ରାଜ୍ୟ

ପୁରୁଣା ବିଏମ୍‌ସି ଅଫିସ୍‌ ସ୍ଥାନରେ ହେବ ‘ରାଜସ୍ବ ଭବନ’

ଭୁବନେଶ୍ବର: ସରକାର ଓ ଅଧିକାରୀ ବଦଳିଲା ପରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଯାଉଛି। ଏମିତି ଏକ ନିଷ୍ପତ୍ତି ବଦଳିଛି ‘ରାଜସ୍ବ ଭବନ’ ନିର୍ମାଣ କ୍ଷେତ୍ରରେ। ବିଜେବି ନଗରରେ ନିର୍ମାଣ ହେବାକୁ ଥିବା ଏହି ଭବନର ଠିକଣା ବଦଳିବାକୁ ଯାଉଛି। କଳ୍ପନା ଛକରେ ଥିବା ପରୁଣା ବିଏମ୍ସି ଅଫିସ ଭଙ୍ଗାଯାଇ ସେହି ସ୍ଥାନରେ ନିର୍ମାଣ ହେବ ‘ରାଜସ୍ବ ଭବନ’।

ସ୍ବାସ୍ଥ୍ୟ ବିଭାଗରୁ ରାଜସ୍ବ ବିଭାଗକୁ ଏହି ଜମି ହସ୍ତାନ୍ତର ପରେ କାମ ଆଗକୁ ବଢ଼ିବ। ଏନେଇ ପ୍ରସ୍ତୁତି ଚାଲିଛି। ଖୁବ୍ ଶୀଘ୍ର ସାଧାରଣ ପ୍ରଶାସନ ବିଭାଗ, ନଗର ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ରାଜସ୍ବ ବିଭାଗ ମଧ୍ୟରେ ସମନ୍ବୟ ବୈଠକ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଗୋଟିଏ ଛାତ ତଳେ ରାଜସ୍ବ ବିଭାଗର ସମସ୍ତ ରାଜସ୍ବ ସେବା ପ୍ରଦାନ କରିବା ପାଇଁ ‘ରାଜସ୍ବ ଭବନ’ ନିର୍ମାଣର ପରିକଳ୍ପନା କରାଯାଇଥିଲା। ହେଲେ ଏଯାଏ ଏହି ଯୋଜନା ବାସ୍ତବ ରୂପ ନେଇ ପାରୁନାହିଁ। ୨୦୨୨ ମସିହା ଜୁଲାଇ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପରେ ବିଜେବିନଗରରେ ସଂସ୍କୃତି ଭବନକୁ ଲାଗି ଥିବା ସାଧାରଣ ପ୍ରଶାସନ ବିଭାଗର ୪.୯୩୩ ଏକର ଜମି ରାଜସ୍ବ ବିଭାଗ ନାମରେ କରାଯାଇଥିଲା। ଏହି ଜମିରେ ଥିବା ବିଜୟଲକ୍ଷ୍ମୀ ବସ୍ତି, ଲେବର କଲୋନି ବସ୍ତି, କଳ୍ପନା ପାଣିଟାଙ୍କି ବସ୍ତି ଓ କଳ୍ପନା ମେଡିକାଲ ସାହି ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର ଏବଂ ସାଧାରଣ ପ୍ରଶାସନ ବିଭାଗର ଥିବା ୩୦ଟି କ୍ବାର୍ଟର୍ସକୁ ଖାଲି କରିବାକୁ ଯୋଜନା ହୋଇଥିଲା। ଏ କାମ ସରିବା ପରେ ଯାଇ ୧୭୫.୯୯ କୋଟି ଟଙ୍କା ଖର୍ଚ୍ଚରେ ‘ରାଜସ୍ବ ଭବନ’ ନିର୍ମାଣ ହୋଇଥାନ୍ତା। ମାଟି ତଳେ ଦୁଇ ମହଲା, ଗ୍ରାଉଣ୍ଡ ଫ୍ଲୋର ସହ ଉପର ୯ଟି ମହଲାକୁ ମିଶାଇ ମୋଟ ୧୨ଟି ମହଲା ଯୋଜନା ରହିଥିଲା।

ସଂସ୍କୃତି ଭବନ ନିକଟ ଜମିରେ ହେବନି
ଚଉଡ଼ା ରାସ୍ତା, ପାର୍କିଂ ସମସ୍ୟା ପାଇଁ ସ୍ଥାନ ବଦଳିଲା
ସ୍ବାସ୍ଥ୍ୟ ବିଭାଗରୁ ରାଜସ୍ବ ବିଭାଗକୁ ହସ୍ତାନ୍ତର ହେବ ଜମି
ନିର୍ମାଣ ହେବ ୧୨ ମହଲା କୋଠା
ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସ୍ ସହ ତହସିଲ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଅଫିସ୍ ରହିବ

ଏହି ରାଜସ୍ବ ଭବନରେ ତହସିଲ ଅଫିସ୍-୧ ଓ ୨, ଏଡିଏମ୍ ଓ ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସ, ଉପଜିଲ୍ଲାପାଳ, ସବ୍ରେଜିଷ୍ଟ୍ରାର ଅଫିସ, ରାଜସ୍ବ ପର୍ଷଦ ସଦସ୍ୟଙ୍କ କ୍ୟାମ୍ପ ଅଫିସ୍, ରାଜସ୍ବ ପର୍ଷଦଙ୍କ ୩ଟି ରିଭିଜନାଲ କୋର୍ଟ ଓ ଆରଡିସିଙ୍କ କ୍ୟାମ୍ପ ଅଫିସ୍ ରହିଥା’ନ୍ତା। ଏଥିସହ କନଫରେନ୍ସ ହଲ୍, ପାଠାଗାର, ଲୋକଙ୍କ ସୁବିଧା ପାଇଁ ପ୍ରତୀକ୍ଷା ଗୃହ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ପ୍ଲାନ୍ ଓ ଅଟକଳ କରିବା ପରେ କାମ ଆରମ୍ଭ ହେବାକୁ ଥିଲା। ପରେ ପରେ କେବଳ ପ୍ଲାନ୍ ଓ ଅଟକଳ ପ୍ରସ୍ତୁତ ହୋଇ ଫାଇଲ ଗତ ସରକାରଙ୍କ ନିକଟରେ ଚୂଡ଼ାନ୍ତ ମଞ୍ଜୁର ପାଇଁ ପଡ଼ି ରହିଥିଲା। ହେଲେ ଏଥିରେ କୌଣସି ଅଗ୍ରଗତି ହୋଇନଥିଲା।
ବଡ଼ କଥା ହେଲା, ଯାବତୀୟ କସରତ ପରେ ମଧ୍ୟ ରାସ୍ତା, ପାର୍କିଂ ଓ ଅନ୍ୟାନ୍ୟ ସମସ୍ୟା ଦେଖାଇ ଏବେ ‘ରାଜସ୍ବ ଭବନ’ ପାଇଁ ସଂସ୍କୃତି ଭବନ ନିକଟ ସ୍ଥାନକୁ ବାତିଲ କରି ଦିଆଯାଇଛି। ଏଥିସହ ପୁରୁଣା ବିଏମ୍ସି ଅଫିସ୍ ଥିବା ସ୍ଥାନରେ ‘ରାଜସ୍ବ ଭବନ’ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ପୁରୁଣା ବିଏମ୍ସି ଅଫିସ୍ କଳ୍ପନା ଛକ ଉପରେ ହୋଇଥିବା କାରଣରୁ ଏଠାରେ ‘ରାଜସ୍ବ ଭବନ’ ନିର୍ମାଣ ହେଲେ ଖୁବ୍ ସହଜରେ ଲୋକମାନେ କାର୍ଯ୍ୟାଳୟରେ ପହଞ୍ଚି ପାରିବେ। ଏହାଛଡ଼ା ଦୁଇ ପାଖରେ ୧୦୦ ଫୁଟରୁ ଅଧିକ ଚଉଡ଼ା ରାସ୍ତା ରହିଛି। ପାର୍କିଂ ପାଇଁ ମଧ୍ୟ ସୁବିଧା ରହିଛି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏହି ସ୍ଥାନରେ ରାଜସ୍ବ ଭବନ ନିର୍ମାଣ ପାଇଁ ଚୂଡ଼ାନ୍ତ ହୋଇଛି। କେବଳ ବିଭାଗ ମଧ୍ୟରେ ସମନ୍ବୟ ବୈଠକ ପରେ ଜମି ହସ୍ତାନ୍ତର କରାଯିବ। ସେହିପରି ପୁନର୍ବାର ପ୍ଲାନ୍ ଓ ଅଟକଳ ପ୍ରସ୍ତୁତ କରାଯିବ। ସରକାର ପ୍ଲାନ୍ ଓ ଅଟକଳରେ ମୋହର ମାରିବା ପରେ ଯାଇ କାମ ଆରମ୍ଭ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button