ଟ୍ରମ୍ପଙ୍କୁ ସମର୍ଥନ ମସ୍କଙ୍କୁ ଦେଲା ବଡ଼ ଲାଭ: ଦେଲେ ୧୩ କୋଟି, ପାଇଲେ ୨୬୦୦ କୋଟି
ନୂଆଦିଲ୍ଲୀ,୦୯/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ମାତ୍ରାରେ ସମର୍ଥନ ଦେଇଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲ୍ନ ମସ୍କ । ଟୁଇଟର୍ରେ ଟ୍ରମ୍ପଙ୍କ ପାଇଁ ପ୍ରଚାର ଅଭିଯାନ ଚଳାଇଥିଲେ । ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ପାଇଁ ୧୩ କୋଟି ଡଲାର ପ୍ରଦାନ କରିଥିଲେ ମସ୍କ । ଏଥିସହିତ ଏଥର ଆମେରିକା ନିର୍ବାଚନରେ ସର୍ବବୃହତ୍ ଦାତା ଭାବେ ପରିଗଣିତ ହୋଇଥିଲେ ସେ ।
ଏହି ସମର୍ଥନ ଏଲନ୍ ମସ୍କଙ୍କ ସମ୍ପତ୍ତିକୁ ବଡ଼ ମାତ୍ରାରେ ବଢ଼ାଇଦେଇଛି । ଟ୍ରମ୍ପଙ୍କ ବିଜୟ ପରେ ମସ୍କଙ୍କ ଇଲେକ୍ଟ୍ରିକ୍ ଯାନ କମ୍ପାନି ଟେସ୍ଲାର ସେୟାର ରକେଟ୍ ବେଗରେ ବଢ଼ିଯାଇଥିଲା । ନିର୍ବାଚନ କ୍ୟାମ୍ପେନ୍ରେ ମସ୍କ ଯେତିକି ଖର୍ଚ୍ଚ କରିଥିଲେ ତାହାଠାରୁ ଢେର ଗୁଣା ଲାଭ ପାଇଯାଇଛନ୍ତି ।
ଟ୍ରମ୍ପଙ୍କ ବିଜୟ ପରେ ମସ୍କଙ୍କ କମ୍ପାନି ଟେସ୍ଲାର ସେୟାର ମୂଲ୍ୟରେ ପ୍ରାୟ ୧୫% ବୃଦ୍ଧି ଦେଖିବାକୁ ମିଳିଥିଲା । ସେୟାର ମୂଲ୍ୟରେ ବୃଦ୍ଧି ସହିତ ଏଲନ୍ ମସ୍କଙ୍କ ସମ୍ପତ୍ତି ୨୬୦୦ କୋଟି ଡଲାର ବୃଦ୍ଧି ପାଇଛି । ଅର୍ଥାତ୍ ୧୩ କୋଟି ଡଲାର ଖର୍ଚ୍ଚ କରି ୨୬୦୦ କୋଟି ଡଲାର ଯୋଡ଼ିଛନ୍ତି ମସ୍କ । ନିର୍ବାଚନ ଫଳାଫଳ ଆସିବା ପରେ ତାଙ୍କ ସମ୍ପତ୍ତି ୨୯୦୦୦ କୋଟି ଡଲାରକୁ ବୃଦ୍ଧି ପାଇଥିବା ବ୍ଲୁମ୍ବର୍ଗ ବିଲିୟନେୟାର ସୂଚୀରୁ ଜଣାପଡ଼ିଛି । ଟ୍ରମ୍ପଙ୍କ ବଡ଼ ସମର୍ଥକ ମସ୍କ ନୂଆ ସରକାରଙ୍କ ନୀତି ନିର୍ଦ୍ଧାରଣରେ ବଡ଼ ଭୂମିକା ଗ୍ରହଣ କରିବେ ବୋଲି ଅନୁମାନ ରହିଛି । ଏହା ଟେସ୍ଲାରେ ନିବେଶକଙ୍କ ଆସ୍ଥାକୁ ଆହୁରି ମଜଭୁତ କରିବା ନେଇ ଆଶା ରହିଛି । ଉକ୍ତ ଆଶାରୁ ଟେସ୍ଲାର ସେୟାର ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି ।
ଯଦିଓ ମସ୍କଙ୍କର ସେଭଳି କୌଣସି ଯୋଜନା ନ ଥିଲା କିନ୍ତୁ ଟ୍ରମ୍ପଙ୍କୁ ସମର୍ଥନ ହଠାତ୍ ତାଙ୍କ ନେଟ୍ ସମ୍ପତ୍ତିକୁ ବଡ଼ ଆକାରରେ ବଢ଼ାଇଦେଇଛି । ନାସ୍ଡାକ୍ରେ ମସ୍କଙ୍କ କମ୍ପାନି ଟେସ୍ଲାର ସେୟାର ମୂଲ୍ୟରେ ୧୫% ବୃଦ୍ଧି ଘଟି ଏହା ୨୮୯.୪୧ ଡଲାରରେ ପହଞ୍ଚିଯାଇଥିଲା ।
ଟେସ୍ଲାର ସେୟାର ମୂଲ୍ୟ ବଢ଼ିବାର ଅନ୍ୟ ଏକ କାରଣ ହେଉଛି, ଫ୍ଲୋରିଡାରେ ନିଜ ବିଜୟ ଅଭିଭାଷଣରେ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କ ମସ୍କଙ୍କୁ ପ୍ରଶଂସା । ନିଜ ଅଭିଭାଷଣରେ ଟ୍ରମ୍ପ କହିଥିଲେ ଯେ, ମସ୍କ ଜଣେ ବିଶେଷ ବ୍ୟକ୍ତିତ୍ୱ । ସେ ସୁପର୍ ଜିନିୟସ । ଆମକୁ ଆମ ପ୍ରତିଭାମାନଙ୍କୁ ସୁରକ୍ଷା ଦେବାକୁ ପଡ଼ିବ । ଏହି ବିବୃତି ଟେସ୍ଲା ସେୟାରକୁ ରକେଟ୍ ବେଗରେ ବଢ଼ାଇଥିଲା ।
ରିପୋର୍ଟ ଅନୁସାରେ, ମସ୍କ ଟେକ୍ସାସରେ ମତଦାନ କରିଥିଲେ ଏବଂ ନିଜ ଘରୋଇ ଜେଟ୍ରେ ଫ୍ଲୋରିଡାକୁ ଫେରି ଟ୍ରମ୍ପଙ୍କ ବିଜୟ ଅଭିଭାଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ଟ୍ରମ୍ପ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ଏକାଠି ମଞ୍ଚରେ ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ଲୁମ୍ବର୍ଗ ଅରବପତି ତାଲିକା ଅନୁସାରେ ବିଶ୍ୱର ଧନକୁବେରମାନଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି । ମସ୍କଙ୍କ ସହିତ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ଓରାକଲ୍ର ଲ୍ୟାରି ଏଲିସନ୍ ମଧ୍ୟ ଭଲ ଆୟ କରିଛନ୍ତି ।