ରାଜ୍ୟ

ଚାଷୀଙ୍କ ମୁହଁରେ ହସ ଫୁଟାଇବା ଆମ ସରକାରର ପ୍ରତିବଦ୍ଧତା : ଧର୍ମେନ୍ଦ୍ର ପ୍ରଧାନ

ହଡାଗୋଡ଼ା, ୯।୧୧ – ଚାଷୀଙ୍କ ମୁହଁରେ ହସ ଫୁଟାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରତିବଦ୍ଧତା । ମୋଦୀ ସରକାରରେ ବିଗତ ୧୦ ବର୍ଷ ମଧ୍ୟରେ ଅନ୍ନଦାତାଙ୍କ ଆୟ ବୃଦ୍ଧି କରିବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ଶନିବାର ଝାଡଖଣ୍ଡ ନିର୍ବାଚନ ପରିପ୍ରେକ୍ଷୀରେ ବହଡାଗୋଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ‘କିଷାନ ସମ୍ମିଳନୀ’କୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଆ ବହୁଳ ଅଞ୍ଚଳ ପାରୁଲିଆ ପଞ୍ଚାୟତର ତାଡ଼ୁଆ ଗ୍ରାମରେ ଦଳୀୟ ପ୍ରାର୍ଥୀ ଦିନେଶାନନ୍ଦ ଗୋସ୍ୱାମୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । କିଷାନ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କୃଷିର ବିକାଶ ଓ ଚାଷୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି । ଏଥର ଝାଡଖଣ୍ଡରେ ବିଜେପି ସରକାର ଆସିଲେ ଓଡ଼ିଶା ଭଳି ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ବିଜେପି ସରକାରରେ କୃଷକଙ୍କ ଉନ୍ନତି ଓ ପ୍ରଗତି ହେବ । ମା’ ଭଉଣୀମାନଙ୍କ ସମୃଦ୍ଧି, ଯୁବକମାନଙ୍କୁ ଚାକିରି, ଗୁଣାତ୍ମକ ଶିକ୍ଷା ଏବଂ ଝାଡ଼ଖଣ୍ଡର ନିରନ୍ତର ବିକାଶ କରିବା ହେଉଛି ବିଜେପିର ସଂକଳ୍ପ । ବିଜେପି ସରକାର ଆସିଲେ ରାଜ୍ୟରେ ଗୋଗୋ ଦିଦି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦିଆଯିବ ।

ମୋଦୀ ସରକାରରେ ଆଦିବାସୀ ଲୋକମାନେ ବିଶେଷ ଲାଭ ପାଇଛନ୍ତି । ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଖଣିଜ ସମ୍ପଦକୁ ଶାଗ ମାଛ ମୂଲ୍ୟରେ ପୁଞ୍ଜିପତିମାନଙ୍କୁ ବିକ୍ରି କରାଯାଉଥିଲା । ମାତ୍ର ଆଜି ମୋଦୀ ସରକାରଙ୍କ ସଂସ୍କାର କାରଣରୁ ଜିଲ୍ଲାର ଅର୍ଥ ଜିଲ୍ଲାରେ ରହୁଛି । ଖଣି ରାଜସ୍ୱ କୋଟି କୋଟି ଟଙ୍କା ବୃଦ୍ଧି ପାଇଛି । ଡିଏମଏଫ ପାଣ୍ଠିରୁ ମିଳୁଥିବା ଅର୍ଥରାଶିକୁ ଜନଜାତିଙ୍କ ମୌଳିକ ସୁବିଧା ଯୋଗାଇବା ଦିଗରେ ସଦୁପଯୋଗ କରାଯାଉଛି । ଅନ୍ୟପଟେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲୁଟ ମାମଲାରେ ପୂର୍ବରୁ ଜେଲ୍ ଯିବାକୁ ପଡିଛି । ତେଣୁ ଝାଡଖଣ୍ଡରେ ବିକାଶ କରିବା ପାଇଁ ପଦ୍ମ ଫୁଲରେ ଭୋଟ୍ ଦେବାକୁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଗତକାଲି ଶ୍ରୀ ପ୍ରଧାନ ଜାମସେଦପୁରରେ ବସବାସ କରୁଥିବା ଓଡ଼ିଆ ସମୁଦାୟଙ୍କ ସହ ଭେଟ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର ଭାବାବେଗକୁ ବଞ୍ଚାଇ ରଖିବା ସହ ଝାଡ଼ଖଣ୍ଡର ବିକାଶ ଓ ଅଭିବୃଦ୍ଧି ଦିଗରେ ଓଡ଼ିଆ ଲୋକଙ୍କର ଥିବା ଅବଦାନକୁ ପ୍ରଶଂସା କରିବା ସହ ଜାମସେଦପୁରକୁ ବିକାଶର ସ୍ରୋତରେ ଆଗେଇ ନେବା ସହ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟ କରିବା ପାଇଁ ନିବେଦନ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button