ରାଜ୍ୟ

ମାଲକାନଗିରିରେ ବିଚିତ୍ର ଶିକ୍ଷା ନୀତି; ବିଦ୍ୟାଳୟ ଅଛି,ପିଲା ନାହାନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିପରି ଶିକ୍ଷା ବ୍ୟବସ୍ଥା ଚାଲିଛି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ଦୁର୍ଗମ ଅଂଚଳରେ ଶିକ୍ଷା ଭୁଷୁଡି ପଡିଥିବା ବେଳେ ସଦର ମହକୁମାରେ ବି ଶିକ୍ଷା ବ୍ୟବସ୍ଥା ଅତି ଶୋଚନୀୟ ହୋଇପଡିଛି। ସ୍ଥାନୀୟ ଭେଟେନାରୀ କଲୋନୀରେ ରହିଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥାକୁ ଦେଖିଲେ ସହଜରେ ଶିକ୍ଷା ବ୍ୟବସ୍ଥାର ସ୍ଥିତି ସଂପର୍କରେ ଜାଣିହେବ।ଏହି ପ୍ରାଥମିକ ବିଦ୍ୟାଳୟ ଗତ ୧୯୯୧ ମସିହାରେ ସ୍ଥାପିତ ହୋଇଥିଲା।

ସେତେବେଳେ ଯେଉଁ ଶ୍ରେଣୀ ଗୃହ ତିଆରି ହୋଇଥିଲା,ଆଜି ତାହା ଜରାଜିର୍ଣ୍ଣ ଅବସ୍ଥାରେ ପଡି ରହିଛି। ମାତ୍ର ଗୋଟିଏ କଠୋରୀରେ ଚାଲୁଥିଲା ଶିକ୍ଷାଦାନ,ରୋଷେଇ କାମ ଏବଂ ଅଫିସ କାର୍ଯ୍ୟାଳୟ।

ଅନ୍ୟଗୃହଗୁଡିକ ବିପଦସଂକୂଳ ଅବସ୍ଥାରେ ରହିଥିବାରୁ ସେହି ଶ୍ରେଣୀ ଗୃହକୁ ପିଲାଙ୍କୁ ବସାଇ ପାଠ ପଢାଇବା ପାଇଁ ବାରଣ କରାଯାଇଛି। ତେବେ ଏବେ ଏହି ସ୍କୁଲରେ ନା ପିଲା ଅଛନ୍ତି ନା ଶିକ୍ଷକ ପାଠ ପଢାଉଛନ୍ତି। ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟରେ ମୋଟ ୨୫ ଜଣ ପିଲା ପାଠ ପଢୁଥିଲେ। ବିଦ୍ୟାଳୟର ପ୍ରଥମେ ୫ରୁ ୬ ଜଣ ପିଲା ଅନ୍ୟତ୍ର ହଷ୍ଟେଲରେ ସ୍ଥାନ ପାଇବାରୁ ଚାଲିଯାଇଥିଲେ। ପରେ ଆହୁରି ଦଶ ଜଣ ପିଲା ଚାଲିଗଲେ ବଳକା ୧୦ ଜଣ ପିଲା ପାଠ ପଢୁଥିଲେ। ତେବେ ଲଗାଣ ବର୍ଷା ଲାଗି ରହିଥିବାରୁ ଶ୍ରେଣୀ ଗୃହରେ ଆଣ୍ଠୁଏ ପାଣି ଜମିଲା। ପିଲା ଓଦା ହେଲେ। ଆଉ ସ୍କୁଲକୁ ଯିବାକୁ ଅମଙ୍ଗ ହେଲେ।ପୁଣି ଶ୍ରେଣୀ ଗୃହର ଅବସ୍ଥା ଶୋଚନୀୟ ହୋଇଥିବାରୁ ଅଭିଭାବକମାନେ ମଧ୍ୟ ସ୍କୁଲ ଛାଡିଲେ ନାହିଁ। ତୁରନ୍ତ ପିଲାଙ୍କ ଟିସି ଦେବାକୁ ବାଧ୍ୟ କଲେ। ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟତ୍ରି ମମତା ନାୟକ କିପରି ପିଲାଙ୍କୁ ଛାଡି ଦେବେ ବୋଲି କହିଥିଲେ। କିନ୍ତୁ ଅଭିଭାବକମାନେ ପାଟିତୁଣ୍ଡ କରିବା ପରେ ଶିକ୍ଷୟତ୍ରୀ ଜଣକ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବା ପରେ ସମସ୍ତ ଅଧିକାରୀ ଆସିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହା ପରେ ବାଧ୍ୟ ହୋଇ ଶିକ୍ଷୟତ୍ରୀ ସମସ୍ତ ପିଲାଙ୍କୁ ଟିସି ଦେଇଦେଇଥିଲେ।ସମସ୍ତେ ସ୍ଥାନୀୟ ବୁଟିଗୁଡା ସ୍କୁଲ ସମେତ ଅନ୍ୟ ସ୍କୁଲଗୁଡିକରେ ନାମ ଲେଖାଇଲେ।

ଏବେ ଏହି ବିଦ୍ୟାଳୟରେ ଜଣେ ବି ପିଲା ନଥିବା ବେଳେ ସ୍କୁଲର ଭଙ୍ଗା କୋଠାକୁ ଜଣେ ଶିକ୍ଷୟତ୍ରୀ ଏବଂ ଦୁଇ ଜଣ ରୋଷେଇଆ ଜଗି ରହିଛନ୍ତି। ତେବେ ଏତିକିରେ କଥା ସରିନାହିଁ। ଏହି ବିଦ୍ୟାଳୟରେ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ମଦ ବୋତଲ ସ୍କୁଲ ପରିସରରେ ଦେଖିବାକୁ ମିଳିଛି।ଏନେଇ କେହି ପାଟି ଖୋଲିଲେ ଅସାମାଜିକ ବ୍ୟକ୍ତିମାନେ ଗାଳିଗୁଲଜ କରୁଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ପୁଣି ବିଦ୍ୟାଳୟର ପାଚେରୀ ନାହିଁ କି ଶୌଚାଳୟ ନାହିଁ।ଏଥିସହ ରୋଷେଇ ଘର ମଧ୍ୟ ନଥିବାରୁ ଗୋଟିଏ ସ୍ଥାନରେ ହିଁ ସବୁ କାମ ହେଉଥିଲା।ମାଲକାନଗିରି ବିଇଓ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବା ପରେ ଜିଲ୍ଲା ଶିକ୍ଷାଧିକାରୀ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି। ତେବେ ଜିଲ୍ଲାପାଳ ଏନେଇ ନିଷ୍ପତ୍ତି ନେବା ପରେ ଏହି ସ୍କୁଲ ଅନ୍ୟ ସ୍କୁଲରେ ମିଶିଯିବ ବୋଲି ଜଣାପଡିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button