ଭରତପୁର ଥାନା ମାମଲା; ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ

ଭୁବନେଶ୍ୱର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସାମ୍ନାକୁ ଆସିବ ସତ। ଧରାପଡ଼ିବ କିଏ ସତ, ଆଉ କିଏ କହୁଛି ମିଛ। ଏହି ମାମଲାରେ କମିଶନଙ୍କ ନିକଟରେ ମେଜର ଓ ତାଙ୍କ ବାନ୍ଧବୀ ସତ୍ୟପାଠ ଦାଖଲ କରିଛନ୍ତି। ଏପର୍ଯ୍ୟନ୍ତ ମୋଟ ୨୦୦ ଜଣ ସତ୍ୟପାଠ ଦାଖଲ କରିଥିବାବେଳେ ଆଉ ୧୦ ଦିନ ବୃଦ୍ଧି ହୋଇଛି ସତ୍ୟପାଠ ଦାଖଲ ସମୟସୀମା।
ଏହି ବହୁଚର୍ଚ୍ଚିତ ମାମଲାରେ ଆସନ୍ତାକାଲି (୨୮ ଅକ୍ଟୋବର) ସତ୍ୟପାଠ ଦାଖଲର ଶେଷ ତାରିଖ ଥିଲା। ହେଲେ ପବ୍ଲିକ୍ ଡିମାଣ୍ଡରେ ସତ୍ୟପାଠ ଦାଖଲ ସମୟ ସୀମା ବୃଦ୍ଧି କରିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାସ ତଦନ୍ତ କମିଶନ। ସମୟ ସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଯିବା ଅର୍ଥ ଆସନ୍ତା ମାସ (ନଭେମ୍ବର) ୮ ତାରିଖ ହେଉଛି ସତ୍ୟପାଠ ଦାଖଲର ଶେଷ ତାରିଖ।
ସେପଟେ ଏହି ଘଟଣାରେ କମିଶନଙ୍କ ନିକଟରେ ଘଟଣା ସମ୍ପର୍କିତ ସତ୍ୟପାଠ ଦାଖଲ କରିଛନ୍ତି ମେଜର ଓ ତାଙ୍କ ବାନ୍ଧବୀ। ସେଦିନ ତାଙ୍କ ସହ କ’ଣ ଘଟିଥିଲା, ସେ ସମ୍ପର୍କରେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ମେଜର ଓ ତାଙ୍କ ବାନ୍ଧବୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଘଟଣାରେ ସତ୍ୟପାଠ ଦାଖଲ କରିବା ପାଇଁ ତଦନ୍ତ କମିଶନଙ୍କ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା, ଯେଉଁଥିରେ ଏଯାଏଁ ପ୍ରାୟ ୨୦୦ ଜଣ ସତ୍ୟପାଠ ଦାଖଲ କରିସାରିଥିବା ସୂଚନା ରହିଛି।



