୪୦୮ ଗାଁକୁ ଡିବିରି ଭରସା: ପାଖରେ ଦୁଇଟି ଜଳବିଦ୍ୟୁତ୍ ପ୍ରକଳ୍ପ ଥାଇ ବି ଅନ୍ଧାରରେ ଗ୍ରାମବାସୀ
କୋରାପୁଟ: କୋରାପୁଟ ଜିଲ୍ଲାର ୪୦୮ଗାଁକୁ ବିଦ୍ୟୁତ୍ ସେବା ସ୍ବପ୍ନ ପାଲଟିଛି। ଡିବିର ଓ ଜହ୍ନ ଆଲୁଅ ଏହି ଗ୍ରାମବାସୀଙ୍କ ପାଇଁ ଆଲୋକର ମାଧ୍ୟମ ପାଲଟିଛି। ପାଠପଢ଼ାଠୁ ରାତ୍ରି ଭୋଜନ, ଜାନିଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକିଛି ଏମାନେ ଡିବିର ଆଲୁଅ ମାଧ୍ୟମରେ ହିଁ କରିଥାନ୍ତି। ଜିଲ୍ଲାରେ ଅପରକୋଲାବ, ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ ଥିବା ସତ୍ତ୍ବେ ସ୍ବାଧୀନତାର ୭୮ ବର୍ଷ ପରେ ଏତେ ସଂଖ୍ୟକ ଗ୍ରାମବାସୀ ବିଦ୍ୟୁତ୍ ସେବାରୁ ବଞ୍ଚିତ ବିକାଶକୁ ପରିହାସ କରୁଛି।
ଅପହଞ୍ଚ ଇଲାକାରେ ଥିବା ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ପାଇଁ ଦୁଇ ଦଶନ୍ଧି ହେଲା ପ୍ରୟାସ ଜାରି କରିଛି। କେନ୍ଦ୍ରର ରାଜୀବ ଗାନ୍ଧୀ ବିଦ୍ୟୁତ୍କରଣ ଯୋଜନା, ରାଜ୍ୟରେ ବିଜୁ ଜ୍ୟୋତି ଯୋଜନା ଏହି ଦିଗରେ କାମ କରୁଛି। ସର୍ଭେରେ ମୋଟ ୬୮୧ ଗାଁରେ ବିଦ୍ୟୁତ୍ ସଂଯୋଗ ନଥିବା ଚିହ୍ନଟ ହୋଇଥିଲା। ଇତି ମଧ୍ୟରେ ୨୭୩ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଛି। ବାକି ୪୦୮ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରୁନି। ବର୍ଷ ପରେ ବର୍ଷ ଗଡ଼ୁଛି ହେଲେ କେବଳ ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହେବାକୁ ପଡ଼ୁଛି ବିଦ୍ୟୁତ୍ ସେବାରୁ ବଞ୍ଚିତ ଗ୍ରାମବାସୀଙ୍କୁ। ବୋରିଗୁମ୍ମା ବ୍ଲକର ସର୍ବାଧିକ ୮୨ଟି ଗାଁକୁ ବିଦ୍ୟୁତ ସଂଯୋଗ ଯାଇନି। ସେହିପରି ବୈପାରିଗୁଡ଼ା ବ୍ଲକର ୮୧ଟି ଗାଁ, ବନ୍ଧୁଗାଁ ବ୍ଲକର ୬୯, ଦଶମନ୍ତପୁର ବ୍ଲକର ୪୭, ଜୟପୁର ବ୍ଲକର ୧୫, କୋରାପୁଟ ବ୍ଲକର ୬, ଲକ୍ଷ୍ମୀପୁର ବ୍ଲକର ୩୧, ନାରାୟଣପାଟଣା ବ୍ଲକର ୪୬ଟି, ଲମତାପୁଟ ବ୍ଲକର ୧୩, ପଟ୍ଟାଙ୍ଗି ବ୍ଲକର ୨୨, ସେମିଳିଗୁଡ଼ା ବ୍ଲକର ୨୦ଟି ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇନି। ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ୪୦୮ ଗାଁ ମଧ୍ୟରୁ ୩୩ଟିରେ କାମ ଜାରି ରହିଛି। ସୌରଶକ୍ତିରେ ବନ୍ଧୁଗାଁ, ବୈପାରିଗୁଡ଼ା, ବୋରିଗୁମ୍ମା, ଜୟପୁର ବ୍ଲକର ୮୭ଟି ଗାଁକୁ ଆଲୋକୀକରଣ କରିବା ଲକ୍ଷ୍ୟ ରହିଛି। ୩୨ଟି ଗାଁରେ କାମ ସରିଥିବା ବେଳେ ବଳକା ଗାଁରେ କାମ ଚାଲିଛି। ଖୁବ୍ ଶୀଘ୍ର କାମ ସାରି ସେବା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ଓ ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ଅପରକୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଦୈନିକ ୩୨୦ ମେଗାୱାଟ୍ ଓ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଦୈନିକ ୯୮ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ୪୦ ବର୍ଷ ପୁରୁଣା ଏହି ଦୁଇ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ରେ ରାଜଧାନୀ ଭୁବନେଶ୍ବର ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଆଲୋକିତ ହେଉଛି। ଅଥଚ ନିଜ ଜିଲ୍ଲାର ଅଧିବାସୀଙ୍କୁ ବିଦ୍ୟୁତ୍ ସେବା ସ୍ବପ୍ନ ହୋଇ ରହିଛି।