ଦେଶ- ବିଦେଶ

ଅଲିଭ୍ ରିଡଲେଙ୍କ ସୁରକ୍ଷା ଚିନ୍ତା: ୭ ମାସ ପାଇଁ ଓଡ଼ିଶା ଉପକୂଳରେ ମାଛ ଧରା ବାରଣ

ଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ଓଡ଼ିଶା ଉପକୂଳରେ ମାଛ ଧରିବା ଉପରେ ଲାଗିଲା କଟକଣା। ଆଜିଠାରୁ ୭ ମାସ ଯାଏଁ ଏହି କଟକଣା ଜାରି ରହିବ। ମତ୍ସ୍ୟଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ନଧରିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି।

 

ଅଲିଭ୍ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଉପକୂଳରେ ମାଛ ଧରା ଉପରେ କଟକଣା ଲଗାଯାଇଛି। ଆସନ୍ତାବର୍ଷ ମେ’ ୩୧ ତାରିଖ ପର୍ଯ୍ୟନ୍ତ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି। ଏହି ସମୟରେ ଯନ୍ତ୍ର ଚାଳିତ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ କଟକଣା ରହିବ।

ଅନ୍ୟପଟେ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ଶିବିର ଖୋଲାଯିବ। ଏହି ଶିବିରଗୁଡ଼ିକରେ ବନ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବ। ସେମାନେ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ।

ପ୍ରାୟ ୭ ମାସ ଯାଏଁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ନଧରିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହେବାର ସମ୍ଭାବନା ରହିଛି। ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସ୍ୟଜୀବୀଙ୍କ ପରିବାରକୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କଟକଣା ଲଗାଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button