ଆସିଲା ୨୨ଟି ଅଗ୍ନିଶମ ରୋବଟିକ୍ସ ମନିଟର, ଏଣିକି ରୋବଟ୍ ଲିଭାଇବ ନିଆଁ

ଭୁବନେଶ୍ୱର,୨୯/୧୦: ଅଗ୍ନିଶମ ବାହିନୀରେ ଯୋଡ଼ି ହୋଇଛି ରୋବଟିକ୍ସ ମନିଟର । ନିଆଁ ଲିଭାବେଳେ ଆଗ୍ନିକମାନେ ଯେଉଁଠି ପହଞ୍ଚି ପାରୁନାହାନ୍ତି, ଏହି ରୋବଟିକ୍ସ ମନିଟର ସେଠାରେ ବିନା ବାଧାରେ ପହଞ୍ଚି ନିଆଁ ଲିଭାଇବ । ମଙ୍ଗଳବାର ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିବେ ।
ଏହି ରୋବଟିକ୍ସ ମନିଟର ଅଗ୍ନିଶମ ବାହିନୀର ମୁଖ୍ୟ ଅସ୍ତ୍ର ପାଲଟିବ । ଏହାକୁ ସମ୍ପୂର୍ଣ୍ଣ ରିମୋଟ ଦ୍ୱାରା ନିୟନ୍ତ୍ରଣ କରାଯାଉଛି । ପାଇପ୍ ଯୋଗେ ପାଣି ଟାଙ୍କି ସହ ମନିଟରକୁ ଯୋଡ଼ାଯାଉଛି । ପାଖାପାଖି ୧ କିମି ଦୂର ପର୍ଯ୍ୟନ୍ତ ଯାଇ ପାଣି ସ୍ପ୍ରେ କରି ନିଆଁ ଲିଭାଇ ପାରୁଛି । ମନିଟରକୁ ଥଣ୍ଡା ରଖିବା ପାଇଁ ୬ଟି ସ୍ପ୍ରିଙ୍କଲର ଲଗାଯାଇଛି । ଉଚ୍ଚ ତାପଯୁକ୍ତ ନିଆଁ ଭିତରେ ଏହି ସ୍ପ୍ରିଙ୍କଲର ମେସିନ ଉପରକୁ ପାଣି ଛିଞ୍ଚି ଥଣ୍ଡା ରଖୁଛି । ମନିଟର ଉପରେ ୨ଟି ୩୬୦ ଡିଗ୍ରୀ ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଲାଗିଛି । ଗୋଟିଏ ସାଧାରଣ କ୍ୟାମେରା । ଯାହାକି, ମନିଟରଟିକୁ ଆଗେଇ ନେବା ପାଇଁ ରାସ୍ତା ଦେଖାଇବ । ଅନ୍ୟଟି ଥର୍ମାଲ କ୍ୟାମେରା । ଅନ୍ଧାର କିମ୍ବା ଧୂଆଁଭର୍ତ୍ତି କୋଠରୀରେ କୌଣସି ପଦାର୍ଥ ଦୂର ଜାଗାରେ ଥିଲେ ତାହା ଥର୍ମାଲ କ୍ୟାମେରା ଯୋଗ ଜଣାପଡି଼ଯିବ । ଥର୍ମାଲ କ୍ୟାମେରା ଫୁଟେଜ ଅନୁସାରେ ମନିଟରରୁ ପାଣି ସ୍ପ୍ରେ କରାଯାଉଛି । ରିମୋଟ ଜରିଆରେ କ୍ୟାମେରାକୁ ଉପର-ତଳ କରାଯାଇ ପାରୁଛି । ମନିଟରଟି ଗଳିକନ୍ଦି ରାସ୍ତାରେ ଅନାୟାସରେ ଯାଇପାରିବ ।
ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ରୋବଟିକ୍ସ ମନିଟରର ବିଶେଷତ୍ୱ ହେଉଛି, ଅଗ୍ନିକାଣ୍ଡ ଘଟିଥିବା କୋଠାର ବିପଦପୂର୍ଣ୍ଣ ଅଞ୍ଚଳକୁ ରୋବୋଟିକ୍ସ ମେସିନ୍ଟି ଯାଇପାରିବ । ୨୦୨୦ ଡିସେମ୍ବର ୧୦ ତାରିଖରେ ଅହମ୍ମଦବାଦର ଏକ କମ୍ପାନୀ ରୋବଟିକ୍ସ ମେସିନ୍ର ଡେମୋ ଦେଖାଇଥିଲା । ନିଆଁ ଲିଭାଇବା ପରୀକ୍ଷାରେ ଏହି ମେସିନ ବିଫଳ ହେବାରୁ ପରବର୍ତ୍ତୀ ସମୟରେ ଉକ୍ତ କମ୍ପାନୀଠୁ ମେସିନ୍ କିଣିବାକୁ ଅଗ୍ନିଶମ ବିଭାଗ ମନା କରିଥିଲା । ବର୍ତ୍ତମାନ ଦିଲ୍ଲୀର ଏକ ସଂସ୍ଥାଠାରୁ ୨୨ଟି ରୋବଟିକ୍ସ ମନିଟର କିଣାଯାଇଛି । ଗୋଟିଏ ମେସିନ୍ର ଦାମ ୭୦ ଲକ୍ଷ ଟଙ୍କାରୁ ୯୫ ଲକ୍ଷ ଟଙ୍କା ହେବ । ମଙ୍ଗଳବାର ବରମୁଣ୍ଡାସ୍ଥିତ ଓଡି଼ଶା ଫାୟାର ଆଣ୍ଡ ଡିଜାଷ୍ଟର ରେସ୍ପୋନ୍ସ ଏକାଡେମୀ (ଓଫଡ୍ରା)ରେ ଆୟୋଜିତ ଉତ୍ସବରେ ଏହି ମନିଟର ଡେମୋ ଦେଖାଇବ ।