ଦେଶ ପାଇଁ ସହିଦ ହେଲା ସେନାର କୁକୁର ଫ୍ୟାଣ୍ଟମ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୁନ୍ଦରବନୀ ସେକ୍ଟରରେ ସୋମବାର ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେନା ଗାଡ଼ିରେ ଥିବା ଆମ୍ବୁଲାନ୍ସ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହାପରେ ସେନା ଓ ଏନଏସଜି କମାଣ୍ଡୋ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।
ତେବେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ସମୟରେ ସେନାର କୁକୁର ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।
ଆହତ ଅବସ୍ଥାରେ ତାର ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ଏହିଭଳି ଭାବେ ସେନାର ସାହସୀ ସାଥୀ ଫ୍ୟାଣ୍ଟମ ସହିଦ ହୋଇଥିଲା। ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଆକ୍ରମଣ ତୀବ୍ର ହେବାରେ ଲାଗିଛି। ଶୀତ ଆସିବା ପୂର୍ବରୁ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀମାନେ ଜମ୍ମୁ ତଥା ଉପତ୍ୟକା ଅଞ୍ଚଳରେ ଲଞ୍ଚପ୍ୟାଡରେ ବସି ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି।
ସୂଚନା ଅନୁସାରେ, ସୁନ୍ଦରବନୀ ସେକ୍ଟରରେ ସେନାର ଅପରେସନରେ ସେନାର କୁକୁର ଫ୍ୟାଣ୍ଟମ ମଧ୍ୟ ସାମିଲ ଥିଲା । ଏନକାଉଣ୍ଟର ସମୟରେ ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏଥିରେ ଫ୍ୟାଣ୍ଟମ୍ ଗୁରୁତର ଆହତ ହୋଇଥିଲା, ତାହାର ଚିକିତ୍ସା କରାଯାଇଥିଲେ ବି ତାକୁ ବଞ୍ଚାଯାଇ ପାରିନଥିଲା।