ରାଜ୍ୟ

ଜାମିନ କରାଇଦେବାକୁ ୧୬ଲକ୍ଷ ଟଙ୍କା, ୧୧୫ ଗ୍ରାମ ସୁନା ନେବା ମାମଲା: ତଦନ୍ତ ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଟକ: ଅଭିଯୁକ୍ତଙ୍କ ସପକ୍ଷରେ ଜାମିନ ଆଦେଶ କରାଇଦେବାକୁ ଆଇନଜୀବୀ କଥା ଦେଇଥିଲେ। ବିଚାରପତି ନେବେ କହି ଆଇନଜୀବୀ ଜଣକ ଅଭିଯୁକ୍ତଙ୍କ ପତ୍ନୀଙ୍କ ନିକଟରୁ ୧୬ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ମଙ୍ଗଳାବାଗ ଥାନାରେ ୨୦୨୧ରେ ଏତଲା ରୁଜୁ ହୋଇଥିଲା।

ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ପରିଷଦ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବ। ସମସ୍ତ ପକ୍ଷଙ୍କୁ ଶୁଣାଣି ବେଳେ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ମଙ୍ଗଳାବାଗ ଥାନାରେ ରୁଜୁ ଏତଲାକୁ ରଦ୍ଦ କରିବାକୁ ନିବେଦନ କରି ଆଇନଜୀବୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ନିକଟରେ ୧୦ ହଜାର ଟଙ୍କା ଜମା କରିବାକୁ ଆବେଦନକାରୀ ଆଇନଜୀବୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ପୂର୍ବତନ ବିଚାରପତିଙ୍କ ନାଁ ମଳିନ କରିବା ଭଳି ଗମ୍ଭୀର ଅଭିଯୋଗ ରହିଛି। ତଦନ୍ତ ଅପରିପକ୍ବ ପର୍ଯ୍ୟାୟରେ ରହିଛି ବୋଲି ହାଇକୋର୍ଟ କହିବା ସହିତ ଏତଲା ରଦ୍ଦ କରିବାକୁ ମନା କରିଛନ୍ତି। ଜଷ୍ଟିସ୍ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଅଭିଯୋଗକାରୀ ଜଣକ ଅତି ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରାଇଦେବା ପାଇଁ ତାଙ୍କ ପତ୍ନୀଙ୍କ ଠାରୁ ୧୬ ଲକ୍ଷ ୩୫ ହଜାର ଟଙ୍କା ଓ ସୁନା ଅଳଙ୍କାର ଆଇନଜୀବୀ ଗ୍ରହଣ କରିଥିଲେ। ଏହି ସୁନା ଓ ଟଙ୍କା ସେତେବେଳେ ଜଣେ ବିଚାରପତି (ବର୍ତ୍ତମାନ ଅବସରପ୍ରାପ୍ତ) ନେବେ ବୋଲି ଆଇନଜୀବୀ କହିଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଏପରି ଘଟଣାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ମହକିଲ ଓ ସମାଜର ବିଶ୍ବାସ ବଜାୟ ରଖିବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ରାଜ୍ୟ ଆଇନଜୀବୀ ପରିଷଦର ଶୃଙ୍ଖଳା କମିଟି ଏହି ଘଟଣାର ତଦନ୍ତ କରିବ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାରୁ ପ୍ରକାଶ ଯେ, ମଙ୍ଗଳାବାଗ ଥାନରେ ରୁଜୁ ଏତଲାରେ ଦର୍ଶାଯାଇଥିଲା ଯେ ଅଭିଯୁକ୍ତ ଏକ ଚିଟଫଣ୍ଡ ମାମଲାରେ ଜେଲ ଯାଇଥିଲେ। ଜାମିନ ନିର୍ଦ୍ଦେଶ ସପକ୍ଷରେ କରାଇଦେବାକୁ କହି ଆଇନଜୀବୀ ଜଣକ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ବିପୁଳ ଅର୍ଥ ଓ ସୁନା ଅଳଙ୍କାର ଦେବାକୁ କହିଥିଲେ। ଅଭିଯୁକ୍ତଙ୍କ ପତ୍ନୀ ୧୬ଲକ୍ଷ ୩୫ହଜାର ଟଙ୍କା ଆଇନଜୀବୀଙ୍କୁ ଦେଇଥିଲେ। ଏପରିକି ସେହି ସମୟରେ ଉକ୍ତ ଟଙ୍କା ସହ ଜାମିନ ଶୁଣାଣି କରିବାକୁ ଥିବା ବିଚାରପତିଙ୍କୁ ୬୫ ଗ୍ରାମର ସୁନା ହାର ଓ ୫୦ ଗ୍ରାମର ବ୍ରେସ୍ଲେଟ ଦେବାକୁ ପଡ଼ିବ ବୋଲି କହି ଆଇନଜୀବୀ ଜଣକ ଏହି ସବୁ ଅଳଙ୍କାର ଅଭିଯୁକ୍ତଙ୍କ ପତ୍ନୀଙ୍କ ନିକଟରୁ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା। ଏହା ପରେ ପୁଣି ସାନି ଜାମିନ ଆବେଦନ ପାଇଁ ୧୬ଲକ୍ଷ ଟଙ୍କା ଆଇନଜୀବୀ ଦାବି କରିଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ମାମଲାର ନଥିପତ୍ର ଓ ଦେଇଥିବା ଟଙ୍କା, ସୁନା ଫେରାଇ ଦେବାକୁ ଆଇନଜୀବୀଙ୍କୁ କହିଥିଲେ। ଆଇନଜୀବୀ ଜଣକ ଧମକ ଚମକ ଦେଇ ଏପରି ଦାବିକୁ ଅଗ୍ରାହ୍ୟ କରିଥିଲେ। ଏହାପରେ ଅଭିଯୋଗକାରୀ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଏତଲାକୁ ରଦ୍ଦ କରିବାକୁ ଆଇନଜୀବୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button