ରାଜ୍ୟ

ଥାନାରେ ସେନା କର୍ମଚାରୀଙ୍କୁ କିପରି ବ୍ୟବହାର କରାଯିବ?, ନିଜ ପାଇଁ ଏସ୍‌ଓପି ଆଣିଲା ପୋଲିସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଥାନାକୁ ଅଭିଯୋଗ ନେଇ ଆସୁଥିବା ସେନା ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ସୌଜନ୍ୟ ରକ୍ଷା କରି ସମ୍ମାନ ପୂର୍ବକ ବ୍ୟବହାର ପ୍ରଦର୍ଶନ କରିବ। ସେନା ଅଧିକାରୀଙ୍କ ସମସ୍ୟା ଓ ଅଭି‌ଯୋଗ ପ୍ରତି ପୁଲିସ ଅଧିକାରୀ ତୁରନ୍ତ ଧ୍ୟାନ ଦେବା ସହିତ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଡ୍ୟୁଟିରେ ଥିବା ସେନା ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ପୁଲିସ ଗିରଫ କରିପାରିବ ନାହିଁ।

ରାଜ୍ୟ ସରକାରଙ୍କ ତରଫରୁ ଜାରି ଏସ୍‌ଓପିରେ ଏଭଳି ନିର୍ଦ୍ଦେଶାବଳୀ ଉଲ୍ଲେଖ କରାଯାଇଛି। ଥାନା ଓ ଫାଣ୍ଡି ଭିତରେ ସେନା ଅଧିକାରୀ/କର୍ମଚାରୀଙ୍କୁ ପୁଲିସ ଅଧିକାରୀ କେମିତି ବ୍ୟବହାର ପ୍ରଦର୍ଶନ କରିବେ ସେ ନେଇ ଏସ୍‌ଓପିରେ ଉଲ୍ଲେଖ କରାଯାଇଥିବା ବେଳେ ତାହାର କପି ହାଇକୋର୍ଟରେ ଦାଖଲ ହୋଇଛି।

ଭରତପୁର ଥାନା ଘଟଣାକୁ ନେଇ ବିଚାରାଧୀନ ଜନସ୍ବାର୍ଥ ମାମଲାର ମଙ୍ଗଳବାର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ତରଫରୁ ଜାରି ଏସ୍‌ଓପିର ନକଲ ଦାଖଲ କରିଥିଲେ। ଏହି ଏସ୍‌ଓପିକୁ ମୁଖ୍ୟମନ୍ତ୍ରୀ ଗତ ୧୧ ତାରିଖରେ ଅନୁମୋଦନ କରିଥିବା ଦର୍ଶାଯାଇଥିଲା। ଏସ୍‌ଓପିରେ ଉଲ୍ଲେଖ କରାଯାଇଛି ଯେ ଯଦି ପ୍ରତିରକ୍ଷା ବିଭାଗର ଅଧିକାରୀ ବା କର୍ମଚାରୀ ଯଦି ଲିଖିତ ଅଭିଯୋଗ ଦାଖଲ କରନ୍ତି ତେବେ ତୁରନ୍ତ ଏହା ଉପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ସମସ୍ୟାର ସମାଧାନ ପାଇଁ ପୁଲିସ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ଅଭିଯୋଗ ଦାୟର ପାଇଁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଯଦି ଧର୍ତ୍ତବ୍ୟ ଅପରାଧ(କଗ୍‌ନିଜେବଲ ଅଫେନ୍ସ)ନେଇ ପ୍ରତିରକ୍ଷା ଅଧିକାରୀ/କର୍ମଚାରୀ ମୌଖିକ ଅଭିଯୋଗ କରନ୍ତି ତେବେ ଲିଖିତ ରିପୋର୍ଟ ପାଇଁ ବାଧ୍ୟ ନ କରି ପୁଲିସ ଅଧିକାରୀ ଏ ସଂପର୍କିତ ସୂଚନାକୁ ଲଖିତ ଆକାରକୁ ନେବେ। ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ଏଥିରେ ଅଭିଯୋଗକାରୀଙ୍କ ଦସ୍ତଖତ ନେବେ। ନିଜ ଦାୟିତ୍ବ ସଂପାଦନ ବେଳେ କରିଥିବା କାର୍ଯ୍ୟ ପାଇଁ ସେନାର କୌଣସି ଅଧିକାରୀ ବା କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଗିରଫ କରାଯାଇ ପାରିବ ନାହିଁ। ଏ ନେଇ ବିଏନ୍‌ଏସ୍‌ଏସ୍‌-୨୦୨୩ ଓ ଦି ଆର୍ମି ଆକ୍ଟ-୧୯୫୦ରେ ରହିଥିବା ବ୍ୟବସ୍ଥା ସଂକ୍ରାନ୍ତରେ ଏସ୍‌ଓପିରେ ଉଲ୍ଲେଖ କରାଯାଇଛି। ସୁରକ୍ଷା ବଳ ସଂକ୍ରାନ୍ତୀୟ ମାମଲାର ତଦନ୍ତ ବେଳେ କଣ ନିୟମ ପାଳନ କରାଯିବ ସେ ନେଇ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ନିୟମାବଳୀ ସଂକ୍ରାନ୍ତରେ ମଧ୍ୟ ଉଲ୍ଲେଖ ରହିଛି। ଆଇନରେ ଥିବା ବ୍ୟବସ୍ଥା ଓ ଗୃହ ମନ୍ତ୍ରଣାଳୟର ନିୟମାବଳୀ ଆଧାରରେ କେତେକ ନିର୍ଦ୍ଦେଶନାମା ପୁଲିସ ଅଧିକାରୀଙ୍କ ପାଇଁ ଜାରି କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button