୩୯ ବର୍ଷୀୟ ସାଧୁ ଚର୍ଚ୍ଚାକୁ ଆସିଥିଲେ। ୪ ମାସ ମଧ୍ୟରେ ଚିନ୍ମୟକୃଷ୍ଣ ଦାସ ବାଂଲାଦେଶରେ ହିନ୍ଦୁମାନଙ୍କର ସବୁଠାରୁ ବଡ଼ ନେତା ପାଲଟିଯାଇଛନ୍ତି ଏବଂ ତାଙ୍କ ରାଲିକୁ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଛନ୍ତି। ସରକାର ସମସ୍ତଙ୍କୁ ଦମନ କରି ଚୁପ୍ କରାଉଥିବା ବେଳେ ତାଙ୍କୁ ଚୁପ୍ କରାଇପାରି ନ ଥିଲେ। ସଙ୍କଟ ସମୟରେ ସେ ସଂଖ୍ୟାଲଘୁଙ୍କ ନେତା ଭାବେ ଉଭା ହୋଇଥିଲେ। ବାସ୍ତବରେ ସାଧୁଙ୍କ କରିସ୍ମା କେବଳ ତାଙ୍କର ଗୋଟିଏ ଡାକରାରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିନାହିଁ, ବରଂ ତାଙ୍କୁ ଇସଲାମବାଦୀଙ୍କ ମୁଖ୍ୟ ଟାର୍ଗେଟରେ ପରିଣତ କରିଛି। ମୌଳବାଦୀଙ୍କ ଘୃଣ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିବା ଇସ୍କନ ଭୟରେ ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିଲା। କିନ୍ତୁ ଚିନ୍ମୟକୃଷ୍ଣ ଦାସଙ୍କୁ କେହି ଅଟକାଇ ପାରିନଥିଲେ, ଯାହାଙ୍କ ପୂର୍ବାଶ୍ରମର ନାମ ଥିଲା ଚନ୍ଦନ କୁମାର ଧର। ଆଠଦଫା ଦାବିର ଅନ୍ୟତମ ମୁଖ୍ୟ ଚାଳକ ଭାବରେ ଦାସ ମୁସଲମାନବହୁଳ ବାଂଲାଦେଶରେ ସଂଖ୍ୟାଲଘୁ ଅଧିକାର ପାଇଁ ଚାପ ପକାଇଥିଲେ। ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଟ୍ରିବ୍ୟୁନାଲ ଗଠନ, ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଆଇନ ଆଣିବା ଏବଂ ସଂଖ୍ୟାଲଘୁଙ୍କ ପାଇଁ ମନ୍ତ୍ରଣାଳୟ ଗଠନ କରିବା ଆଦି ତାଙ୍କର ଆଠଦଫା ଦାବି ମଧ୍ୟରୁ ଅନ୍ୟତମ। ବାଂଲାଦେଶର ସର୍ବବୃହତ୍ ଧାର୍ମିକ ସଂଖ୍ୟାଲଘୁ ଗୋଷ୍ଠୀ ହିନ୍ଦୁଙ୍କ ଭାଗ ୧୯୫୧ (ତତ୍କାଳୀନ ପୂର୍ବ ପାକିସ୍ତାନ)ରେ ୨୨ ପ୍ରତିଶତ ଥିବାବେଳେ ତାହା ଏବେ ୮ ପ୍ରତିଶତକୁ ଖସି ଆସିଛି।

ଚଟ୍ଟଗ୍ରାମର ଜଣେ ସାଥୀ ସାଧୁ କହିଛନ୍ତି ଯେ ଦାସ ୧୯୮୫ ମସିହା ମେ ମାସରେ ଚଟ୍ଟଗ୍ରାମର ସାତକଣିଆ ଉପଜିଲ୍ଲା ଅନ୍ତର୍ଗତ କାରିଆନଗର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଧାର୍ମିକ ମହଲରେ ଶିଶୁ ପ୍ରବାଚକ ଭାବରେ ଲୋକପ୍ରିୟ ଥିଲେ। ୧୯୯୭ ମସିହାରେ ୧୨ ବର୍ଷ ବୟସରେ ଦୀକ୍ଷା ନେଇ ଇସ୍କନର ବ୍ରହ୍ମଚାରୀ ହୋଇଥିଲେ। ଚିନ୍ମୟ ପ୍ରଭୁ ଭାବରେ ସମ୍ବୋଧିତ ଏହି ସାଧୁ ହେଉଛନ୍ତି ବାଂଲାଦେଶର ପୁଣ୍ଡରିକ ଧାମର ସଭାପତି ଏବଂ ବାଂଲାଦେଶ ସମ୍ମିଳିତ ସନାତନୀ ଜାଗରଣ ଜୋଟର ମୁଖପାତ୍ର। ଚଟ୍ଟଗ୍ରାମର ପୁଣ୍ଡାରିକ ଧାମ ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ ଦୁଇଟି ପବିତ୍ର ତୀର୍ଥସ୍ଥଳ ମଧ୍ୟରୁ ଅନ୍ୟତମ।
୮ଦଫା ଦାବି ନେଇ ତାଙ୍କ ସଂଗଠନ ଅକ୍ଟୋବର ୨୫ ତାରିଖରେ ଚଟ୍ଟଗ୍ରାମରେ ଏକ ବିଶାଳ ରାଲି କରିଥିଲା। ହିନ୍ଦୁମାନଙ୍କର ଶକ୍ତି ପ୍ରଦର୍ଶନ ବାଂଲାଦେଶର ଜନସାଧାରଣଙ୍କ ଏକ ଅଂଶକୁ ପସନ୍ଦ ଆସି ନ ଥିଲା ଏବଂ ଦାସ ଓ ଅନ୍ୟ ୧୭ ଜଣ ହିନ୍ଦୁ ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ଜାତୀୟ ପତାକାକୁ ଅପମାନିତ କରିବା ସହ ଜଡିତ ଏହି ମାମଲା। ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ଚଟ୍ଟଗ୍ରାମର ନ୍ୟୁମାର୍କେଟ ଅଞ୍ଚଳରେ ବାଂଲାଦେଶର ଜାତୀୟ ପତାକା ଭାବେ ପ୍ରଦର୍ଶିତ ଏକ ପତାକା ନିକଟରେ କିଛି ଲୋକ ଗେରୁଆ ପତାକା ଲଗାଇଛନ୍ତି। ଏହି ପତାକାରେ ତାରା ଓ ଅର୍ଦ୍ଧଚନ୍ଦ୍ର ଥିଲା ଏବଂ ଏହା ବାଂଲାଦେଶର ଜାତୀୟ ପତାକା ନ ଥିଲା। ଦାସ କହିଛନ୍ତି, ଗୈରିକ ପତାକା ଲଗାଯିବା ସହ ସନାତନୀ ସଂଗଠନର କୌଣସି ସମ୍ପର୍କ ନ ଥିଲା। କାରଣ ଲାଲ ଦିଘି ଆନ୍ଦୋଳନ ସ୍ଥଳଠାରୁ ୨ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା। ଦାସ ଓ ଅନ୍ୟମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପ୍ରତ୍ୟାହାର ଦାବିରେ ହଜାର ହଜାର ହିନ୍ଦୁ ସମଗ୍ର ବାଂଲାଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଚଟ୍ଟଗ୍ରାମରେ ସଫଳ ରାଲି ପରେ ଭାରତର ସିଲିଗୁଡ଼ି କରିଡର ନିକଟରେ ଥିବା ରଙ୍ଗପୁରରେ ବାଂଲାଦେଶ ସମ୍ମିଳିତ ସନାତନୀ ଜାଗରଣ ଜୋଟର ପରବର୍ତ୍ତୀ ରାଲି ହେବାର ଥିଲା। ରଙ୍ଗପୁର ସମାବେଶର ପୂର୍ବ ରାତିରେ ଦାସଙ୍କୁ ଗିରଫ କରିବାକୁ ଉଦ୍ୟମ କରାଯାଇଥିଲା। ଦାସ ଯେଉଁ ହୋଟେଲରେ ରହିବା ପାଇଁ ବୁକିଂ କରିଥିଲେ ସେହି ହୋଟେଲକୁ ପ୍ରଶାସନ ତାଙ୍କ ବୁକିଂ ବାତିଲ କରିବା ପାଇଁ ଚାପ ପକାଇଥିଲା। ଅନୁମତି ନ ମିଳିବାରୁ ଶେଷ ମୁହୂର୍ତ୍ତରେ ରାଲିର ସ୍ଥାନକୁ ରଙ୍ଗପୁରର ଏକ ଛୋଟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ଲୋକମାନଙ୍କୁ ସଭାସ୍ଥଳରେ ପହଂଚିବାରୁ ରୋକିବା ପାଇଁ ପ୍ରଶାସନ ସବୁ ପ୍ରକାର ଉଦ୍ୟମ କରିଥିବା ସତ୍ତ୍ୱେ ରଙ୍ଗପୁର ରାଲିରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପୁଲିସ କର୍ମଚାରୀ ଓ ଇସଲାମବାଦୀମାନେ ଲୋକଙ୍କୁ ହଇରାଣ କରିବା ଓ ସେମାନଙ୍କୁ ସଭାସ୍ଥଳକୁ ଯିବାକୁ ବାରଣ କରୁଥିବାର କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ଦେଶଦ୍ରୋହ ମାମଲା ରୁଜୁ କରିଥିବା ସ୍ଥାନୀୟ ନେତା ଫିରୋଜ ଖାନଙ୍କୁ ବହିଷ୍କାର କରିଛି କାରଣ ସେମାନେ ଏହି ମାମଲାରେ କୌଣସି ମେରିଟ୍ ଥିବା ଦେଖି ନ ଥିଲେ। ତେବେ ବାଂଲାଦେଶ ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପସନ୍ଦ କରିଥିଲେ। କାରଣ ଦାସ ବାଂଲାଦେଶର ଲକ୍ଷ ଲକ୍ଷ ହିନ୍ଦୁଙ୍କୁ ମାର୍ଗ ଦେଖାଇବା ସହ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। ଚିନ୍ମୟକୃଷ୍ଣ ଦାସଙ୍କ ଜାମିନ ନାମଞ୍ଜୁର କରି ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲେ ହେଁ ସେ ଯେଉଁ ଏକତା ସୃଷ୍ଟି କରିଛନ୍ତି ଏବଂ ଯୁବକଙ୍କୁ ଯେଉଁ ମାର୍ଗ ଦେଖାଇଛନ୍ତି ତାହାକୁ ଦିଗହରା କରିବା ଏତେ ସହଜ ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button