ମଦ ପିଇ ଦାଦାଗିରି, ପେଟ୍ରୋଲ ପମ୍ପରେ ଲଗାଇ ଦେଲେ ନିଆଁ

ପେଟ୍ରୋଲ ପମ୍ପରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ବାନ୍ଧିଛି ପୁଲିସ। ସ୍କୁଟରରେ ତେଳ ଭର୍ତ୍ତି କରିବା ସମୟରେ ଜଣେ ବ୍ୟକ୍ତି ହଠାତ୍ ପାଇପରେ ନିଆଁ ଲଗାଇ ଦେଇଥିଲେ। ମଦ ପିଇ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦର ନାଚାରାମ ପେଟ୍ରୋଲ ପମ୍ପରେ କିଛି ଲୋକ ପେଟ୍ରୋଲ୍ ଭର୍ତ୍ତି କରୁଥିଲେ।
ଏହି ସମୟରେ ଜଣେ ବ୍ୟକ୍ତି ମଦ ପିଇ ଅସଞ୍ଜତ ଅବସ୍ଥାରେ ସେଠାକୁ ଆସିଥିଲେ। ହାତରେ ମଧ୍ୟ ସିଗାରେଟ୍ ଏବଂ ଲାଇଟର୍ ଧରିଥିଲେ।
ତାଙ୍କୁ ଏପରି ଅବସ୍ଥାରେ ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ପାଟି କରିଥିଲେ। ସେଠାରୁ ଚାଲିଯିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଠିକ୍ ଏହି ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ଜଣକ ତାଙ୍କୁ ଯଦି ଦମ୍ ଅଛି ନିଆଁ ଲଗାଇ ଦେଖା ବୋଲି କହି ଚ୍ୟାଲେଞ୍ଜ କରିଥିଲେ।
ଏହାକୁ ନେଇ ମଦ ପିଇଥିବା ବ୍ୟକ୍ତି ଜଣକ ରାଗିଯାଇ ପେଟ୍ରୋଲ ପାଇପରେ ଲାଇଟର୍ ମାରି ଦେଇଥିଲେ। ଫଳରେ ହୁତୁହୁତୁ ହୋଇ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଦୁଇ ଜଣ କର୍ମଚାରୀଙ୍କ ସହ ମୋଟ ୧୧ ଜଣ ପେଟ୍ରୋଲ ପମ୍ପ ନିକଟରେ ଉପସ୍ଥିତ ଥିଲେ। ଜଣେ ମହିଳା ଏବଂ ଶିଶୁ ମଧ୍ୟ ଥିଲେ। ସମେସ୍ତେ ଭୟରେ ଏଣେ ତେଣେ ଦୌଡ଼ି ପଳାଇଥିଲେ।
ଜଣେ ବ୍ୟକ୍ତି ଉପସ୍ଥିତ ବୁଦ୍ଧି ଖଟାଇ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତକୁ ଆଣିଥିଲେ। ଫଳରେ ଏକ ବଡ଼ ବିପଦ ଟଳି ଯାଇଥିଲା। ଯଦି ପେଟ୍ରୋଲ ଟାଙ୍କିରେ ଅଗ୍ନି ସଂଯୋଗ ହୋଇ ଯାଇଥାନ୍ତି, ତେବେ ଏକ ବଡ଼ ବିପଦର ସାମ୍ନା କରିବାକୁ ପଡ଼ିଥାନ୍ତି।
ଏହି ସମୟର ପୂରା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ନାଚାରାମ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି। ଅଭିଯୁକ୍ତ ଜଣକ ବିହାରର ଚିରାନ ବୋଲି ଜଣାପଡ଼ିଛି।




